ବର୍ଷା ଥମିଲା, ଅନେକ ଅଞ୍ଚଳ ଏବେ ବି ପାଣି ଘେରରେ


ବାଲେଶ୍ବର,୩/୮(ଲକ୍ଷ୍ମୀଧର ବାରିକ): ଅବିଶ୍ରାନ୍ତ ବର୍ଷାରେ ବାଲେଶ୍ବର ସଦର ବ୍ଲକ ଏବଂ ସହାରାଞ୍ଚଳରେ ଅନେକ ସ୍ଥାନ ଜଳ ଘେରରେ ରହିଥିଲା। ବିଭିନ୍ନ ସ୍କୁଲ, କଲେଜ ସହ ବିଭିନ୍ନ ତଳି ଅଞ୍ଚଳ ଜଳବନ୍ଦୀ ହୋଇଥିଲା। ରାସ୍ତା ଉପରେ ଆଣ୍ଠୁଏ ପାଣି ଛୁଟିଥିଲା। ବହୁ ଲୋକଙ୍କ ଘରେ ପାଣି ପଶିବା ସହିତ ବିଭିନ୍ନ ଦୋକାନରେ ପାଣି ପଶିଥିଲା। ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। ସହରର ନୁଣିଆଯୋଡ଼ି, ବାଲିଘାଟ, ଅଙ୍ଗାରଗଡ଼ିଆ, ‌ଗୋଧିବସା, ତଳସାହି ଆଦି ଅଞ୍ଚଳରେ ପାଣି ପଶିଥିଲା। ଆଜି ସକାଳ ଠାରୁ ବର୍ଷା ନାହିଁ, ହେଲେ ଏବେ ବି ଅନେକ ରାସ୍ତା ଉପରେ ପାଣିର ସୁଅ ଛୁଟିଛି। ସଦର ବ୍ଲକ କେଶରପୁର ମୁଖ୍ୟରାସ୍ତାର ବଇଁଚା ଠାରେ ରାସ୍ତା ଉପରେ ୪ ଫୁଟ୍‌ର ପାଣି ଚାଲିଥିବାରୁ ଗମନାଗମନ ବାଧାପ୍ରାପ୍ତ ସୃଷ୍ଟି ହୋଇଛି। ଆଜି ସକାଳେ ଏହି ରାସ୍ତାରେ ଜଣେ ଯୁବକ ବାଇକ୍‌ରେ ଯାଉଥିବା ବେଳେ ସୁଅରେ ଭାସି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ବାଇକ୍‌ ସହ ଉଦ୍ଧାର କରିଛନ୍ତି। ଦୁଇଦିନ ଧରି ଲଗାଣ ବର୍ଷାରେ ସଦର ବ୍ଲକ୍ ଅଞ୍ଚଳର ସିନ୍ଧିଆ, ବଇଞ୍ଚା, ଗୋପୀନାଥପୁର, କସିପଦା, ହରିପୁର, ଫୁଲାଡ଼ି ଆଦି ପଞ୍ଚାୟତବାସୀ ପ୍ରଭାବିତ ହୋଇଛନ୍ତି। ତଳସାହି ଅଞ୍ଚଳରେ ପାଖାପାଖି ୫୦ରୁ ଅଧିକ ପରିବାର ପାଣି ଘେରରେ ରହିଛନ୍ତି। ଆଜି ଅପରାହ୍ନରେ ପାଣି ଧୀରେ ଧୀରେ କମିବାରେ ଲାଗିଥିବା ଦେଖିବାକୁ ମିଳିଥିଲା। ପ୍ରଶାସନ ତରଫରୁ ଅନେକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଅନ୍ୟପଟେ ବାଲେଶ୍ବର ଜିଲ୍ଲା ଦେଇ ପ୍ରବାହିତ ହୋଇଥିବା ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ବିପଦ ସଂକେତ ଡେଇଁଛି। ଅପରାହ୍ନ ୪ଟା ସୁଦ୍ଧା ଜଳକା ନଦୀର ଜଳସ୍ତର ବିପଦ ସଂକେତ ୫.୫୦ ମିଟର ଥିବାବେଳେ ୬.୧୬ ମିଟରରେ ଜଳ ପ୍ରବାହିତ ହେଉଛି। ସେହିପରି ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବିପଦ ସଂକେତ ୮.୧୩ ମିଟର ଥିବାବେଳେ ୭.୩୮ ମିଟରରେ ଜଳ ପ୍ରବାହିତ ହେଉଛି। ସୁବର୍ଣ୍ଣରେଖାର ନଦୀର ଜଳସ୍ତର ବିପଦ ସଂକେତ ୧୦.୩୬ ମିଟର ରହିଥିବା ବେଳେ ୭.୩୮ ମିଟରରେ ଜଳ ପ୍ରବାହିତ ହେଉଥିବା ଜଣାଯାଇଛି। ସେପଟେ ପ୍ରବଳ ବର୍ଷା ଓ ଉପରମୁଣ୍ଡ କେନାଲ ପାଣିର ପ୍ରଭାବରେ ଖଇରା, ସିମୁଳିଆ ବ୍ଲକର ଅଧିକାଂଶ ଅଞ୍ଚଳରେ ପାଣି ପ୍ରବେଶ କରିଛି। ଉକ୍ତ ଦୁଇ ବ୍ଲକର ବନ୍ୟା ସ୍ଥିତିକୁ ଲକ୍ଷ୍ୟ କରି ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।

Post a Comment

Previous Post Next Post