ପ୍ରତିଶୃତି ଦେଇ ଠକି ଦେଲେ ଅଧିକାରି।
୧୯୬୦ ମସିହାରେ ଏନ୍.ବରପଲ୍ଲୀ ଗ୍ରାମରେ ପ୍ରାଥମିକ ବିଦ୍ୟାଳୟଟି ପ୍ରତିଷ୍ଠା ହୋଇଥିଲା। ଉକ୍ତ ପଞ୍ଚାୟତର ପାଞ୍ଚଟି ଗ୍ରାମର ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଥିଲେ। କାଳକ୍ରମେ ଆଖପାଖ ଅଞ୍ଚଳରେ ଏକାଧିକ ପ୍ରାଥମିକ ବିଦ୍ୟାଳୟ ଖୋଲିବାପରେ ଏହି ବିଦ୍ୟାଳୟରୁ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବାରେ ଲାଗିଥିଲା। ଏକଦା ଏହି ବିଦ୍ୟାଳୟରେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ପଢୁଥିଲେ। କିନ୍ତୁ ଅନ୍ୟ ଗ୍ରାମରେ ବିଦ୍ୟାଳୟ ଖୋଲିବା ଫଳରେ କ୍ରମେ ପିଲା ସଂଖ୍ୟା ୨୦ ତଳକୁ ଖସି ଆସିଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନୂତନ ନିୟମ ପ୍ରକାରେ ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ଓ ବିଦ୍ୟାଳୟ ଗୁଡ଼ିକୁ ବନ୍ଦ କରିବା ଫର୍ମୁଲାରେ ଏହି ବିଦ୍ୟାଳୟ ବନ୍ଦ ହେବା ତାଲିକାଭୁକ୍ତ ହୋଇଗଲା। ସରକାରଙ୍କ ଏହି ନିଷ୍ପତ୍ତର ବିରୋଧ କରି ଏନ୍. ବରପଲ୍ଲୀ ଗ୍ରାମବାସୀ ଗଞ୍ଜାମ ବିଇଓ ଅଫିସ୍ ଘେରାଉ କରିଥିଲେ। ତତ୍କାଳୀନ ଗଞ୍ଜାମ ବ୍ଲକ୍ ଶିକ୍ଷାଧିକାରୀ ସୁବାସ ଚନ୍ଦ୍ର ଘଡ଼େଇ ଓ ଗ୍ରାମବାସୀଙ୍କ ମଧ୍ୟରେ ୨୦୨୦ ନଭେମ୍ବର ୧୩ ତାରିଖରେ ଏକ ବୈଠକ ବସିଥିଲା। ବୈଠକରେ ଗ୍ରାମବାସୀ ୨୦ରୁ ଅଧିକ ପିଲାଙ୍କୁ ବିଦ୍ୟାଳୟରେ ନାମ ଲେଖାଇଲେ ବିଦ୍ୟାଳୟ ବନ୍ଦ ହେବ ନାହିଁ ବୋଲି ଶିକ୍ଷାଧିକାରୀ ଶ୍ରୀ ଘଡ଼େଇ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଗ୍ରାମବାସୀଙ୍କ ଉଦ୍ୟମରେ ପ୍ରଥମ ଶ୍ରେଣୀରେ ୮ ଜଣ, ଦ୍ୱିତୀୟରେ ୧୦, ତୃତୀୟରେ ୪, ଚତୁର୍ଥରେ ୧୨ ଓ ପଞ୍ଚମ ଶ୍ରେଣୀରେ ୯ ଜଣ ପିଲାଙ୍କ ନାମ ଲେଖାଇଲେ। ୨୦୨୦ ଶିକ୍ଷାବର୍ଷ ଅଧାରୁ କିନ୍ତୁ ବନ୍ଦ ତାଲିକାରେ ଥିବା ଏହି ବିଦ୍ୟାଳୟର ବଦଳି ହୋଇ ଯାଇଥିବା ଶିକ୍ଷକ ଆଉ ଫେରିଲେନି କି ସରକାରୀ ଯୋଜନାରୁ ଆଉ ପିଲା ଉପକୃତ ହେଲନାହିଁ।
ଦୁଇ ବର୍ଷ ହେଲା ବିଦ୍ୟାଳୟରେ ପିଲା ସଂଖ୍ୟା ୪୧ ଥିଲେ ମଧ୍ୟ ତାଲା ଝୁଲୁଛି। ପ୍ରତିଶ୍ରୁତି ଦେଇଥିବା ତତ୍କାଳୀନ ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀ ଘଡ଼େଇ କାର୍ଯ୍ୟରୁ ଅବସର ନେଇ ସାରିଲେଣି। ବର୍ତ୍ତମାନ ବ୍ଲକ୍ ଶିକ୍ଷାଧିକାରୀ ଥିବା ଭାଗୀରଥି ବେହେରାଙ୍କୁ ଅଭିଯୋଗ କରିବାରୁ ସେ ବିଦ୍ୟାଳୟ ସଂପର୍କିତ ଫାଇଲ୍, ସମସ୍ତ ତଥ୍ୟ ଗଣଶିକ୍ଷା ବିଭାଗକୁ ପଠାଯାଇଛି ଓ ଆମ ହାତରେ କିଛି ନାହିଁ ବୋଲି ହାତ ଟେକି ଦେଇଛନ୍ତି। ଅନ୍ୟପକ୍ଷରେ ଏଠାରେ ନାମ ଲେଖାଇଥିବା ୪୧ ଜଣ କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ। ତୁରନ୍ତ ଏହା ଉପରେ ଦୃଷ୍ଟି ଦେବା ପାଇଁ ଦାବି ହୋଇଛି।
Post a Comment