ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜୀବନଜୀବିକା ସୁରକ୍ଷା ସଂଯୁକ୍ତ ଗଣ ପରିଷଦର ବିକ୍ଷୋଭ


ବାଲେଶ୍ୱର, ୨୧/୭(ଲକ୍ଷ୍ମୀଧର ବାରିକ): ଜୀବନଜୀବିକା ସୁରକ୍ଷା ସଂଯୁକ୍ତ ଗଣ ପରିଷଦ ନେତୃତ୍ୱରେ ବାଲେଶ୍ବର ଜିଲ୍ଲାର ସହସ୍ରାଧିକ କାଠ କାରିଗର, ସାଧାରଣ ଚାଷୀ, ବନ୍ଦ କରାଯାଇଥିବା ଗ୍ରାମୀଣ କରତ କଳର ଶ୍ରମିକ, ରାଜମିସ୍ତ୍ରୀ, କାଠ ସାମଗ୍ରୀ ସହ ଜଡ଼ିତ ବିଭିନ୍ନ ବର୍ଗର ବ୍ୟବସାୟୀ ଶୁକ୍ରବାର ଦିନ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ବାଲେଶ୍ୱର ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରିଷଦର ସଭାପତି ମଣିଭଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏହି ବିକ୍ଷୋଭ ସମାବେଶ ସ୍ଥଳରେ ସାଧାରଣ ସଂପାଦକ ପ୍ରବୋଧ କୁମାର ପରିଡ଼ା ବିକ୍ଷୋଭକାରୀଙ୍କୁ ଅଭିନନ୍ଦନ ଜଣାଇ ଦାବି ପ୍ରସ୍ତାବ ପାଠ କରିଥିଲେ । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଭିତ୍ତି କରି ରାଜ୍ୟ ସରକାର ବାଲେଶ୍ୱର ଜିଲ୍ଲାର ସଦର ମହକୁମା ନିକଟରେ ଗୋଟିଏ ପ୍ରାନ୍ତରରେ ସୋମନାଥପୁର ଶିଳ୍ପାଞ୍ଚଳରେ ୬ଟି ଓ ବାହାନଗା ବ୍ଲକ୍ ଅଧିନସ୍ଥ ପଣପଣା ଶିଳ୍ପାଞ୍ଚଳରେ ୨ଟି ଲାଇସେନ୍ସ ପ୍ରାପ୍ତ କରତକଳ କାର୍ଯ୍ୟକ୍ଷମ କରାଇଥିଲେ । ମାତ୍ର ୧୬୦ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଜିଲ୍ଲାର ଗୋଟିଏ ପ୍ରାନ୍ତରରୁ ଅନ୍ୟ ପ୍ରାନ୍ତରକୁ ଯିବା ଆସିବା କରି କାଠ କାଟିବାରେ ନାହିଁ ନଥିବା ଦୁର୍ଦ୍ଦଶାରେ ସାଧାରଣ ଚାଷୀମାନଙ୍କ ଠାରୁ ଆରମ୍ଭକରି ବର୍ଷ ବର୍ଷ ଧରି ପାରମ୍ପରିକ ଜୀବନଯାତ୍ରାରେ ଜଡ଼ିତ କାଠ କାରିଗରମାନେ ଅସହାୟ ହୋଇପଡ଼ିଛନ୍ତି । ଏହାଦ୍ୱାରା ଆମ ଜିଲ୍ଲାର ସମସ୍ତ ଶ୍ରେଣୀର ଜନସାଧାରଣ ଦହଗଞ୍ଜ ହେଉଅଛନ୍ତି । ଏଣୁ ଜିଲ୍ଲାର କାଠର ଆବଶ୍ୟକତାକୁ ମେଣ୍ଟାଇବାକୁ ଯାଇ ଗ୍ରାମାଞ୍ଚଳମାନଙ୍କରେ କରତକଳ ସବୁ ବିନା ଲାଇସେନ୍‌ସ୍‌ରେ ଗଢ଼ିଉଠିଛି । ଏହି ସମସ୍ୟାର ସମାଧାନ ପାଇଁ ବ୍ଲକ୍ ଅଞ୍ଚଳରେ ଥିବା ଅଣଲାଇସେନ୍‌ସ୍ କରତକଳକୁ ଲାଇସେନ୍‌ସ୍ ପ୍ରଦାନ କରି କାର୍ଯ୍ୟକ୍ଷମ କରିବା ପାଇଁ ଶ୍ରୀ ପରିଡ଼ା ଦାବି କରିଥିଲେ।ଚାଷୀଟିଏ ନିଜ ବାଡ଼ିରେ ଥିବା ପରିପକ୍ୱ ଗଛଟିକୁ କାଟିବା କ୍ଷେତ୍ରରେ ପ୍ରଚଳିତ ଜଟିଳ ପର୍ଯ୍ୟାୟଗୁଡ଼ିକୁ ଅତିକ୍ରମ କରିବା କାଠିକର ପାଠ ହେଉଛି । ତେଣୁ ନିଜ ବାପ, ଗୋସଁବାପ ଅମଳର ଗଛଟିକୁ କାଟି ନିଜ ଦରକାରରେ ଲଗାଇବା କିମ୍ବା ଗରଜ ମେଣ୍ଟାଇବାକୁ ବିକିଲାବେଳେ ସେହି କାଠ ଜଙ୍ଗଲ ବିଭାଗର ଅନୁମତି ନଥିବା ହେତୁ ଚୋରାକାଠର ଆଖ୍ୟା ପାଉଛି । ଏଣୁ ଏ ବାବଦରେ ସରଳ ନିୟମ ପ୍ରଣୟନ କରିବାକୁ ସେ ସରକାରଙ୍କୁ ଅନୁରୋଧ କରିଥିଲେ । ଅଗଣିତ ଚାଷୀମୂଲିଆ ଅତ୍ୟାବଶ୍ୟକ ପରିସ୍ଥିତିରେ ନିଜ ବାଡ଼ିରେ ଥିବା ଗଛଟିକୁ ଏକ ସମ୍ପତ୍ତି ବିବେଚନା କରି ବିକ୍ରି କରିବାକୁ ବାଧ୍ୟ ହୋଇଥାଏ । ମାତ୍ର ନିଜ ଅଞ୍ଚଳରେ କରତକଳ ଚାଲୁନଥିବାରୁ ସେହି ଗଛଗୁଡ଼ିକର ଅଭାବି ବିକ୍ରି ହେଉଛି । କାରଣ ପଶ୍ଚିମବଙ୍ଗର ସବୁ ପଞ୍ଚାୟତରେ କରତକଳ ଚାଲୁଥିବାରୁ ସେଠାକାର ବ୍ୟବସାୟୀମାନେ ସେହି ଗଛଗୁଡ଼ିକୁ ଅତି ଶସ୍ତାରେ କିଣିନେଇ ତାଙ୍କ ରାଜ୍ୟର କାରିଗରମାନଙ୍କ ଦ୍ୱାରା କାଠ ଉପକରଣମାନ ତିଆରି କରି ଚଢ଼ା ଦରରେ ବିକ୍ରି କରୁଛନ୍ତି । ଏଥିପାଇଁ କାଠ କାରିଗର, ଗଛ ମାଲିକ, କାଠ ସାମଗ୍ରୀ ସହ ଜଡ଼ିତ ସମସ୍ତ ବ୍ୟବସାୟୀ ଓ ଶ୍ରମିକମାନଙ୍କ ଜୀବିକା ବିପର୍ଯ୍ୟସ୍ତ ହୋଇଯାଇଛି । ତେଣୁ ଘରବାଡ଼ିରେ ଥିବା ପରିପକ୍ୱ ଗଛଗୁଡ଼ିକୁ ସରକାର ବନନିଗମ ମାଧ୍ୟମରେ ସରକାରୀ ଦରରେ କିଣିଲେ ଲୋକେ ତାର ପ୍ରକୃତ ମୂଲ୍ୟ ପାଇପାରିବେ ଓ ଗୋଟିଏ ଗଛ ବିକିଲେ ଦୁଇଟି ଗଛ ଲଗାଇବା ପ୍ରତି ଆଗ୍ରହ ପ୍ରକାଶ କରିବେ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ । ପୃଥିବୀକୁ ପ୍ଲାଷ୍ଟିକ୍ ରୂପକ ରାକ୍ଷସ କବଳରୁ ରକ୍ଷା କରିବାକୁ ହେଲେ କାଠର ବ୍ୟବହାର ପାଇଁ ସରଳ ନିୟମ ପ୍ରଣୟନ ହେବା ପାଇଁ ସେମାନେ ଦାବି କରିଥିଲେ । ଗୋଟିଏ ଗଛ କାଟିଲେ ପୁନଶ୍ଚ ଅଧିକ ଗଛ ଲଗାଇବାର ସୁଯୋଗ ସୃଷ୍ଟି ହୋଇଥାଏ । ତେଣୁ ସରକାର ମାଲେସିୟା, ଘାନା, ନାଇଜେରିଆ ପ୍ରଭୃତି ଦେଶରୁ କାଠ ଆମଦାନୀ କରି ରାଜ୍ୟବାସୀଙ୍କୁ ଯୋଗାଇଲେ ରାଜ୍ୟର ହଜାର ହଜାର କୁଶଳୀ କାରିଗର ଆଉ ବାହାର ରାଜ୍ୟକୁ ଦାଦନ ଖଟିବାକୁ ନଯାଇ ନିଜ ଜନ୍ମମାଟିରେ ବିଭିନ୍ନ ପ୍ରକାର କାଠ ଉପକରଣ ତିଆରି କରି ବାହାର ରାଜ୍ୟକୁ ଯୋଗାଇ ରୋଜଗାରକ୍ଷମ ହୋଇପାରିବେ ଓ ହଜାର ହଜାର ବେକାର ଯୁବକଙ୍କୁ କର୍ମନିଯୁକ୍ତି ଦେଇପାରିବେ । ତେଣୁ ସରକାର ବୃକ୍ଷରୋପଣ ଓ କାଠର ବ୍ୟବହାର ଉପରେ ଆନ୍ତରିକତା ସୃଷ୍ଟି ଅତ୍ୟନ୍ତ ଜରୁରୀ ବୋଲି ବହୁ ବିଶିଷ୍ଟ ବକ୍ତା ମତ ଦେଇଥିଲେ । ସମାବେଶ ସ୍ଥଳରେ ବିକ୍ଷୋଭକାରୀମାନଙ୍କୁ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ଏଆଇଟିୟୁସିର ଜିଲ୍ଲା ସଭାପତି ଭାଗବତ ପ୍ରତିହାରୀ, ସିଆଇଟିୟୁ ନେତା ପ୍ରେମରଞ୍ଜନ ପାତ୍ର, ବିଏମ୍‌ଏସ୍‌ର ଯୁବନେତା ଅଭିଷେକ ନାୟକ, ଶ୍ରମିକନେତା ମାୟାଧର ନାୟକ, ସମାଜସେବୀ ବିଧାନ ଚନ୍ଦ୍ର ରାୟ, ଓକିଲ ସଂଘ ସଭାପତି ମନୋଜ ନାୟକ, ସିଭିଲ୍ ସୋସାଇଟି ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ ଓ ସାମାଜିକ କର୍ମୀ ତା ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ କାଠଶିଳ୍ପର ସଂପର୍କିତ ସମସ୍ତ ବର୍ଗର ଶ୍ରମଜୀବୀଙ୍କ ସ୍ୱାର୍ଥ ପାଇଁ ରାଜ୍ୟ ସରକାର ନିଷ୍ପତ୍ତିର ପରିବର୍ତ୍ତନ ପାଇଁ ଦାବି କରିଥିଲେ ।ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ ଦଫାର ଦାବିପତ୍ର ପ୍ରଦାନ କରିଥିଲେ । କାଠ କାରିଗର ସଂଘର ଜିଲ୍ଲା ସଂପାଦକ ସେକ୍ ମନସୁର ଅଲ୍ଲୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଶୋଭାଯାତ୍ରା ପରିଚାଳନାରେ କମଳଲୋଚନ ପରିଡ଼ା, ପ୍ରବୋଧ ମହାନ୍ତି, ପର୍ଶୁରାମ ମହାରଣା, ଅନିରୁଦ୍ଧ ସେନାପତି, ବିଜୟ ମହାପାତ୍ର, ଦୀନବନ୍ଧୁ ରଣା, ମନୋରଞ୍ଜନ ପଣ୍ଡା, ଦେବପ୍ରସାଦ ଭୂୟାଁ, ରଘୁନାଥ ମହାନ୍ତି ଓ ଶ୍ରମିକନେତା ଶ୍ୟାମସୁନ୍ଦର ଜେନା ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ ।

Post a Comment

Previous Post Next Post