ବେଳପଡା ଗାଁ କଂକ୍ରିଟ ରାସ୍ତା ମଝିରେ ଅଣ୍ଡରଗ୍ରାଉଣ୍ଡ ଡ୍ରେନ


ଭବାନୀପାଟଣା ୨୭/୦୬ (ଶ୍ୟାମସୁନ୍ଦର ମାଝୀ) ବିଲେଇ ଆଖିବୁଜି କ୍ଷୀର ପିଇଲେ ବି ଧର୍ମକୁ ଅଗୋଚର ନ ଥାଏ’ ! ଏହାର ନିଚ୍ଛକ ପ୍ରମାଣ ମିଳିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ବୋରଭଟା ଗ୍ରାମପଞ୍ଚାୟତର ବେଳପଡା ଗ୍ରାମରେ। ଗାଁରେ କାଦୁଅ ପଚପଚ ରାସ୍ତା ଯୋଗୁଁ ବର୍ଷ ତମାମ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଥିଲେ। ବାରମ୍ବାର ନୂଆ ପକ୍କା ରାସ୍ତା ନିର୍ମାଣ ଦାବି କରି ଆସୁଥିଲେ। ଭବାନୀପାଟଣା ବ୍ଲକ ପକ୍ଷରୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୭ଲକ୍ଷ ଅନୁଦାନ ବ୍ୟୟରେ ଏକ କଂକ୍ରିଟ ରାସ୍ତା ଓ ଡ୍ରେନ ନିର୍ମାଣ ମଞ୍ଜୁର ହୋଇଥିଲା। ଯାହାକି ବ୍ଲକର ରେକର୍ଡ ମୁତାବକ ଗତ ଫେବୃଆରୀ ମାସରେ ନିର୍ମାଣ ହୋଇଥିବା ବେଳେ ମର୍ଚ୍ଚରେ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶା ଯାଇଛି। ମାତ୍ର ତାହା କେବଳ କାଗଜ ପତ୍ରରେ ସୀମିତ ରହିଥିଲା। ବର୍ତ୍ତମାନ ବର୍ଷା ଋତୁ ଆରମ୍ଭ ହୋଇଥିବାରୁ ପୂର୍ବରୁ ସମ୍ପୂର୍ଣ୍ଣ ଦେଖାଯାଇଥିବା କାମକୁ ତରବରିଆ ଭାବେ କରାଯାଉଥିବା ଦେଖିବାକୁ ମିଳିଛି। କେବଳ ସେତିକି ନୁହଁ ନିର୍ମାଣଧିନ ରାସ୍ତା କାମକୁ ଦେଖି ଲୋକେ ଏବେଠୁ ନାକ ଟେକିବା ଆରମ୍ଭ କରିଛନ୍ତି। ରାସ୍ତା ମଝିରେ ଡ୍ରେନ ନିର୍ମାଣ କରାଯାଇଥିବା ବେଳେ ସଫା କରିବାକୁ ମଝିରେ କେବଳ ଢ଼ାଙ୍କୁଣି ରହିଛି। ଏହା ସହ ଡ୍ରେନ ଭିତରକୁ ବର୍ଷା ପାଣି ଯିବା ପାଇଁ ରାସ୍ତା ମଝିରେ ହୋଇଥିବା ଡ୍ରେନ ଉପରେ ଛୋଟଛୋଟ ଗାତ ଛଡା ଯାଇଛି। ରାସ୍ତା ନିର୍ମାଣ ଶୈଳୀ ଦେଖିଲେ କୌଣସି ମହାନଗରରେ ହେଉଥିବା ଅଣ୍ଡରଗ୍ରାଉଣ୍ଡ ଡ୍ରେନେଜ ଭଳି ମନେ ହେଉଛି। ମାତ୍ର ବେଳପଡାର ଏହି ଡ୍ରେନ ଗୋଟିଏ ବର୍ଷାରେ ଧଶିଯିବ ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ଅତ୍ୟନ୍ତ ନିମ୍ନ ଗ୍ରେଡ଼ ସିମେଣ୍ଟ ଓ ମେଟାଲ୍ ବ୍ୟବହାର କରିବା ସହିତ ମାତ୍ର ଏକ ଇଞ୍ଚ୍ ମୋଟେଇର ଗୋଟିଏ କଂକ୍ରିଟ ରାସ୍ତା ମଝିରେ ଡ୍ରେନ ନିର୍ମାଣ କରାଯାଉଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ପ୍ରାକ ମୌସୁମୀ ବର୍ଷା ହେଉଥିବା ବେଳେ ରାସ୍ତା ଅବସ୍ଥା ଦେଖିଲେ ତାହାର ସ୍ଥାୟୀତ୍ୱ ସହଜେ ଅନୁମେୟ। ଅପରପକ୍ଷେ ସେହି ସମାନ ରାସ୍ତାକୁ ପଞ୍ଚଦଶ ଅର୍ଥ କମିଶନ ଅନୁଦାନରେ ଚଳିତ ୨୦୨୩-୨୪ ଆର୍ଥିକ ବର୍ଷରେ ପୁନଃ ୩ଲକ୍ଷର ଅନୁଦାନରେ ଡ୍ରେନ ନିର୍ମାଣ କାର୍ଯ୍ୟାଦେଶ ହୋଇଛି। ବୋରଭଟା ଗାଁରୁ ପ୍ରଧାନମନ୍ତ୍ରୀ ସଡକ ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ କରାଯାଉଥିବା ମଧ୍ୟ କୁହାଯାଉଛି। ଦୁଇଟି ପୃଥକ କାମକୁ ଏକକାଳୀନ କରାଯାଉଥିବା ବେଳେ ଏହି ନିର୍ମାଣ କାର୍ଯ୍ୟ ପୁଣି ଖୋଦ୍ ସେହି ପଞ୍ଚାୟତର ସରପଞ୍ଚଙ୍କ ଦ୍ୱାରା ଓ ପ୍ରତ୍ୟକ୍ଷ ଉପସ୍ଥିତିରେ ହିଁ ଚାଲିଛି। ଗ୍ରାମକୁ ରାସ୍ତା ହେଲେ ଗ୍ରାମର ବିକାଶ ହେବ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାର ସଡ଼କ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର କେତେକ ଅଧିକାରୀଙ୍କ ମନମୁଖି କାର୍ଯ୍ୟ ଯୋଗୁ ଲୋକେ ଏଥିରୁ ସୁଫଳ ପାଉନାହାନ୍ତି। ଏହି ରାସ୍ତା ନିର୍ମାଣ କାମ ତଦନ୍ତ ସାପେକ୍ଷ ଏଦିଗରେ ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବାକୁ ଗୋଲକ ବାଗ, ତ୍ରିନାଥ ଗହୀର ଓ ଅନ୍ୟ ଗ୍ରାମବାସୀ ଦାବି କରିଛନ୍ତି।

Post a Comment

Previous Post Next Post