ବୌଦ୍ଧ,(ସୁଶାନ୍ତ କୁମାର ବେହେରା) : ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥକୁ ବୌଦ୍ଧଜିଲାରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ସୀମାନ୍ତ ରାଣୀପଥର ଠାରୁ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଅହିଂସା ରଥକୁ ସ୍ୱାଗତ କରାଯିବା ସହିତ ଜିଲା ପରିକ୍ରମାରେ ପାଛୋଟି ଅଣାଯାଇଥିଲା । ହରଭଙ୍ଗା ବ୍ଲକର ଚାରିଛକଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବାପରେ ଝାଡରାଜିଂ ସେବାଶ୍ରମ,ପଞ୍ଚାୟତ ହାଇସ୍କୁଲ ଚାରିଛକ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସେହିଠାରୁ ଅହିଂସା ରଥ ବୌଦ୍ଧ ଅଭିମୁଖେ ଯାତ୍ରା କରିବା ଅବସରରେ ପୁରୁଣାକଟକ ଖେଳପଡିଆଠାରେ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ,ଭୈରବୀ ଜୁନିୟର ମହାବିଦ୍ୟାଳୟ,ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର,ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ରଥକୁ ଭବ୍ୟ ସମ୍ବର୍ଦ୍ଧନା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା । ପରେ ରଥକୁ ସରସରା ଗ୍ରାମପଞ୍ଚାୟତଠାରେ ସମ୍ବର୍ଦ୍ଧନା ଅବସରରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର,ବାବା ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ। ବୁଟୁପାଲି ଜେବି ହାଇସ୍କୁଲ,ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଅହିଂସା ରଥକୁ ସ୍ୱାଗତ କରିଥିଲେ ।ବୌଦ୍ଧ ଟାଉନହଲ ନିକଟରେ ଅହିଂସା ରଥ ପହଞ୍ଚିବାପରେ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ରତ୍ନାକର ବେହେରା ଓ ସଂପାଦକ ଶଶାଙ୍କ ଶେଖର ମିଶ୍ରଙ୍କ ନେତୃତ୍ୱରେ ଏହାକୁ ସ୍ୱାଗତ କରାଯାଇଥିଲା । ଟାଉନହଲ ସମ୍ମୁଖରେ ସ୍ଥାପିତ ବୌଦ୍ଧର ଦୁଇ ସ୍ୱାଧୀନତା ସଂଗ୍ରାମୀ ପ୍ରେମଶଙ୍କର ପଟ୍ଟନାୟକ ଓ ପ୍ରହଲ୍ଲାଦ ବିଶିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟର ବ୍ୟାଣ୍ଡ ଦ୍ୱାରା ରଥକୁ ସ୍ୱାଗତ କରାଯିବା ସହିତ ଟାଉନହଲଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବୌଦ୍ଧର ସ୍ୱାଧୀନତା ସଂଗ୍ରାମୀ ଗୌରମୋହନ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ସେଣ୍ଟ୍ ଜାଭିୟର ବିଦ୍ୟାଳୟ ଓ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଟାଉନହଲଠାରୁ ଅହିଂସା ରଥକୁ ଏକ ବିରାଟ ବାଇକ୍ ଶୋଭାଯାତ୍ରାରେ ବୌଦ୍ଧ ବ୍ଳକକୁ ନିଆଯାଇଥିଲା । ସେହିପରି ଦ୍ୱିତିୟ ରଥ ହରଭଙ୍ଗା ବ୍ଲକ ହରେକଷ୍ଣପୁର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ପହଞ୍ଚିବାପରେ ସେଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି ରଥକୁ ନୂଆପଡାଠାରେ ସ୍ୱାଗତ କରାଯିବାପରେ ବୀରନରସିଂହପୁର ବିଦ୍ୟାଳୟଠାରେ ପହଞ୍ଚି ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ସେହପରି ଏଠାରେ ସାଧୁଚରଣ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ରଥକୁ ଭବ୍ୟ ସ୍ୱାଗତ କରାଯାଇଥଲା । ଛାତ୍ରଛାତ୍ରୀମାନଙ୍କୁ ବାପୁଜୀଙ୍କ ଜିବନୀ ଉପରେ ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା । ସେହିପରି ବାମଣ୍ଡା ଉଚ୍ଚ ବିଦ୍ୟାଳୟ ଓ ମଡେଲ ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ରଥକୁ ସ୍ୱାଗତ କରାଯାଇଥିଲା । ଉଭୟ ରଥ ବୌଦ୍ଧ ବ୍ଲକରେ ପହଞ୍ଚିବାପରେ ଆଇଆରବି ୫ମ ବାଟାଲିୟନ ଓ ଆଦର୍ଶ ବିଦ୍ୟାଳୟ ବୌଦ୍ଧର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଗେହ୍ଲାମା କଳାନିକେତନ,ପ୍ରଣାମ ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ନୃତ୍ୟ ଓ ସଙ୍ଗିତ ପରିବେଷଣ କରିବା ସହିତ ବିଭିନ୍ନ ମହାପୁରୁଷମାନଙ୍କ ବେଶ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ବୌଦ୍ଧ ବ୍ଳକରେ ସହୀଦ ସ୍ତମ୍ବରେ ମାଲ୍ୟାର୍ପଣ କରାଯାଇଥିଲା । ଅତିଥି ଭାବରେ ଜିଲାପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ,ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ,ଉପାଧ୍ୟକ୍ଷ ପାନେଶ୍ୱରୀ ଦେହୁରୀ,ଅତିରକ୍ତ ଜିଲାପାଳ ବବିତାରାଣୀ ଦଳବେହେରା,ଏବିଡିଓ ପ୍ରମୋଦ କୁମାର ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ବିଡିଓ ଅବିନାଶ ପାଣ୍ଡିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା । ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ଅହିଂସା ରଥକୁ ବୌଦ୍ଧ ଜିଲାରେ ଭବ୍ୟ ସମ୍ବର୍ଦ୍ଧନା
ଆଜତକ ଓଡ଼ିଶା
0
Post a Comment