ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌

ବାଲେଶ୍ଵର, ୨୨/୭(ଲକ୍ଷ୍ମୀଧର ବାରିକ) ବାଲେଶ୍ବର ପୋକ୍‌ସୋ ଅଦାଲତର ସ୍ବତନ୍ତ୍ର ବିଚାରପତି ରଞ୍ଜନ କୁମାର ସୂତାର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀ ସୁବାସ ମଲ୍ଲିକକୁ ୨୦ ବର୍ଷ ଜେଲଦଣ୍ତ ସହ ୪ ହଜାର ଟଙ୍କା ଜରିମାନା କରିଛନ୍ତି। ଏଥିସହିତ ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୨ ବର୍ଷ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି। ୨୦୨୨ ମସିହା ମେ ୧୮ ତାରିଖରେ ସମୁଳିଆ ଥାନା ଅଞ୍ଚଳରେ ଜଣେ ୧୩ ବର୍ଷର ନାବାଳିକାଙ୍କୁ ତିହିଡ଼ି ଥାନା ଅଞ୍ଚଳର ସୁବାସ ମଲ୍ଲିକ ଅପହରଣ କରି ଦୁଷ୍କର୍ମ କରିଥିବା ନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ଥାନା କେସ୍ ନଂ ୧୬/୨୨ରେ ମାମଲା ରୁଜୁ ହୋଇଥିବାବେଳେ ସୁବାସକୁ ଗିରଫ କରି କୋର୍ଟଚାଲାଣ କରିଥିଲା ପୁଲିସ। ପରେ ଏହି ମାମଲା ବାଲେଶ୍ବର ସ୍ବତନ୍ତ୍ର ପୋକ୍‌ସୋ ଅଦାଲତରେ ବିଚାରାଧୀନ ଥିଲା। ୧୫ ଜଣ ସାକ୍ଷୀ ଓ ୧୮ଟି ଦଲିଲ୍‌ ଦସ୍ତାବିଜକୁ ଆଧାର କରି ଆଜି ଅପରାହ୍ନଣରେ ବିଚାରପତି ଶ୍ରୀ ସୂତାର ଚୂଡ଼ାନ୍ତ ଶୁଣାଣି କରି ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ପୋକ୍‌ସୋ ଆଇନ୍‌ ଧାରା ୬ରେ ସୁବାସକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ଜେଲଦଣ୍ତ ସହ ୪ ହଜାର ଟଙ୍କା ଜରିମାନା କରିଛନ୍ତି। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଣବ କୁମାର ପଣ୍ତା ମାମଲା ପରିଚାଳନା କରୁଥିଲେ।

Post a Comment

Previous Post Next Post