ଜଳେଶ୍ୱର ୩/୮:(ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ସହର ମଧ୍ୟଦେଇ ଖଡଗପୁର-ଭୂବନେଶ୍ୱର ରେଳପଥ ଅତିକ୍ରମ କରିଥିବାରୁ ସେଠାରେ ୪୫ନଂ ରେଳ ଲେଭେଲ କ୍ରସିଂ ଠାରେ ଏକ ଉଡନ୍ତା ପୋଲ ନିର୍ମାଣକାର୍ଯ୍ୟ ଶେଷ ପର୍ଯ୍ୟାୟରେ । କିନ୍ତୁ ଏହି ପୋଲ ନିର୍ମାଣ ଫଳରେ ଜଳେଶ୍ୱର ସହରର ବିଭିନ୍ନ କାର୍ଯ୍ୟାଳୟ ଥିବା ଶାନ୍ତିଆକୁ ଯାତାୟାତ ଲାଗି ରାସ୍ତା ନ ଥିବାରୁ ଏହି ଓଭରବ୍ରିତ୍ଠାରୁ ତଳକୁ ଓହ୍ଲାଇବାଲାଗି ଏକ ପାଦଚଲା ରାସ୍ତା ନିର୍ମାଣ ଲାଗି ଆଜି ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।
ଜଳେଶ୍ୱରର ବଡବଜାରଠାରୁ ନୂଆବଜାରଯାଏ ରେଳ ଉଡନ୍ତି ପୋଲ ନିର୍ମାଣ କାର୍ଯ୍ୟ ୨୦୧୮ ମସିହାରୁ ଆରମ୍ଭ ହୋଇଥିବା ବେଳେ ଚଳିତବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ ବୋଲି କୁହାଯାଇଛି । କିନ୍ତୁ ବଡବଜାର ଓ ନୂଆବଜାର ଅଂଚଳରୁ ଶାନ୍ତିଆକୁ ଯାତାୟାତ ଲାଗି ରାମକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟଠାରୁ ରାସ୍ତା ରହିଛି । ଲେଭେଲକ୍ରସିଂଠାରେ ବନ୍ଦ ହେବାକୁ ଥିବାରୁ ଶାନ୍ତିଆକୁ ଯାତାୟାତ ଲାଗି କୌଣସି ରାସ୍ତା ନାହିଁ । କିନ୍ତୁ ଶାନ୍ତିଆରେ ରାମକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ, ଶ୍ରୀଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜଗନ୍ନାଥ ଡିଗ୍ରୀ କଲେଜ, ପିଏଚ୍ଡି ଅଫିସ୍, କୃଷି ଅଫିସ୍, ଉଦ୍ୟାନ ଅଫିସ୍, ବ୍ଲକ ଅଫିସ୍, ଦମକଳ କେନ୍ଦ୍ର, ଏସ୍ଡିପିଓ ଅଫିସ୍, ବିଏସ୍ଏନ୍ ଅଫିସ୍, ଓମ୍ଫେଡ ଚିଲିଂ ପ୍ଲାଣ୍ଟ, ଶାନ୍ତିଆ ଏମ୍.ଇ ଓ ହାଇସ୍କୁଲ, ଷ୍ଟାଡିୟମ, ଇଶ୍ୱରଲାଲ ଗାନ୍ଧି ସେବାଶ୍ରମ, ବନବିଭାଗ ଅଫିସ୍ ଇତ୍ୟାଦି ରହିଥିବାରୁ ପାଦଚଲା ରାସ୍ତା ନ ରହିଲେ ଅଫିସର ଓ ଜନସାଧାରଣଙ୍କ ଯାତାୟାତରେ ବାଧାପ୍ରାପ୍ତ ହେବ । ତେଣୁ ଏକ ପାଦଚଲା ରାସ୍ତା ନିର୍ମାଣ ଲାଗି ସେ ଅଂଚଳର କୁମାର କୃଷ୍ଣ କର, ଇଂ ଅକ୍ଷୟ କୁମାର କର, କଳ୍ପିତା ରାଣୀ ସାହୁ, ପ୍ରଦୀପ କୁମାର ପ୍ରଧାନ, ଅଶୋକ ଜେନା, ଜତିନ୍ଦ୍ରନାଥ ଦାସ, ଦେବଦୁଲାଲ ଦାସ, ପ୍ରମିଳା ଦାସ, ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ସୁବ୍ରତ ବେରା, ରଂଜନ କୁମାର ଘୋଷ, ଜ୍ୟୋସ୍ନାରାଣୀ ଘୋଷ ପ୍ରମୁଖ ଶତାଧିକ ବ୍ୟକ୍ତି ଜିଲାପାଳଙ୍କୁ ଜଣାଇବା ସହିତ ପୁର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଲିଖିତଭାବେ ଜଣାଇଛନ୍ତି । ଉଡନ୍ତା ପୋଲର ୯ଓ୧୦ନଂ ପିଲର ଠାରେ ଏହି ପାଦଚଲା ରାସ୍ତାଲାଗି ଦାବି କରାଯାଇଛି ।
Post a Comment