ଅକ୍ତପୂରଣ ହେଲା ଦୀର୍ଘ ୫୦ ବର୍ଷର ପୋଲ ନିର୍ମାଣ ଦାବି,ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଦେଲେ ଅଞ୍ଚଳବାସୀ


ଧର୍ମଗଡ (ପ୍ରଦିପ ସେଠିଆ) ୧୪/୦୨ବର୍ଷା ଦିନରେ ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଏବଂ ଦୀର୍ଘ କିଲୋମିଟର ରାସ୍ତା ବୁଲି ଆସି ଧର୍ମଗଡ ଉପଖଣ୍ଡ ମହକୁମା କୁ ପହଞ୍ଚୁ ଥିବା କନା ଗାଁ ଅଞ୍ଚଳବାସୀଙ୍କ ପାଇଁ ଏବେ ଆସିଛି ଉତ୍ସାହ ଏବଂ ଖୁସି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧର୍ମଗଡ କୁ ସଂଯୋଗ ପାଇଁ କନା ଗାଁ ଏବଂ ଥନଟ କୁ ସଂଯୋଗ ପାଇଁ ତେଲ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଆଦେଶ ଦେବା ସହିତ ପୋଲ ନିର୍ମାଣ କାମ ଆରମ୍ଭ ହୋଇଯାଇଛି ଯାହାକୁ ନେଇ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି । ଦୀର୍ଘ ୫୦ ବର୍ଷ ହେବ ଥନଟ ଏବଂ କନା ଗାଁ କୁ ସଂଯୋଗ ପାଇଁ ତେଲ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲା ତେବେ ଏହି ଦାବି ଏବେ ପୂରଣ ହୋଇଛି ।

କନା ଗାଁ ତଥା ଆଖପାଖ ଅଞ୍ଚଳ ର ଲୋକେ ଧର୍ମଗଡ କୁ ଯାତାୟାତ ପାଇଁ ଦୀର୍ଘ ୧୫ ରୁ ୨୦ କିଲୋମିଟର ବୁଲି କି ଆସିବାକୁ ପଡ଼ୁଥିବା ବେଳେ ଏହି ପୋଲ ନିର୍ମାଣ ହେଲେ ମାତ୍ର ୭ କିଲୋମିଟର ଅତିକ୍ରମ କରି ଧର୍ମଗଡ ରେ ପହଞ୍ଚି ହେବ । ଖରା ଦିନେ ନଦୀରେ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଉଥିବାରୁ ଲୋକଙ୍କ ଯାତାୟାତ ସୁବିଧା ହେଉଥିବା ବେଳେ ବର୍ଷା ଦିନେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଦୀର୍ଘ କିଲୋମିଟର ଯାତାୟାତ କରିଥାନ୍ତି । ତେବେ ଏହି ନଦୀ ରାସ୍ତା ଦେଇ ୧୦ ଟି ପଞ୍ଚାୟତର ହଜାର ହଜାର ଲୋକ ନିର୍ଭର କରୁଥିବା ବେଳେ ଗୋଲାମୁଣ୍ଡା ବ୍ଲକ୍ ଅଞ୍ଚଳର ଲୋକ ମଧ୍ୟ ଯାତାୟାତ କରିଥାନ୍ତି । କନା ଗାଁ, ଗତାଗୁଡ଼ା, ଶାଗୁନଭାଡ଼ି, ଲୁହ ଗାଁ ଅଞ୍ଚଳର ଲୋକଙ୍କୁ ଧର୍ମଗଡ ଯାତାୟାତ ତଥା ଶିକ୍ଷା ସ୍ବାସ୍ଥ୍ୟ ବାଣିଜ୍ୟରେ ଏହି ପୋଲ ବିଶେଷ ସହାୟକ ହେବ । ୧୯ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ହେଉଥିବା ଏହି ପୋଲ କାମ ଆସନ୍ତା ୨୦୨୫ ମସିହା ମେ ମାସ ରେ ସମାପ୍ତ କରିବାକୁ ଧାର୍ଯ୍ୟ କରାଯାଇଛି । ପୋଲ ନିର୍ମାଣ କାମ ଆରମ୍ଭ ହୋଇଥିବାରୁ ଅଞ୍ଚଳର ଲୋକ ମାନଙ୍କ ମଧ୍ୟ ଉତ୍ସାହ ଦେଖାଯାଇଥିବା ବେଳେ ଦୀର୍ଘ କିଲୋମିଟର ବୁଲିବାରୁ ବଞ୍ଚିତ ହେବା ସହିତ କମ୍ ସମୟ ମଧ୍ୟରେ ଧର୍ମଗଡ ପହଞ୍ଚିବେ ଏବଂ ତାଙ୍କର ଦୀର୍ଘ ୫୦ ବର୍ଷର ଦାବି ପୁରଣ ହେବ ତେଣୁ ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।

Post a Comment

Previous Post Next Post