ଖୋଲୁନି ଇନ୍‌ଡୋର ଷ୍ଟାଡିୟମ ତାଲା


କୋରାପୁଟ : (ଆଜତକ୍ ଓଡ଼ିଶା) ସୁନାବେଡା ପୌର ପରିଷଦର ୫ ନଂ. ୱାର୍ଡ ଗଞ୍ଜାମ କଲୋନୀଠାରେ ନିର୍ମାଣ ହୋଇଛି ମଲ୍ଟି ପରପୋଜ ହଲ୍‌ ତଥା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ୍‌। ଏହାର ନିର୍ମାଣକୁ ବର୍ଷେରୁ ଅଧିକ ଦିନ ବିତିଲାଣି । ମାତ୍ର ଏଯାଏ ଏହି ଇନ୍‌ଡୋର ଷ୍ଟାଡିୟମ ଖୋଲୁନି। ଫଳରେ ଯେଉଁ ଲକ୍ଷ୍ୟରେ ଏହା ନିର୍ମାଣ ହୋଇଥିଲା ତାହା ବସ୍ତୁତଃ ବିଫଳ ହେବାକୁ ବସିଛି । ଉକ୍ତ ଅଞ୍ଚଳରେ ବହୁ ପ୍ରତିଭାବାନ୍‌ ଜାତୀୟ ତଥା ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ୍‌ ଖେଳାଳି ଅଛନ୍ତି। ସେମାନଙ୍କ ଅଭ୍ୟାସ ପାଇଁ କିଛି ଉପଯୁକ୍ତ ବ୍ୟବସ୍ଥା ନ ଥିଲା। ଖେଳାଳିମାନେ ଏଠାରେ ଏକ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ ଲାଗି ଦୀର୍ଘଦିନରୁ ଦାବି ଜଣାଇ ଆସୁଥିଲେ। ୨୦୨୧ ଜୁନ୍‌ ୧୮ରେ କୋରାପୁଟ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପୋଡାଲ୍‌ ଏନେଇ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଧାୟକଙ୍କ ଅନୁରୋଧ ରକ୍ଷାକରି ମୁଖ୍ୟମନ୍ତ୍ରୀ ପୌରପ୍ରଶାସନକୁ ସେହି ବର୍ଷ ଷ୍ଟାଡିୟମ ନିର୍ମାଣ ପାଇଁ ଉପଯୁକ୍ତ ସ୍ଥାନ ନିରୂପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୌର ପରିଷଦ ୫ ନଂ. ୱାର୍ଡ ଗଞ୍ଜାମ କଲୋନୀଠାରେ ସ୍ଥାନ ନିରୂପଣ ପରେ ପୂର୍ତ୍ତ ବିଭାଗ ୪.୫ କୋଟି ଟଙ୍କା ବ୍ୟୟରେ ଏହାର ନିର୍ମାଣ ଆରମ୍ଭ କରି ୨୦୨୨ ମାର୍ଚ୍ଚରେ ଶେଷ କରିଥିଲେ। ଷ୍ଟାଡିୟମ ମଧ୍ୟରେ ୨ଟି ବ୍ୟାଡମିଣ୍ଟନ କୋର୍ଟ ସହ ଜିମ୍‌, ଯୋଗ ଏବଂ ଚଲାପଥ ଭଳି ବିଭିନ୍ନ ବ୍ୟବସ୍ଥା ରହିଛି । ତେବେ ୨୦୨୨ଡିସେମ୍ବରରେ ଏହାକୁ ଖୋଲିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିଲେ ସୁଦ୍ଧା ନିର୍ମାଣକୁ ବର୍ଷେରୁ ଊର୍ଦ୍ଧ୍ୱ ସମୟ ବିତିଗଲାଣି ପ୍ରଶାସନ ଷ୍ଟାଡିୟମ କାର୍ଯ୍ୟକ୍ଷମ କରିବାକୁ ନାଁ ଧରୁନି। ଏନେଇ ଖେଳାଳିଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ବିଭାଗୀୟ ଏସଡିଓ କୃଷ୍ଣଚନ୍ଦ୍ର ସାହୁଙ୍କୁ ପଚାରିବାରୁ ସେ କହିଲେ, କିଛି ଆନୁଷଙ୍ଗିକ ଖେଳ ସାମଗ୍ରୀ ଲଗାଯିବାକୁ ବାକି ରହିଛି। ଏଥିସହ ଷ୍ଟାଡିୟମରେ ଆଉ କିଛି ବୈଦ୍ୟୁତିକ ଉପକରଣ ଲାଗିବା କାମ ବାକି ରହିଛି। ଷ୍ଟାଡିୟମର ପରିଚାଳନା ଦାୟିତ୍ୱ ନେବାକୁ କୌଣସି ସଂସ୍ଥା ଚୟନ ହୋଇ ନ ଥିବା ହେତୁ ଏହାକୁ ଖୋଲିବାରେ ବିଳମ୍ବ ହେଉଛି ବୋଲି ସାହୁ କହିଛନ୍ତି ।

Post a Comment

Previous Post Next Post