ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫରୁ ଅଂଶୁଘାତ ପ୍ରତି ସଚେତନତା


ବଲାଙ୍ଗିର : ୨୨/୫ (ଗଣେଶ ଦାସ) ସଚେତନତାରେ ସୁରକ୍ଷା ଆମର ବାର୍ତ୍ତାକୁ ପାଥେୟ କରି ଶିଶୁ ଓ ମହିଳା ବିକାଶ ସୋସାଇଟି (ସିଡବ୍ଲୁଡିଏସ୍‌)ର ଅଧ୍ୟକ୍ଷ ତଥା ଓଡ଼ିଶା ରାଜ୍ୟ ରେଡ଼କ୍ରସ ସୋସାଇଟିର ପୂର୍ବତନ ଅବୈତନିକ   ସଚିବ ମେଜର ଡା. କଳ୍ପନା ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ଉପଖଣ୍ଡର ଟିଟିଲାଗଡ଼ ବ୍ଲକ ଓ ସଇଁନ୍ତଳା ବ୍ଲକରେ ଅଂଶୁଘାତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । କାର୍ଯ୍ୟକ୍ରମକୁ ଶିଶୁ ଓ ମହିଳା ବିକାଶ ସୋସାଇଟି ସଭ୍ୟ ତଥା ଶିକ୍ଷକ ରାମ ନାରାୟଣ ଦାଶ ସଂଯୋଜନା କରିଥିଲା ବେଳେ ଦୁର୍ଯ୍ୟୋଧନ ପାଶୟତ ପରିଚାଳନା କରିଥିଲେ । ମୁଖ୍ୟତଃ ଜଳଛତ୍ର, ରାସ୍ତା ପାଶ୍ୱରେ ଥିବା  ଆଖୁରସ ବିକାଲି, ଅସ୍ଥାୟୀ ଫଳ ଦୋକାନୀ ପାଖରେ ରହି  ଶିଶୁ ଓ ମହିଳା ବିକାଶ ସୋସାଇଟି ସଭ୍ୟମାନେ ଅଂଶୁଘାତ ପ୍ରତି ସଚେତନତା କରାଇଥିଲେ । ଲୋକମାନଙ୍କୁ ଟାଣ ଖରାରେ ପଦାକୁ ବାହାରନ୍ତୁ ନାହିଁ, ଖରାରେ କଠିଣ ପରିଶ୍ରମ କରନ୍ତୁ ନାହିଁ, ଜରୁରୀ କାମରେ ବାହାରକୁ ଯିବା ବେଳେ କଳା ଚସମା, ଚପଲ, ମୁଣ୍ଡରେ ଓଦା ଗାମୁଛା ଓ ଛତା ବ୍ୟବହାର କରନ୍ତୁ, ପାଣି ବୋତଲ ସାଙ୍ଗରେ ଧରି ନିଅନ୍ତୁ, ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ, ଜଳ ଶୁଷ୍କତାରୁ ରକ୍ଷା ପାଇବା ପାଇଁ ଅଧିକ ପାଣି, ଓଆରଏସ୍ ଦ୍ରବଣ ତଥା ତରଭୁଜ, କାକୁଡି ଆଦି ଖାଅନ୍ତୁ, ଅଂଶୁଘାତ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଶୀଘ୍ର ଡାକ୍ତରଖାନା ନେଇ ଚିକିତ୍ସା କରନ୍ତୁ, ଗୃହ ପାଳିତ ପଶୁମାନଙ୍କୁ ଛାଇରେ ରଖନ୍ତୁ ଓ ପ୍ରଚୁର ପରିମାଣରେ ପାଣି ପିଇବାକୁ ଦିଅନ୍ତୁ, ପାଣି ପାଗ ବିଭାଗ ଦ୍ୱାରା ଗ୍ରୀଷ୍ମ ପ୍ରବାହ ସମ୍ବନ୍ଧୀୟ ଦିଆଯାଉଥିବା ସତର୍କ ସୂଚନା ପ୍ରତି ଧ୍ୟାନ ଦିଅନ୍ତୁ ବୋଲି ଲୋକଙ୍କୁ ସୂଚନା ପ୍ରଦାନ କରିବା ସହ ଫ୍ଲାସ କାର୍ଡ ଓ ପୋଷ୍ଟର ବଣ୍ଟନ କରିଥିଲେ ।  କାର୍ଯ୍ୟକ୍ରମ ସମୟରେ  ବିଭିନ୍ନ ସ୍ଥାନରେ ସ୍ଥାନୀୟ ସରପଞ୍ଚମାନ ତଥା  ସ୍ୱେଚ୍ଛାସେବୀବୃନ୍ଦ ଯୋଗଦେଇ ଥିଲେ।  ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ରବି ଚନ୍ଦ୍ର ପାଶୟତ , ଶିଶୁ ଓ ମହିଳା ବିକାଶ ସୋସାଇଟି ସଭ୍ୟ ଚନ୍ଦ୍ର ଶେଖର ସେଠ, ପ୍ରଭାକର ଛନ୍ଦ, ଦୀପକ ସେନ ଧରୁଆ, କପିଳ ଭୋଇ, ସୁନୀଲ ରଣା, ତୁଫାନ ରଣା, 
ସମାଜସେବୀ ଶ୍ରବଣ ବାରିକ, ସଂଗୀତା ପାଶୟତ, ରେବତୀ ପାଶୟତ, ପ୍ରକୃତି,ଓମ, ସୌମ୍ୟ, ଦୀନବନ୍ଧୁ ବାଗ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସହଯୋଗ କରିଥିଲେ ।

Post a Comment

Previous Post Next Post