ବାତ୍ୟା ସହାୟତା ନେଇ ଜିଲ୍ଲାପାଳଙ୍କୁ ପାଇକସିଦା ପଞ୍ଚାୟତବାସୀଙ୍କ ପକ୍ଷରୁ ଦାବୀ


ଜଳେଶ୍ୱର ୨୧/୩ (ଜଗନ୍ନାଥ ଗୋଛୟତ) ଜଳେଶ୍ଵର ବ୍ଲକ ପାଇକସିଦା ପଞ୍ଚାୟତରେ ବନ୍ୟା ସହାୟତା ନେଇ ଜିଲ୍ଲାପାଳ ଏବଂ ବିଡ଼ିଓଙ୍କୁ ଗତକାଲି ଦାବିପତ୍ର ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ ଉକ୍ତ ପଞ୍ଚାୟତର ବାଲିକବାର୍ଡ, ଚିତିମିଶ୍ରା ,ଉତ୍ତରପଡା,ଖଳାବାଡିଆ,ତାଳଗୋଛିଆ ପ୍ରଭୁତି ଗ୍ରାମରେ ଗତ ବର୍ଷ ବନ୍ୟାରେ ଅନେକ କ୍ଷୟକ୍ଷତି ହୋଇଥିଲା। ସରକାର ସମସ୍ତ ବନ୍ୟା କ୍ଷତିଗ୍ରସ୍ତ ମାନଙ୍କୁ ରିଲିଫ୍ ଅର୍ଥ ପ୍ରଦାନ କରିଥିବା ବେଳେ, ଉକ୍ତ ଗ୍ରାମ ଗୁଡିକର ଲୋକମାନଙ୍କୁ ଅଦ୍ୟାବଧି କୌଣସି ସହାୟତା ମିଳିନାହିଁ। ଏବାବଦରେ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ଜଳେଶ୍ଵର ବିଡ଼ିଓଙ୍କୁ ଗୁହାରି କରିଥିଲେ।ମାତ୍ର ସେଥିରେ କୌଣସି ସୁଫଳ ନ ମିଳିବାରୁ ଗତ ନଭେମ୍ବର ମାସରେ ଜଳେଶ୍ୱରରେ ହୋଇଥିବା ଜନଶୁଣାଣୀ ଶିବିରରେ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କୁ ଗୁହାରି କରିଥିଲେ। ଜିଲ୍ଲାପାଳ ମଧ୍ୟ ଲୋକମାନଙ୍କୁ ରିଲିଫ ଦିଆଯିବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଘଟଣାକୁ ଚାରିମାସ ବିତିଯାଇଥିବା ବେଳେ ପୁଣି ଅଣ୍ଟା ଭିଡିଛନ୍ତି ଗ୍ରାମବାସୀ। ପୁଣିଥରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲିଖିତ ଦରଖାସ୍ତ ଦେଇ ବିଡ଼ିଓଙ୍କୁ ମଧ୍ୟ ଏକକିତା ନକଲ ପ୍ରଦାନ କରିଛନ୍ତି। ସାତଦିନ ମଧ୍ୟରେ ଏହାର ପ୍ରତିକାର ନହେଲେ ବ୍ଲକ ସମ୍ମୁଖରେ ଧାରଣା ଦେବେ ବୋଲି ବରେନ୍ଦ୍ର ବେହେରା,ଉପେନ୍ଦ୍ର ବେହେରା, ସରୋଜ ଗିରି,ସ୍ୱରୂପ ନାୟକ ପ୍ରମୁଖ ଚେତାବନୀ ଦେଇଛନ୍ତି ।ସେମାନଙ୍କ ଦାବୀକୁ ସମର୍ଥନ ଜଣାଇ ଜଳେଶ୍ୱର ବ୍ଲକ କଂଗ୍ରେସ କମିଟିର ସଭାପତି ରାଜୀଵ କୁମାର ପରିଡ଼ା ମଧ୍ୟ ଏହି ସମୟରେ ଉପସ୍ଥିତ ଥିଲେ।

Post a Comment

Previous Post Next Post