ବୌଦ୍ଧ,(ଶୁଶାନ୍ତ କୁମାର ବେହେରା) : ବୌଦ୍ଧରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଇକୋପାର୍କ(ନନ୍ଦନବନ) ପ୍ରକଳ୍ପର ପ୍ରଥମ ସାଧାରଣ ପରିଷଦ ବୈଠକ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏହି ଆକାଂକ୍ଷିତ ପ୍ରକଳ୍ପର ଭବିଷ୍ୟତ କାର୍ଯ୍ୟକ୍ରମ ନେଇ ଆଲୋଚନା କରାଯାଇଥିଲା । ଜିଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ବୀରନରସିଂହପୁର ନିକଟରେ ହେବାକୁଥିବା ଏହି ପ୍ରକଳ୍ପ ପାଇଁ ଜିଲାର ଅଧିକାରୀମାନେ ନିଜ ନିଜ ଦାୟିତ୍ୱ ସୂଚାରୁରୂପେ ସଂପାଦନ କଲେ ଆଗାମୀ ୧୫ବର୍ଷ ମଧ୍ୟରେ ଏହା ଦେଶ ପାଇଁ ଏକ ବୃହତ ପ୍ରକଳ୍ପ ଓ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପାରିବ ବୋଲି ଜିଲାପାଳ ଶ୍ରୀମିଶ୍ର ପ୍ରକାଶ କରିଥିଲେ । ଏହି ପ୍ରକଳ୍ପ ପାଇଁ ଚିହ୍ନଟ ହୋଇଥିବା ୧୫୦୦ ଏକର ରାଜସ୍ୱ ଜମିରେ ଇକୋପାର୍କ (ନନ୍ଦନବନ) ପାଇଁ ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ ୧୯ କୋଟି ଅନୁଦାନ ପ୍ରଦାନ କରିବାକୁ ଘୋଷଣା କରିଥିବାବେଳେ ୪ କୋଟି ଅନୁଦାନ ଯୋଗାଇଦେଇଛନ୍ତି । ଏହି ଅନୁଦାନରେ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଯୋଜନା ପ୍ରସ୍ତୁତି,ସ୍କେଚମେପ ପ୍ରସ୍ତୁତି କରି ସରକାରଙ୍କୁ ପ୍ରେରଣ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ପ୍ରସ୍ତାବିତ ପ୍ରକଳ୍ପର ସଫଳ ରୂପାୟନ ପାଇଁ ବିଭିନ୍ନ ବିଭାଗ ଗୁଡିକ ମଧ୍ୟରେ ଦାୟିତ୍ୱ ବଣ୍ଟନ କରି ନିର୍ଦ୍ଧାରିତ ସମୟରେ ସେଗୁଡିକୁ ଶେଷ କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା,ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନି କୁମାର ମେହେର, ଉପଜିଲାପାଳ ସନତ କୁମାର ନାଏକ,ଜିଲା ମୁଖ୍ୟଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ, ବୌଦ୍ଧ ବ୍ଲକ ବିଡିଓ ଅବିନାଶ ପାଣ୍ଡିଆ,ହରଭଙ୍ଗା ବିଡିଓ ସ୍ମିତା ରଥ,ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ମିଶନ ପ୍ରଦିପ୍ତ କୁମାର ମହାନ୍ତିଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।
ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରଥମ ସାଧାରଣ ବୈଠକ
ଆଜତକ ଓଡ଼ିଶା
0
Post a Comment