ବ୍ୟବସ୍ଥିତ ସାହିତ୍ୟାନୁଶୀଳନ ଓ ଅଧିସମୀକ୍ଷା ଶୀର୍ଷକ ଜାତୀୟ କର୍ମଶାଳା ଉଦ୍‌ଯାପିତ

ବାଲେଶ୍ବର,୪/୮(ଲକ୍ଷ୍ମୀଧର ବାରିକ) ଫକୀରମୋହନ ବିଶ୍ବବିଦ୍ୟାଳୟର ମାନବ ସମ୍ବଳ ବିକାଶ କେନ୍ଦ୍ର ଆନୁକୂଲ୍ୟରେ ‘ବ୍ୟବସ୍ଥିତ ସାହିତ୍ୟାନୁଶୀଳନ ଓ ଅଧିସମୀକ୍ଷା’ ଶୀର୍ଷକ ପଞ୍ଚ ଦିବସୀୟ ଜାତୀୟ କର୍ମଶାଳା ଆଜି ଉଦ୍‌ଯାପିତ ହୋଇଯାଇଛି। ଏହି କର୍ମଶାଳାରେ ବିଶ୍ବବିଦ୍ୟାଳୟ ସମେତ ଉତ୍କଳ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ବବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ, ସ୍ବାମୀ ବିବେକାନନ୍ଦ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ପ୍ରତିଷ୍ଠାନ, ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ବିଶ୍ବବିଦ୍ୟାଳୟ ଆଦି ଅନୁଷ୍ଠାନ ତଥା ଗବେଷଣା ପ୍ରତିଷ୍ଠାନ ଗୁଡ଼ିକରୁ ଉଭୟ ଆଭାସୀ ମାଧ୍ୟମରେ ଓ ପ୍ରତ୍ୟକ୍ଷ ଭାବରେ ୪୦ରୁ ଅଧିକ ଗବେଷକ ଓ ଅଧ୍ୟାପକ ଅଧ୍ୟାପିକାବୃନ୍ଦ ଅଂଶଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଗବେଷକଟି ତଥ୍ୟ ଚୋରି ନ କରି ତଥ୍ୟ ବିକଶିତ କରିଥିବା ମୂଳ ଗବେଷକଙ୍କୁ କୃତଜ୍ଞତା ଦେଇ ତଥ୍ୟ ବିଶ୍ଳେଷଣ କରିବା ଦିଗରେ ଧ୍ୟାନ ଦେବା ଉଚିତ ବୋଲି ପ୍ରକାଶ କରିଥିଲେ। ବିବିନ୍ନ ପ୍ରକାରର ସଫ୍ଟୱେର୍ ବ୍ୟବହାର କରି ଗବେଷଣାତ୍ମକ ପ୍ରବନ୍ଧ ପ୍ରକାଶନ ତଥା ସମୀକ୍ଷା ପ୍ରସ୍ତୁତ କରିବାର ବିଭିନ୍ନ ଦିଗ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିବା ହେତୁ ଗୁଣାତ୍ମକ ଓ ମୂଲ୍ୟବୋଧଯୁକ୍ତ ଗବେଷଣା କ୍ଷେତ୍ରରେ ଏହି କର୍ମଶାଳାଟି ଉପାଦେୟ ସାବ୍ୟସ୍ତ ହୋଇପାରିଛି ବୋଲି ବିଶ୍ବବିଦ୍ୟାଳୟର ମାନବ ସମ୍ବଳ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ମନୋରଞ୍ଜନ ମିଶ୍ର ମତ ଦେଇଥିଲେ। ଆଇଆଇଟି ଖଡ଼ଗପୁରର ଅଧ୍ୟାପକ ଡ. ମଣ୍ଟୁ କୁମାର ମହାଳିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଚିକିତ୍ସା ବିଜ୍ଞାନ, ସମାଜ ବିଜ୍ଞାନ ସମେତ ଅନ୍ୟାନ୍ୟ ବିଷୟର ଗବେଷକ ଗବେଷିକାଙ୍କ ପାଇଁ ଏହି କର୍ମଶାଳା ଉପାଦେୟ ଓ ଶିକ୍ଷଣୀୟ ହୋଇଛି ବୋଲି ମତ ଦେଇଥିଲେ। ମାନବ ସମ୍ବଳ ବିକାଶ କେନ୍ଦ୍ରର ଉପାଧ୍ୟକ୍ଷ ଡ. ଦେବଦତ୍ତ ଦାସ କର୍ମଶାଳାର ବିବରଣୀ ଉପସ୍ଥାପନ କରିଥିଲେ ଏବଂ ଡ. ପ୍ରହ୍ଲାଦ ଖିଲାର କୃତଜ୍ଞତା ଜ୍ଞାପନ କରିଥିଲେ।

Post a Comment

Previous Post Next Post