ଜାତୀୟ ମତଦାତା ଦିବସ-୨୦୨୪ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ


ବାଲେଶ୍ୱର, ୨୧/୧(ଲକ୍ଷ୍ମୀଧର ବାରିକ): ପ୍ରତ୍ୟେକ ବର୍ଷ ଜାନୁଆରୀ ମାସ ୨୫ ତାରିଖ ଦିନକୁ ଜାତୀୟ ମତଦାତା ଦିବସ ଭାବରେ ପାଳନ କରାଯାଇଥାଏ।ଜିଲ୍ଲାସ୍ତରୀୟ ଜାତୀୟ ମତଦାତା ଦିବସ-୨୦୨୪ ଆସନ୍ତା ୨୫ ତାରିଖରେ ବାଲେଶ୍ବର ସଦର ମହକୁମାରେ ପାଳନ କରିବା ଉଦ୍ଦେଶ୍ୟରେ ସମ୍ପ୍ରତି ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ

 ବାଲେଶ୍ବର ଉପ ଜିଲ୍ଲାପାଳ ସ୍ମୃତି ରଞ୍ଜନ ମଲ୍ଲିକ, ନୀଳଗିରି ଉପ ଜିଲ୍ଲାପାଳ ମନ୍ଦରଧର ମହାଳିକ, ଡେପୁଟୀ କଲେକ୍ଟର ସୁଶ୍ରୀ ଗାୟତ୍ରୀ ସୋରେନ, ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଜେନା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଧରଣୀଧର ପାତ୍ର ତଥା ଅନ୍ୟାନ୍ୟ ଅଧିକାରୀଗଣ ଯୋଗ ଦେଇଥିଲେ। ନିଷ୍ପତ୍ତି ଅନୁଯାୟୀ, ସକାଳ ୮ ଘଟିକା ସମୟରେ ବିଭିନ୍ନ ବର୍ଗ ଯଥା, ଏନ୍. ସି.ସି., ସ୍କାଉଟ, ଗାଇଡ ଏଵଂ ଅନ୍ୟାନ୍ୟ ଛାତ୍ର ଛାତ୍ରୀ ତଥା କର୍ମଚାରୀ ଓ ଜନସାଧାରଣଙ୍କୁ ନେଇ ଏକ ସଚେତନତା ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରି ଫାଣ୍ଡି ଛକ, ଫକୀରମୋହନ ଗୋଲେଇ ଦେଇ ଗାନ୍ଧୀ ସ୍ମୃତି ଭବନ ନିକଟରେ ଶେଷ ହେବ। ସେଠାରେ ଏକ ସଂକ୍ଷିପ୍ତ ସଭାର ଆୟୋଜନ ହେବ ଯେଉଁଥିରେ କିଛି ପଞ୍ଜୀକୃତ ନୂତନ ଯୁବ ଭୋଟରଙ୍କୁ ଭୋଟର ପରିଚୟ ପତ୍ର ପ୍ରଦାନ କରାଯିବ। ଏଠାରେ ପୂର୍ବରୁ ବିଭିନ୍ନ ବିଦ୍ୟାଳୟର ଓ ମହାବିଦ୍ୟାଳୟ ସ୍ତରରେ ହୋଇଥିବା ବକ୍ତୃତା,ଚିତ୍ରାଙ୍କନ ଏଵଂ କ୍ୱିଜ୍ ପ୍ରତିଯୋଗିତାର ବିଜେତା ମାନଙ୍କୁ ପୁରସ୍କୃତ କରାଯିବ। ପ୍ରକାଶ ଥାଉକି ଏବର୍ଷ ଜାତୀୟ ମତଦାତା ଦିବସର ବିଷୟ ରହିଛି,"ଭୋଟ ଦାନ ଭଳି ମହତ୍ କାର୍ଯ୍ୟ କିଛି ନାହିଁ, ମୁଁ ନିଶ୍ଚୟ ଭୋଟ ଦେବି। ଏହି ଦିବସ ପାଳନ ଅବସରରେ ଗାନ୍ଧୀ ସ୍ମୃତି ଭବନ ଠାରେ ନୂତନ ଭୋଟର୍ ପଞ୍ଜିକରଣ ଏବଂ ମେସିନ୍ ଭୋଟ ଦାନ ପ୍ରଶିକ୍ଷଣ ସୁବିଧା ମଧ୍ୟ ଯୋଗାଇ ଦିଆଯିବ। ଜାତୀୟ ମତଦାତା ଦିବସ-୨୦୨୪ ପାଳନ ଉପଲକ୍ଷେ ଆୟୋଜିତ ହେବାକୁ ଥିବା ଏହି ରାଲିରେ ସ୍ଥାନୀୟ ଜନସାଧାରଣ ବହୁଳ ଭାବରେ ଯୋଗ ଦେବା ନିମନ୍ତେ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

Post a Comment

Previous Post Next Post