ଘୂର୍ଣ୍ଣିଝଡ ଓ କୁଆପଥର ମାଡରେ କ୍ଷତି ହୋଇଥିବା ଅଂଚଳକୁ ସିପିଆଇ ଏମ୍ ପ୍ରତିନିଧି ଦଳର ଗସ୍ତ


ଜଳେଶ୍ଵର ୩/୪ (ଜଗନ୍ନାଥ ଗୋଛାୟତ) ଗତକାଲି ୨ ତାରିଖ ରବିବାର ଅପରାହ୍ନରେ ହଠାତ୍ ଘୂର୍ଣ୍ଣିଝଡ ଓ କୁଆପଥର ମାଡରେ ଜଳେଶ୍ଵର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଂଚାୟତରେ ବ୍ୟାପକ କ୍ଷତି ହୋଇଛି। ନଡ଼ା ଛାଉଣୀ,ଟିଣ ଓ ଏଜବେସଟସ୍ ଛାଉଣୀ ଥିବା ଘର ଗୁଡ଼ିକ ସଂପୂର୍ଣ୍ଣ ଭାବରେ ଉଡ଼ି ଯାଇଛି। ବଡ଼ ବଡ଼ ଗଛ ସବୁ ପକ୍କା ଘର ଉପରେ ପଡି କ୍ଷତି ହୋଇଛି। ପନିପରିବା ଓ ରବି ଧାନ ବ୍ୟାପକ ଭାବରେ କ୍ଷତି ହୋଇଛି। ବିଶେଷ କରି କୋଟସାହି , ପାଇକସିଦା , ଚୋରମାରା , ବର୍ତନା , ରାୟାରାମଚନ୍ଦ୍ରପୁର , ଆରୁହା , ନଛିମପୁର ,ଗୋପିମୋହନପୁର , ଗଡସାହି ବାଲିଆପାଳ , ସୁଗୋ ଓ ଜଳେଶ୍ବର ପୌରାଞ୍ଚଳର କେତେକ ଅଞ୍ଚଳ ବ୍ୟାପକ ଭାବରେ କ୍ଷତି ହୋଇଅଛି। ସିପିଆଇ (ଏମ୍) ର ଏକ ପ୍ରତନିଧି ଦଳ କ୍ଷତିଗ୍ରସ୍ତ ବିଭିନ୍ନ ପଂଚାୟତ ବୁଲିବା ମଧ୍ୟ ରେ ଦେଖିଛନ୍ତି ଏବେ ବି ରାସ୍ତା ଓ ଘର ଉପରେ ବଡ଼ ବଡ଼ ଗଛ, ଇଲେକ୍ଟ୍ରିକ୍ ଖୁଣ୍ଟ ଓ ତାର ଛିଣ୍ଡି ରାସ୍ତା ଅବରୋଧ ହୋଇଛି। ମୁଗ,ବିରି,ତିଳ, କାକୁଡି, ବାଇଗଣ, ଭେଣ୍ଡି , କଖାରୁ, ତରଭୁଜ , ଚିନାବାଦାମ , ପଣସ ଓ ଧାନ କ୍ଷତି ହୋଇଛି ବୋଲି ପ୍ରତ୍ୟକ୍ଷ ଭାବରେ ଦେଖି ସାରିଲା ପରେ ଦାବି କରିଛନ୍ତି ଯେ ତୁରନ୍ତ ଯୁଦ୍ଧ କାଳୀନ ଭିତ୍ତିରେ ତଦନ୍ତ କରି ଛପର ଉଡ଼ି ଯାଇଥିବା ଲୋକଙ୍କୁ ପଲିଥିନ , ଘରଭଙ୍ଗା ସାହାଯ୍ୟ ଏବଂ କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନପୁଟ ସବ୍ସିଡି ଅଧିକ କରି କ୍ଷତିପୂରଣ ଦେବା , କୃଷି ରୂଣ ଛାଡ଼ ଏବଂ ଆଗାମୀ ଚାଷ ପାଇଁ ବିହନ , ସାର , ଔଷଧ ମାଗଣାରେ ଯୋଗାଇବା ପାଇଁ ଦାବି କରିଛନ୍ତି। ଉକ୍ତ ପ୍ରତିନିଧି ଦଳ ରେ ଦିଲ୍ଲୀପ କୁମାର ଗିରି, ଦିପ୍ତିମାନ ଆଚାର୍ଯ୍ୟ, ନଗେନ ଜେନା , ସଦାଶିବ ଜେନା , ବିଦ୍ୟାଧର ଖଟୁଆ ପ୍ରମୁଖ ସାମିଲ ହୋଇଥିଲେ। ପଶ୍ଚିମା ଝଡ଼ର ପ୍ରଭାବ ରେ ବର୍ଷା ଓ କୁଆପଥର ମାଡ ରେ ମାତ୍ର କିଛି ଦିନ ପୂର୍ବରୁ ଯେଉଁ କ୍ଷତି ହୋଇଥିଲା ଆଜି ପର୍ଯ୍ୟନ୍ତ ଚାଷୀ ମାନେ ତାର କ୍ଷତିପୂରଣ ପାଇପାରିନାହାନ୍ତି। ଏଣୁ ଚାଷୀ ମାନଙ୍କୁ କେବଳ ପ୍ରତିଶ୍ରୁତି ନୁହେଁ ଅତି ଶିଘ୍ର କ୍ଷତିପୂରଣ ନଦେଲେ ସିପିଆଇ ଏମ୍ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ପ୍ରତିନିଧି ମାନେ ଚେତାବନୀ ଦେଇଛନ୍ତି।

Post a Comment

Previous Post Next Post