ବାଲେଶ୍ୱରକୁ ମହାନଗର ନିଗମ ଘୋଷଣା ଦାବି ଜୋର ଧରିଲା, ସହରରେ ମୋଟର ସାଇକେଲ ଶୋଭାଯାତ୍ରା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲା ଭଏସ୍ ଅଫ୍ ବାଲେଶ୍ୱର

ଶୁଭମ ସାଇ ମହାପାତ୍ର ସଂଗଠନର ଯୁବ ଶାଖା ନଗର ସଭାପତି ରୂପେ ନିଯୁକ୍ତି ପାଇଲେ 


ବାଲେଶ୍ୱର, ୪/୩(ଲକ୍ଷ୍ମୀଧର ବାରିକ): ବାଲେଶ୍ୱରକୁ ମହାନଗର ନିଗମର ମାନ୍ୟତା ମିଳିବାରେ ବିଳମ୍ବ ଓ ଆଦ୍ୟାବଧି ଘୋଷଣା ନହେବାକୁ ପ୍ରତିବାଦ କରିବା ସହିତ ସହରର ପୋଲିସ ଲାଇନ ଛକ ନିକଟରୁ ଏକ ମୋଟର ସାଇକେଲ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ସଂଗଠନର ସଭାପତି ଅରିଜିତ ଘୋଷାଲଙ୍କ ଆହ୍ୱାନ କ୍ରମେ ସଂଗଠନର ନବ ନିଯୁକ୍ତ ଯୁବ ଶାଖା ନଗର ସଭାପତି ଶୁଭମ ସାଇ ମହାପାତ୍ରଙ୍କ ନେତୃତ୍ୱରେ ଏକ ମୋଟର ସାଇକେଲ ଶୋଭାଯାତ୍ରା ସ୍ଥାନୀୟ ପୋଲିସ ଲାଇନ ଛକ ନିକଟରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା ଓ ପରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବାଲେଶ୍ୱରକୁ ଅବିଳମ୍ବେ ମହାନଗର ନିଗମ ଘୋଷଣା କରିବା ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ବହୁପୂର୍ବରୁ ମହାନଗର ନିଗମର ଦାବି ହୋଇଆସୁଥିଲେ ମଧ୍ୟ ଆଦ୍ୟାବଧି ଘୋଷଣା ନହେବା ବିଡମ୍ବନା ଓ ଦୁର୍ଭାଗ୍ୟର ବିଷୟ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ନିକଟରେ ରାଜ୍ୟ ସରକାର ୩୪ଟି ନୂତନ ଏନ୍ଏସି ଓ ୫ ଗୋଟି ନୂତନ ମ୍ୟୁନିସିପାଲିଟି ଘୋଷଣା କରିଛନ୍ତି । ବାଲେଶ୍ୱର ମ୍ୟୁନିସିପାଲିଟିର ସୀମା ୫୦ ବର୍ଷ ଧରି ଅପରିବର୍ତ୍ତିତ ରହିଛି । ମାତ୍ର ସହରର ସୀମା ବହୁ ଅଂଚଳକୁ ଏଇ ବର୍ଷମାନଙ୍କ ମଧ୍ୟରେ ବ୍ୟାପି ଯାଇଛି । କଲେଜ, ୟୁନିଭର୍ସିଟି ତଥା ଶିଳ୍ପାଞ୍ଚଳ ଅଂଚଳ ସବୁ ସହରାଂଚଳର ସଂଜ୍ଞା ଭିତରେ ଥିଲେବି ବାଲେଶ୍ୱର ସହର ସରକାରୀ ସ୍ତରରେ କା୍ୟାବିସ୍ତାର କରିପାରିନି । ଯାହାଫଳରେ ଏବେବି ବାଲେଶ୍ୱର ଏକ ପୋୖରାଞ୍ଚଳ ଭାବେ ପରିଗଣିତ । ସହର ତଥା ସହର ଲଗ୍ନ ଅଞ୍ଚଳ ଗୁଡିକରେ ପ୍ରବଳ ଜନସଂଖ୍ୟା ବୃଦ୍ଧି ସତ୍ୱେ ବାଲେଶ୍ୱର ସହର ବାଲେଶ୍ୱର ମହାନଗର ନିଗମ ଭାବେ ପରିଗଣିତ ହୋଇନାହିଁ । ବାଲେଶ୍ୱର ମହାନଗର ନିଗମ ହେବା ପାଇଁ ସମସ୍ତ ଆବଶ୍ୟକୀୟ ମାନଦାଣ୍ଡ ଥିବାବେଳେ ସରକାର ଏହାକୁ ମହାନଗର ନିଗମ ଘୋଷଣା ନକରିବା ଏକ ବିଡମ୍ବନାର ବିଷୟ । ଏଣୁ ରାଜ୍ୟ ସରକାର ଏ ଦିଗରେ ସକରାତ୍ମକ ମନୋଭାବ ପୋଷଣ କରିବାର ଆବଶ୍ୟକ ରହିଛି । 'ଭଏସ୍ ଅଫ୍ ବାଲେଶ୍ୱର' ଦୀର୍ଘଦିନ ଧରି ମହାନଗର ନିଗମ ଘୋଷଣା ଦାବି କରିଆସୁଥିବା ବେଳେ ଆଜି ପୁନର୍ବାର ଏହାକୁ ଦୋହରାଇଛି । ଶୁଭମ ସାଇଙ୍କ ନେତୃତ୍ୱରେ ହୋଇଥିବା ଆଜିର ଏହି କାର୍ଯ୍ୟକ୍ରମରେ ସଭାପତି ଅରିଜିତ ଘୋଷାଲ,ସୁଶାନ୍ତ ସାହୁ,ସୁଶୀଲ ଜେନା, ଅଜୟ ବେହେରା,ଅଭିଜିତ ବିଶ୍ୱାଳ, ମହେଶ ସେଠୀ, ରିମା ଯୋସେଫ, ଜଗନ୍ନାଥ ବେହେରା, ବିଶ୍ୱଜିତ ଦାସ, ଦୁଷ୍ମନ୍ତ ପଣ୍ଡା, ସୁଶାନ୍ତ ବେଜ, ମୁନା ମୁଦୁଲି, ଶିବ ଓଝା ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହିତ ଯୁବ ନେତା ଶୁଭମ ସାଇ ମହାପାତ୍ର ସଂଗଠନର ଯୁବ ଶାଖାର ନଗର ସଭାପତି ରୂପେ ନିଯୁକ୍ତି ପାଇଁ ଥିବା ସୂଚନା ପ୍ରଦାନ କରାଯାଇଛି ।

Post a Comment

Previous Post Next Post