ବାଲେଶ୍ବର,୧୪/୮ (ଲକ୍ଷ୍ମୀଧର ବାରିକ) ସ୍ୱାଧୀନତା ଦିବସ ଉପଲକ୍ଷେ ‘ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ କ୍ରାଫ୍ଟ ଫର୍ ୱିମେନ୍’ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ଝୋଟି ପ୍ରତିଯୋଗିତା ଜିଲ୍ଲା ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ସହର ସମେତ ଆଖପାଖ ଅଂଚଳରୁ ଊର୍ଦ୍ଧ୍ୱ ମହିଳା ଓ ଯୁବତୀ ଏଥିରେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗୀମାନେ ପାରମ୍ପାରିକ ରୀତିରେ ଉତ୍କଳୀୟ ପ୍ରାଚୀନ କଳା ସଂସ୍କୃତିକୁ ବିଦ୍ୟାଳୟ ଚଟାଣରେ ଝୋଟି ଆଙ୍କିଥିଲେ। ବୁଡ଼ି ଯାଉଥିବା ଓଡ଼ିଶାର ପ୍ରାଚୀନ କଳା ଓ ସଂସ୍କୃତିକୁ ଉଜ୍ଜୀବିତ କରିବା ଏବଂ ଉତର ପିଢ଼ିଙ୍କୁ ଏଥିପ୍ରତି ଆକର୍ଷିତ କରିବାରେ ଏହି ପ୍ରତିଯୋଗିତା ବେଶ ସ୍ୱାଗତୋଗ୍ୟ ପଦକ୍ଷେପ ବୋଲି ପ୍ରତିଯୋଗୀ କହିଛନ୍ତି। ସଦର ସିଡିପିଓ ସାଗରିକା ଦତ୍ତ, ଜିଲ୍ଲା ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସୂର୍ଯ୍ୟକାନ୍ତି ମହାନ୍ତି, ମିଶନ ଶକ୍ତି ବାଲେଶ୍ୱର ମ୍ୟୁନିସିପାଲିଟି ପ୍ରକଳ୍ପ ପରିଚାଳିକା ଶକ୍ତିପ୍ରିୟା ବିଶ୍ୱାଳ ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ। ମିଶନ ଶକ୍ତି ସଦର ବ୍ଲକ ପ୍ରକଳ୍ପ ପରିଚାଳିକା ପ୍ରିୟଦର୍ଶିନୀ ଆଚାର୍ଯ୍ୟ, ଚିତ୍ରଶିଳ୍ପୀ ମରୁତ କୁମାର ରାଉତ, ପ୍ରକାଶ ମହାନ୍ତି ପ୍ରମୁଖ ବିଚାରକ ଭାବେ ଦାୟିତ୍ୱ ତୁଲାଇ ଥିଲେ। ‘ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ କ୍ରାଫ୍ଟ ଫର୍ ୱିମେନ୍’ର ସଭାନେତ୍ରୀ ଅର୍ଚ୍ଚନା ନନ୍ଦୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସମ୍ପାଦିକା ସରସ୍ୱତୀ ପଣ୍ଡା, ରାଜଲକ୍ଷ୍ମୀ ଚାଟାର୍ଜୀ, ବିନା ନନ୍ଦୀ ପ୍ରମୁଖ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ। ଅନିମା ବେହେରା ପ୍ରଥମ, ନମିତା ପରିଡ଼ା ଦ୍ୱିତୀୟ, ରଜନୀ ମହତା ତୃତୀୟ ହୋଇଥିବା ବେଳେ ଝୁନୁରାଣୀ ବାରିକଙ୍କୁ ଶାନ୍ତ୍ୱନାମୂଳକ ପୁରସ୍କାର ପାଇଁ ଚୟନ କରାଯାଇଥିଲା। ସ୍ୱାଧୀନତା ଦିବସରେ ବିଜୟୀ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ସରସ୍ବତୀ ପଣ୍ଡା ଧନ୍ୟବାଦ ଦେଇଥିଲେ।
ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ କ୍ରାଫ୍ଟ ଫର୍ ୱିମେନ୍’ ପକ୍ଷରୁ ଜିଲ୍ଲାସ୍ତରୀୟ ଝୋଟି ପ୍ରତିଯୋଗିତା
ଆଜତକ ଓଡ଼ିଶା
0
Post a Comment