ନୀଳଗିରି ରକ୍ତକେନ୍ଦ୍ରକୁ ମିଳିଲା ସାଂସଦ ପାଣ୍ଠିରୁ ରକ୍ତସଂଗ୍ରହ ଯାନ


ବାଲେଶ୍ବର,୧୦/୧୧(ଲକ୍ଷ୍ମୀଧର ବାରିକ): ଓଡିଶା ରକ୍ତକେନ୍ଦ୍ର, ନୀଳଗିରି ଶାଖାର ଦୀର୍ଘଦିନର ଆବଶ୍ୟକତା ବହୁ ପ୍ରତୀକ୍ଷିତ ରକ୍ତ ସଂଗ୍ରହ ଯାନ ବାଲେଶ୍ବର ଲୋକ ସଭା ସଭ୍ୟ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଂଗୀଂକ ଦ୍ବାରା ଆଜି ଲୋକାର୍ପିତ ହୋଇଯାଇଛି ।ନୀଳଗିରି ଉପଖଣ୍ତ ଚିକିତ୍ସାଳୟ ପରିସରରେ ଏହି ଉପଲକ୍ଷେ ଏକ ବର୍ଣ୍ଣାଢ୍ୟ ଉତ୍ସବର ଆୟୋଜନ କରାଯାଇଥିଲା । ବାଲେଶ୍ବର ଜିଲ୍ଲା ରକ୍ତ ଦାତା ସଂଘର ସଭାପତି କମଲ ଚକ୍ରବର୍ତ୍ତୀଂକ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସଂଘର ସାଧାରଣ ସଂପାଦକ ଡଃ ଇଂ ହୃଷିକେଶ ସାହୁ, ବରିଷ୍ଠ ଉପଦେଷ୍ଟା ରବି ରାଉତ, ନୀଳଗିରି ରକ୍ତ ଦାତା ସଂଘର ସଭାପତି ଗୋପାଳ ମହାପାତ୍ର, ସଂପାଦକ ବିଜୟ ପାତ୍ରଂକ ସମେତ ତପସ୍ବିନୀ ପଣ୍ତା, ଦେବାଶୀଷ ପାଣି ପ୍ରମୁଖ ଉପସ୍ଥିତ ରହି ଦୂର ଦୂରାନ୍ତରରୁ ରକ୍ତ ସଂଗ୍ରହ , ଶିବିର ଆୟୋଜନ, ସଚେତନତା ଅଭିଯାନ , ଜରୁରୀକାଳୀନ ସେବା ନିମନ୍ତେ ଏହି ଯାନର ଅପରିହାର୍ଯ୍ୟ ଆବଶ୍ୟକତା ଥିଲା ବୋଲି କହିଥିଲେ । ଗତ ଜୁନ ୧୪ ତାରିଖରେ ଜିଲ୍ଲା ସଂଘର ବାର୍ଷିକ ସମ୍ମିଳନୀରେ ସାଂସଦ ଶ୍ରୀ ଷଡଂଗୀଂକୁ ସେଥିପାଇଁ ସାଂସଦ ପାଣ୍ଠିରୁ ଅନୁଦାନ ମଜୁର ନିମନ୍ତେ ଅନୁରୋଧ କରାଯାଇଥିଲା । ସାଂସଦ ପାଣ୍ଠିରୁ ୧୫ ଲକ୍ଷ ଟଂକା ଅନୁଦାନ ମଂଜୁର ହୋଇ ଆଜି ସାଂସଦ ଶ୍ରୀ ଷଡଂଗୀଂକର ୬୯ ତମ ଜନ୍ମ ଦିବସରେ ଏହି ଯାନ ଲୋକାର୍ପିତ ହୋଇ ଥିବାରୁ ନୀଳଗିରି ରକ୍ତକେନ୍ଦ୍ର ତଥା ରକ୍ତ ଦାତା ସଂଘ ପକ୍ଷରୁ ତାଂକୁ ଗଭୀର କୃତଜ୍ଞତା ଜ୍ଞାପନ ସହିତ ଉତ୍ତରୀୟ ଓ ପୁଷ୍ପ ଗୁଛ୍ଛ ଦେଇ ଉଛ୍ବସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।


ସାଂସଦ ଶ୍ରୀ ଷଡଂଗୀଂକର ସମର୍ଥକ, ଶୁଭେଛ୍ଛୁ ଓ ପ୍ରଶଂସକମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ବିଶାଳ ଶୋଭାଯାତ୍ରାରେ ତାଂକୁ ଉତ୍ସବ ସ୍ଥଳକୁ ପାଛୋଟି ଆଣିଥିଲେ । ସାଂସଦଂକର ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସଂକୁ ଏହି ମହତ କାର୍ଯ୍ୟରେ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା । ଦୁଇ ଦିନ ପୂର୍ବରୁ ହୃଦଘାତରେ ପରଲୋକ ହୋଇଥିବା ନିୟମିତ ରକ୍ତଦାତା, ଶିବିର ଆୟୋଜକ ଦିବଂଗତ ଯୁବ ସାମାଜିକ କର୍ମୀ ପ୍ୟାରୀ ମୋହନ ରାଉତଂ (ବିଠୁ)କ ଆତ୍ମାର ସଦଗତି ପାଇଁ ପ୍ରାରମ୍ଭରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀ ଷଡଂଗୀ ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ ରକ୍ତର କୌଣସି ବିକଳ୍ପ ନଥିବାରୁ ରକ୍ତ ଦାନ ଭଳି ମହାନ କର୍ମରେ ନିୟୋଜିତ ଥିବା ସମସ୍ତ ରକ୍ତଦାତା, ରକ୍ତ ଦାନ ଶିବିର ଆୟୋଜକ ସଂଗଠକ, ରକ୍ତ ଦାତା ସଂଘର କର୍ମକର୍ତ୍ତା ମାନଂକୁ ସାଧୁବାଦ ଜଣାଇଥିଲେ । ଗରିବ ,ଧନୀ ନିର୍ବିଶେଷରେ ସମସ୍ତଂକୁ ସ୍ବାସ୍ଥ୍ୟ ସେବା ପ୍ରଦାନ, ବିଶେଷତଃ କରୋନା ମହାମାରୀ କାଳରେ ଆମ ଦେଶ ବିଶ୍ବର ୧୫୦ରୁ ଉର୍ଧ ଦେଶକୁ କୋଭିଡ ପ୍ରତିଷେଧକ ଭ୍ୟାକସିନ ଯୋଗାଇ ଦେଇ ବିଶ୍ବ ଗୁରୁ ପାଲଟି ଯାଇଛି ବୋଲି କହିଥିଲେ । ପ୍ରଧାନମନ୍ତ୍ରୀଂକର ବହୁବିଧ ଜନହିତକର ଯୋଜନା ସଂପର୍କରେ ସୂଚନା ଦେଇ ଶ୍ରୀ ଷଡଂଗୀ ନୀଳଗିରି ଉପଖଣ୍ତ ସମେତ ସମଗ୍ର ଜିଲ୍ଲାର ସ୍ବାସ୍ଥ୍ୟ ସେବାର ବିକାଶ ନିମନ୍ତେ ସେ ପ୍ରତିଶୃତି ବଦ୍ଧ ବୋଲି ତାଂକ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ସାଂସଦଂକ ସମର୍ଥକ, ପ୍ରଶଂସକମାନଂକ ପକ୍ଷରୁ ନୀଳଗିରି ରକ୍ତକେନ୍ଦ୍ରରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଶିବିରରେ ୭୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ରକ୍ତ ସଂଗ୍ରହ ଯାନ ଲୋକାର୍ପଣ ଓ ରକ୍ତଦାନ ଶିବିର ପରିଚାଳନାରେ ଭାରପ୍ରାପ୍ତ ଏସ ଡି ଏମ ଓ ଡା ରମାକାନ୍ତ ସାହୁ, ରକ୍ତ କେନ୍ଦ୍ର ଅଧିକାରୀ ଡା ତ୍ରୀନାଥ ପାଲ, ରକ୍ତକେନ୍ଦ୍ରର ଟେକ୍ନିସିୟାନ ସରୋଜ ପାଶା,ବେଣୁଧର ରାଉଳ,ସଂଗ୍ରାମଜ୍ୟୋତି ମହାପାତ୍ର, ଗତିକୃଷ୍ଣ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା ଓ ରକ୍ତ ସଂଗ୍ରହ କରିଥିଲେ । ସେହିପରି ସାଂସଦଂକର ଜନ୍ମଦିବସ ଉପଲକ୍ଷେ ମିତ୍ରପୁର ଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇ ୪୬ ୟୁନିଟ ରକ୍ତ ସଂଗୃହିତ ହୋଇଛି । ସେହି ଶିବିରରେ ରକ୍ତକେନ୍ଦ୍ରର ଟେକ୍ନିସିୟାନ ପ୍ରହ୍ଲାଦ ଗିରି,ଦେବାଂଶୁ ବେହେରା, ରାଜେଶ ଦାସ ପ୍ରମୁଖ ଶିବିର ପରିଚାଳନା ଓ ରକ୍ତସଂଗ୍ରହ କରିଥିଲେ ।

Post a Comment

Previous Post Next Post