ସମ୍ପତିଆ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ମିଳୁନି ଗୁରୁତ୍ୱପୂର୍ଣ୍ଣ ରେକର୍ଡ ପତ୍ର !


ଜଳେଶ୍ୱର (ଜଗନ୍ନାଥ ଗୋଛୟତ) ଜଳେଶ୍ଵର ବ୍ଲକ ସମ୍ପତିଆ ପଞ୍ଚାୟତରେ ବିଭିନ୍ନ ଅନୀୟମିତତାର ତଦନ୍ତ ଦାବି କରି ଆଜି ସମ୍ପତିଆ ଗ୍ରାମ ପଞ୍ଚାୟତ ଉନ୍ନୟନ ମଞ୍ଚ ପକ୍ଷରୁ ଆଜି ସିପିଆଇ(ଏମ)କାର୍ଯ୍ୟାଳୟରେ ସମ୍ବାଦିକ ସମ୍ମିଳନୀ ଆବାହକ ଦିଲ୍ଲୀପ ଶତପଥୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁସାରେ ନବଗଠିତ ସମ୍ପତିଆ ପଞ୍ଚାୟତରେ ୨୦୧୬-୧୭ ମସିହା ଠାରୁ ୨୦୨୧-୨୨ ପର୍ଯ୍ୟନ୍ତ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସହିତ ଏନ୍ଆର୍ ଇଜିଏସ କାମ ଠାରୁ ରାସ୍ତା କାମ ପର୍ଯ୍ୟନ୍ତ ,ସମସ୍ତ କାର୍ଯ୍ୟରେ ବ୍ୟାପକ ଅନୀୟମିତତା ହୋଇଥିବା ବେଳେ ଏହାର କୌଣସି ରେକର୍ଡପତ୍ର ବିଭାଗୀୟ ଅଧିକାରୀ ମାନଙ୍କ ପାଖରେ ନ ଥିବା ଆରଟିଆଇ ତଥ୍ୟରୁ ଜଣାପଡିବା ପରେ ଉନ୍ନୟନ ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜିଲ୍ଲାପାଳ ଓ ଜଳେଶ୍ୱର ବିଡିଓଙ୍କ ହସ୍ତକ୍ଷେପ କରି ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଦାବି କରାଯାଇଛି।ପଞ୍ଚାୟତରେ ପଂଚାୟତର କଣ୍ଟା ଗଡ଼ିଆ ପୋଖରୀ ଖୋଳିବା ପାଇଁ ୩.୬୦ଲକ୍ଷ ଓ ଘାଟ ନିର୍ମାଣ ପାଇଁ ୧.୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲେ ସୁଦ୍ଧା ଏହି ଦୁଇଟି ପ୍ରକଳ୍ପରେ ବ୍ୟାପକ ଅର୍ଥ ହରିଲୁଟ ହୋଇଛି।ଏହି ଦୁର୍ନୀତି ସମ୍ପର୍କରେ ଗତ ୨୦/୨/୨୩ ତାରିଖରେ ଜଳେଶ୍ୱର ଠାରେ ଅନୁଷ୍ଠିତ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଜନଶୁଣାଣୀ ଶିବିରରେ ଅଭିଯୋଗ କରିବା ପରେ ଗତ ୧୦/୩/୨୩ ତାରିଖରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ସମ୍ପୃକ୍ତ ଅଭିଯୋଗ ସମ୍ପର୍କରେ ତଦନ୍ତ କରିବା ପାଇଁ ସମ୍ପତିଆ ପଞ୍ଚାୟତକୁ ଆସି ଫେରିଯାଇଛନ୍ତି।ମାତ୍ର କାର୍ଯ୍ୟାଳୟରେ କୌଣସି ରେକର୍ଡ ପତ୍ର ନ ପାଇ ସେ ଫେରିଯାଇଛନ୍ତି।ତେଣୁ ତଦନ୍ତର ବାଟବଣା ଆଶଙ୍କା କରି ନିରପେକ୍ଷ ତଦନ୍ତ ପାଇଁ ମଞ୍ଚ ପକ୍ଷରୁ ଦାବୀ କରାଯାଇଛି।ତଦନ୍ତ କାର୍ଯ୍ୟରେ ବିଳମ୍ବ ହେଲେ ମଞ୍ଚ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ଶତପଥୀ ଚେତାବନୀ ଦେଇଛନ୍ତି।ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀପ ଗିରି,ଦୀପ୍ତିମାନ ଆଚାର୍ଯ୍ୟ,ଜୀବନ ପରିଡ଼ା, ଶମ୍ଭୁନାଥ ପ୍ରଧାନ,ଚନ୍ଦନ ଶତପଥୀ, ସୁଶାନ୍ତ କାମିଳା ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅଭିଯୋଗ ସମ୍ପର୍କରେ ସରପଞ୍ଚ ସୁଶାନ୍ତ ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ପୂର୍ବତନ ସରପଞ୍ଚ ମଂଜୁଲତା ପ୍ରଧାନ ୨୦୧୭ ମସିହା ମାର୍ଚ୍ଚ ୧୦ ତାରିଖରେ ଦାୟିତ୍ୱ ନେଇଥିଲେ।ମାତ୍ର ପଂଚାୟତର ଭିଏଲଡବ୍ଲ୍ୟୁ ସମସ୍ୟା ନେଇ ୨୦୧୯ ରେ କାର୍ଯ୍ୟ ଆରମ୍ଭ ହୋଇଥିଲା।ମାତ୍ର କୋଭିଡ଼-୧୯ ସମସ୍ୟା ବାରମ୍ବାର କାର୍ଯ୍ୟ କ୍ଷେତ୍ରରେ ବାଧା ସୃଷ୍ଟି ହୋଇଥିଲା।ଇତିମଧ୍ୟରେ ପୂର୍ବତନ ଭିଏଲଡବ୍ଲ୍ୟୁ ସୁଶାନ୍ତ ଜେନା ଚାକିରୀ ଛାଡି କୌଣସି ରେକର୍ଡ ପତ୍ର ନ ଦେଇ ଚାଲିଯାଇଛନ୍ତି।ତେଣୁ ନୂତନ ଭାବେ ଦାୟିତ୍ବ ଗ୍ରହଣ କରିଥିବା ଭିଏଲଡବ୍ଲ୍ୟୁ ଅତୁଲ ପ୍ରଧାନ କୌଣସି ତଥ୍ୟ ସୂଚନା ଅଧିକାର ଆଇନ ଅନୁଯାୟୀ ଦେଇ ପାରିନାହାନ୍ତି ବୋଲି ସରପଞ୍ଚ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।

Post a Comment

Previous Post Next Post