ସ୍ବାମିପରିତ୍ୟକ୍ତା ମହିଳା ଓ ପରିବାର ପକ୍ଷରୁ ଆମରଣ ଅନଶନ


ସୁବର୍ଣ୍ଣପୁର(ଗଣପତିବାଘ)ସୁବର୍ଣ୍ଣପୁର ଜିଲ୍ଲା ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଜ ପକ୍ଷରୁ ଜିଲ୍ଲାର ଛଅଜଣ ସ୍ବାମୀ ପରିତ୍ୟକ୍ତା ମହିଳା ଓ ତାଙ୍କ ପିଲାଛୁଆଙ୍କୁ ଧରି ସାହାରା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ କରିଛନ୍ତି ।ଏହି ବେସାହାରା ବିବାହିତା ସ୍ବାମୀ ପରିତ୍ୟକ୍ତା ମହିଳାମାନେ ସାହାରା ପାଇଁ ଗତ ୧୫ ଦିନ ତଳେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ।ଜିଲ୍ଲାପାଳ ପ୍ରତିଶୃତି ଦେବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଆଜି ଏମାନେ ଅନସନରେ ବସିଛନ୍ତି । ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଏହି ଛଅଜଣ ସ୍ବାମୀ ପରିତ୍ୟକ୍ତା ମହିଳାମାନଙ୍କୁ ତାଙ୍କ ସ୍ବାମୀମାନେ ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦେଇ ଘରୁ ବାହାର କରିଦେଇ ଅନ୍ୟ ଜାଗାରେ ବାହା ହୋଇଛନ୍ତି ।ଏନେଇ ଏହି ଅସହାୟ ମହିଳାମାନେ ସୋନପୁର, ବୀରମହାରାଜପୁର ଓ ଉଲୁଣ୍ଡା ଥାନାରେ ଅଭିଯୋଗ କରିଥିଲେ ହେଁ ଏମାନଙ୍କୁ ନ୍ୟାୟ ମିଳି ପାରି ନାହିଁ । ଏହାରି ଭିତରେ ଏମାନଙ୍କ ପିଲା ଛୁଆମାନେ ବଡ ବଡ ହୋଇ ସାରିଲେଣି । ଏମିତି ପରିସ୍ଥିତିରେ ନିଜ ବାପ ଘରେ ଏମାନେ ବାଧ୍ୟ ହୋଇ ଆଶ୍ରୟ ନେଇଛନ୍ତି । ସବୁ ଆଡୁ ନିରାଶ ହେବା ପରେ ଏମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଆଶ୍ରୟ ତଥା କ୍ଷତିପୂରଣ ପାଇଁ ଦାବି କରିଥିଲେ । ହେଲେ ଦାବି ପୁରଣ ନ ହେବାରୁ ଏମାନେ ଏବେ ଆମରଣ ଅନସନ କରିଛନ୍ତି ।ଦାବି ପୁରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।

Post a Comment

Previous Post Next Post