ରେଲୱେ କ୍ରସିଂରେ ପୂର୍ବତନ ସାଂସଦ ତଥା ବିଧାୟକ ବାଳ ଗୋପାଳ ମିଶ୍ରଙ୍କ ପୁଅ ଅବିନାଶଙ୍କ ମୃତ୍ୟୁ


ସୁବର୍ଣ୍ଣପୁର (ଗଣପତିବାଘ) ସୁବର୍ଣ୍ଣପୁରଜିଲ୍ଲାର ଡୁଙ୍ଗୁରିପାଲି ରେଲୱେ କ୍ରସିଂରେ ଟ୍ରେନ ଧକ୍କାରେ ପୂର୍ବତନ ବିଧାୟକ ବାଳଗୋପାଳ ମିଶ୍ରଙ୍କ ମଝିଆଁ ପୁଅ ଅବିନାଶ ମିଶ୍ରଙ୍କ ମୃତ୍ୟୁ ହୋଇଛି । ଆଜି ସକାଳ ଭୋରରୁ ଅବିନାଶ ସବୁଦିନପରି ଆଜିବି ପ୍ରାତଃ ଭ୍ରମଣରେ ବାହାରିଥିଲେ । ହେଲେ ରେଲୱେ ଲାଇନ ପାର କରୁଥିବା ବେଳେ ହଠାତ ପଛ ପଟରୁ ଟ୍ରେନ ଆସି ପିଟି ଦେଇଥିଲା।ଫଳରେ ଅବିନାଶ ଟ୍ରେନ ଲାଇନ ପାର୍ଶ୍ୱକୁ ଛିଟିକି ହୋଇ ପଡ଼ିଥିଲେ।ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।ଅବିନାଶ କୌଣସି କାରଣରୁ ଅନ୍ୟ ମନସ୍କ ଥିବାରୁ ଟ୍ରେନ ଆସୁଥିବା ସେ ଜାଣି ପାରି ନ ଥିଲେ।ତେବେ ସ୍ଥାନୀୟ ଲୋକେ ଅବିନାଶଙ୍କୁ ନେଇ ଡୁଙ୍ଗୁରିପାଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ଡାକ୍ତର ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଛନ୍ତି।ଅତ୍ୟଧିକ ରକ୍ତସ୍ରାବ ଓ ମୁଣ୍ଡରେ ଖୁବ ଯୋରରେ ଆଘାତ ଯୋଗୁଁ ଅବିନାଶଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ଅବିନାଶ ମିଶ୍ରବଲାଙ୍ଗିର ଜିଲ୍ଲା ସାଲେଭଟା ଗାଁର ପୂର୍ବତନ ବିଧାୟକ ତଥା ବିଧାନସଭାରେ ପଶ୍ଚିମାଞ୍ଚଳର ଜଣେ ବରିଷ୍ଠନେତା ବାଳଗୋପାଳ ମିଶ୍ରଙ୍କ ମଝିଆଁ ପୁଅ। ତାଙ୍କୁ ୪୮ ବର୍ଷ ହୋଇଥିବା ବେଳେ ସେ ସପରିବାର ଡୁଙ୍ଗୁରିପାଲି ସହରରେ ରହୁଥିଲେ। ତାଙ୍କର ଗୋଟିଏ ପୁଅ ଓ ସ୍ତ୍ରୀ ସହ ପୁଅକୁ ପାଠ ପଢ଼ାଇବା ପାଇଁ ଡୁଙ୍ଗୁରିପାଲି ସହରରେ ରହୁଥିଲେ। ତାଙ୍କର ମୃତ୍ୟୁ ଖବର ମିଳିବା ପରେ ଡୁଙ୍ଗୁରିପାଲି ସହର ସମେତ ସାଲେଭଟା ଓ ବଲାଙ୍ଗିର ସହରରେ ଶୋକର ଛାୟା ଖେଳିଯାଇଛି। ଡୁଙ୍ଗୁରିପାଲି ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହିତ ଘଟଣାର ଅନୁସନ୍ଧାନ ଜାରିଛି।ଶବ ବ୍ୟବଚ୍ଛେଦ ପରେ ଅବିନାଶଙ୍କ ସାଲେଭଟା ଶ୍ମଶାନରେ ଅନ୍ତିମ ସଂସ୍କାର କରିବେ ବୋଲି ଜଣାପଡିଛି।

Post a Comment

Previous Post Next Post