ଛତୁଆ ପ୍ରକଳ୍ପ ଦୁର୍ନୀତି ଖବର ପ୍ରସାରଣ ପରେ ଛତୁଆ ତିଆରି ମେସିନ ବସିଲା


ଜଳେଶ୍ୱର, ୨୦/୦୭ (ଜଗନ୍ନାଥ ଗୋଛାୟତ) ବାଲେଶ୍ୱର ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ଛତୁଆ ତିଆରି ପ୍ରକଳ୍ପ ଗୁଡିକର ଅସଲ ରୂପ ଧିରେଧିରେ ପ୍ରକାଶ ପାଇବାରେ ଲାଗିଛି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀଙ୍କ ଅବସର ସମୟ ଆଉ ମାସେ ଥିବା ବେଳେ ବିଭିନ୍ନ ବ୍ଲକର ସିଡିପିଓ ମାନଙ୍କ ଦ୍ୱାରା ଛତୁଆ ପ୍ରକଳ୍ପ ଗୁଡିକୁ ବେନିୟମ ଭାବେ ପରିବର୍ତନ କରି ଅର୍ଥ ଉପାର୍ଜ୍ଜନ କରିଥିବାର ଅଭିଯୋଗର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ପରେ ଜଳେଶ୍ୱର ବ୍ଲକର ଖୁଆଡ ଏସ୍.ଏଚ୍.ଜି ମହିଳା ଗୃପ ମାଆ କମଳାର ଛତୁଆ ପ୍ରକଳ୍ପ ଗୋଦାମ ଘରେ ଗହମ ଭାଜିବା ମେସିନ ୨୦ତାରିଖ ଗୁରୁବାର ଦିନ ମିସ୍ତ୍ରୀମାନଙ୍କ ଦ୍ୱାରା ତରବରିଆ ଭାବେ ବସାଇବା କାର୍ଯ୍ୟ ଚାଲିଥିବାର ଦେଖିବାକୁ ମିଳିଛି । ମାଆ କମଳା ଗୃପ ଦୀର୍ଘ ଦିନ ଧରି ବଜାରରୁ ଛତୁଆ କିଣିଆଣି ବଣ୍ଟନ କରୁଥିବାର ଅଭିଯୋଗକୁ ସିଡିପିଓ ଖଣ୍ଡନ କରୁଥିବା ବେଳେ ଏବେ ମେସିନ ବସାଇବା ଦ୍ୱାରା ଗୁମର ଫିଟିବାରେ ଲାଗିଛି । ବାଲେଶ୍ୱର ଜିଲ୍ଲାର ସମସ୍ତ ଛତୁଆ ତିଆରି ପ୍ରକଳ୍ପ ଗୁଡିକ ଜନୈକ ଛତୁଆ ଦଲାଲ ମାରୁଆଡି ବ୍ୟବସାୟୀଙ୍କ ଦ୍ୱାରା ପରିଚାଳିତ ହେଉଛି ବୋଲି ଛତୁଆ ପ୍ରକଳ୍ପରେ ରହିଥିବା ଏସ୍.ଏଚ୍.ଜି ମହିଳା ମାନେ ଅଭିଯୋଗ ଆଣିଛନ୍ତି । ଉକ୍ତ ମାରୁଆଡିଙ୍କ ଦ୍ୱାରା ଏହି ମେସିନ ବସାଯାଉଛି ବୋଲି ମିସ୍ତ୍ରୀମାନେ ପ୍ରକାଶ କରିଛନ୍ତି । ବର୍ଷର ବିଭିନ୍ନ ସମୟରେ ହଠାତ୍ ପ୍ରକଳ୍ପ ଗୁଡିକୁ ଗୋଟିଏ ଗୃପରୁ ଅନ୍ୟ ଗୃପକୁ ପ୍ରଦାନ କରାଯାଉଛି ଫଳରେ ପ୍ରକଳ୍ପ କରୁଥିବା ମହିଳା ମାନେ ଅଯଥାରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚରେ ପଡିବା ସହିତ ଏହି ପ୍ରକଳ୍ପରେ ଲଗାଇଥିବା ଅର୍ଥ ବୁଡିଯାଉଛି । ସରକାର ମହିଳା ମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ବିଭିନ୍ନ ପ୍ରକଳ୍ପ ଦେଉଥିବା ବେଳେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଓ ମାରୁଆଡି ବ୍ୟବସାୟୀଙ୍କ ସଲାସୁତୁରାରେ ନିଜର ଫାଇଦା ପାଇଁ ଏସ୍.ଏଚ୍.ଜି ମହିଳା ମାନଙ୍କୁ ଶୋଷଣ କରାଯାଉଛି ବୋଲି ଅଭିଯୋଗ ହୋଇଆସୁଛି । ଏହାର ଦୃଷ୍ଟାନ୍ତ ଜଳେଶ୍ୱର ବ୍ଲକରେ ନଶ୍ଚିମପୁର ପଂଚାୟତର କଲ୍ୟାଣମୟୀ ଏସ୍.ଏଚ୍.ଜି ଦ୍ୱାରା ଛତୁଆ ତିଆରି ପ୍ରକଳ୍ପ ଚାଲିଥିଲା ବେଳେ ହଠାତ୍ କୈାଣସୀ ଅସୁବିଧା ନ ଥାଇ ଡି.ଏସ୍.ଡବ୍ଲ୍ୟୁ ଓ ଜଳେଶ୍ୱର ସି.ଡି.ପି.ଓ ଚଂଚକତା କରି ଜଳେଶ୍ୱର ବ୍ଲକର କଲ୍ୟାଣମୟୀ ଏସ୍.ଏଚ୍.ଜି ଠାରୁ ଛତୁଆ ପ୍ରକଳ୍ପ ଛଡାଇ ନେଇ ବସ୍ତା ବ୍ଲକର ଅଭିରାମ ଓ ସତ୍ୟସାଇ ଏସ୍.ଏଚ୍.ଜିକୁ ଜଳେଶ୍ୱର ବ୍ଲକ ଓ ପୈାରାଂଚଳର ଛତୁଆ ବଣ୍ଟନ କରିବାର ଦାୟିତ୍ୱ ପ୍ରଦାନ କରିଥିଲେ । କିନ୍ତୁ ଏଥିନେଇ କଲ୍ୟାଣମୟୀ ଏସ୍.ଏଚ୍.ଜି କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ପରେ କୋର୍ଟ ଜଳେଶ୍ୱରରେ ଥିବା କୈାଣସୀ ଏକ ଏସ୍.ଏଚ୍.ଜିକୁ କାର୍ଯ୍ୟ ଦେବା ପାଇଁ ନିଦେ୍ଦର୍ଶ ଦେବା ପରେ କୋର୍ଟକୁ ଭ୍ରମିତ କରିବା ପାଇଁ ପୁଣି ଚଂଚକତା କରି ନୂତନ ଭାବେ ମାଆ କମଳା ନାମକ ଏସ୍.ଏଚ୍.ଜିକୁ ଛତୁଆ ତିଆରି ପାଇଁ ଆଦେଶ ଦେଇଦେଲେ । ଯେଉଁ ନୂତନ ଏସ୍.ଏଚ୍.ଜି ପାଖରେ ନା ଅଛି କୈାଣସୀ ମେସିନ ଯନ୍ତ୍ରପାତି ନା ଲୋକବଳ । ତେଣୁ ସେମାନେ ବଜାରରୁ ଛତୁଆ କିଣି ଜଳେଶ୍ୱର ବ୍ଲକ ଓ ପୈାରାଂଚଳରେ ବଣ୍ଟନ କରୁଛନ୍ତି । ଯାହାକି ଶିଶୁ ଓ ପ୍ରସୁତୀ ମହିଳା ମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି । ଏବିଷୟରେ ଜଳେଶ୍ୱର ସି.ଡି.ପି.ଓଙ୍କୁ ସାମ୍ବାଦିକ ମାନେ ପ୍ରଶ୍ନ କରିବାରୁ ପ୍ରଥମେ ବଜାରରୁ ଛତୁଆ କିଣିବା କଥା ମାନିଥିବା ବେଳେ ପରବର୍ତୀ ସମୟରେ ନିଜେ ତିଆରି କରିବା କଥା କହୁଥିବାର ଦେଖିବାକୁ ମିଳିଛି । ପ୍ରତିମାସ ନୂତନ ଏସ୍.ଏଚ୍.ଜି ଦ୍ୱାରା ଛତୁଆ ତିଆରି ହେବା ଓ ଗୁଳାଇବା ସମୟରେ ଉପସ୍ଥିତ ରହିଥିବାର ମିଛ ରିପୋର୍ଟ ସରକାରଙ୍କୁ ପ୍ରଦାନ କରି ଛତୁଆ ପ୍ରକଳ୍ପ କରିଥିବା ଏସ୍.ଏଚ୍.ଜି ମାନଙ୍କ ପାଖରୁ ଅର୍ଥ ଶୋଷଣ କରୁଥିବାର ଅଭିଯୋଗ ଆସୁଛି । ଏ ବିଷୟରେ ସମାଜ ମଙ୍ଗଳ ବିଭାଗ ସଚିବ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ, ଜିଲ୍ଲାପାଳ ଓ ଜଳେଶ୍ୱର ବିଡିଓ ତୁରନ୍ତ ପଦକ୍ଷେପ ନ ନେଲେ ଆସନ୍ତା ସପ୍ତାହରେ ପୁରୁଣା ଛତୁଆ ପ୍ରକଳ୍ପରେ କାର୍ଯ୍ୟକରୁଥିବା ମହିଳାମାନେ ଜଳେଶ୍ୱର ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବେ ବେଲି ଚେତାବନୀ ଦେଇଛନ୍ତି ।

Post a Comment

Previous Post Next Post