(କଥାସତ୍ୟ ହେଲେ ତହସିଲ ସମ୍ମୁଖରେ ଇଚ୍ଛାକୃତ ଫାଶୀ ଗ୍ରହଣ କରିବେ ବୋଲି ଯୁବନେତାଙ୍କ ସହମତି ପ୍ରକାଶ)
ଜଳେଶ୍ୱର, ୩୧ ।୦୮ (ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ସୁବର୍ଣ୍ଣରେଖା ନଦୀରୁ ବେନିୟମ ଭାବେ ବାଲି ଚୋରା ଚାଲାଣକୁ ନେଇ ବିଜେଡି ଯୁବ ନେତାଙ୍କ ନାମରେ ଥାନାରେ ଏତେଲାକୁ ନେଇ ଜଳେଶ୍ୱର ରାଜନୀତିରେ ସରଗରମ ହେବାକୁ ଲାଗିଛି । ବିଜୁ ଯୁବ ବାହିନୀର ପୂର୍ବତନ ସଭାପତି ତଥା ଯୁବ ଛାତ୍ର ନେତା ଥିବା କାଳିଚରଣ ଦାସ ଜଳେଶ୍ୱର ବିଜୁ ଜନତା ଦଳର ଜଣେ ଚିହ୍ନା ମୁହଁ । ତେବେ କିଛିଦିନ ଧରି ମନ୍ତ୍ରୀଙ୍କ ବିପକ୍ଷରେ କାର୍ଯ୍ୟକରୁଛି ବୋଲି ଦଳୀୟ ନେତା ମାନେ କହୁଥିବା ବେଳେ ବାଲି ଚୋରୀ କରି ଚାଲାଣ କରୁଥିବା ଭଳି ସଙ୍ଗିନ ଦଫାରେ ଜଳେଶ୍ୱର ଥାନାରେ ମାମଲା ରୁଜୁ ହୋଇଥିବାର ଜଣାଯାଇଛି । ଏଥିନେଇ ରାୟାରାମଚନ୍ଦ୍ରପୁର ବାଲି ଖାଦାନର ଲିଜ ନେଇଥିବା ଅସିତ କୁମାର ପରିଡା କାଲୀଚରଣ ଦାସ ଓ କେତେକ ଲୋକଙ୍କ ନାମରେ ଜଳେଶ୍ୱର ତହସିଲଦାରଙ୍କ ନିକଟରେ ବାଲିଚୋରୀର ଅଭିଯୋଗ କରିଥିଲେ । ଫଳରେ ଜଳେଶ୍ୱର ତହସିଲଦାରଙ୍କ ପକ୍ଷରୁ ଜଳେଶ୍ୱର ଥାନାରେ ଏତେଲା ନଂ ୦୩୯୦ ମୂଳେ ଏକ ମାମଲା ରୁଜୁ କରିଥିବା ଜଣାଯାଇଛି । ଯାହା ଫଳରେ ଆଜି ଜିଲ୍ଲାପାଳଙ୍କ ତହସିଲ ଗସ୍ତ ସମୟରେ କାଳିଚରଣ ଦାସ ଓ ଅନ୍ୟମାନେ ଜିଲ୍ଲାପାଳଙ୍କୁ ଏହା ଏକ ମିଛକେଶ ବୋଲି କହିବା ସହିତ ଜଳେଶ୍ୱର ତହସିଲଦାର ବାଲି ମାଫିଆ ମାନଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏହାର ସତ୍ୟାସତ୍ୟ ଉପରେ ତଦନ୍ତ ଦାବୀକରିବା ସହିତ କଥାସତ୍ୟ ହେଲେ ତହସିଲ ସମ୍ମୁଖରେ ଇଚ୍ଛାକୃତ ଫାଶୀ ଗ୍ରହଣ କରିବେ ବୋଲି ସହମତି ପ୍ରକାଶ କରିଛନ୍ତି । ବର୍ତମାନ ଏହି ବିଜେଡି ଦଳର ବାଲି ରାଜନୀତିକୁ ନେଇ ଜଳେଶ୍ୱର ସରଗରମ ହୋଇ ଉଠିଥିବାର ଦେଖିବାକୁ ମିଳିଛି ।
Post a Comment