ଅନ୍ତିମ ପର୍ଯ୍ୟାୟରେ ଉଲୁଣ୍ଡା ବ୍ଲକରେ ଶାନ୍ତିପୂର୍ଣ୍ଣ ଭୋଟଗ୍ରହଣ, ୮୫.୪୪ ପ୍ରତିଶତ ମତଦାନ ସହିତ ନିର୍ବାଚନ ସମ୍ପନ୍ନ ହେଲା


ସୁବର୍ଣ୍ଣପୁର (ଗଣପତି ବାଘ) ସୁବର୍ଣ୍ଣପୁର ଜିଲ୍ଲା ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟରେ ଉଲୁଣ୍ଡା ବ୍ଲକରେ ୮୫.୪୪ ପ୍ରତିଶତ ମତଦାନ ସହିତ ଶାନ୍ତିପୂର୍ଣ୍ଣ ଭାବରେ ଭୋଟ ଗ୍ରହଣ ସମାପ୍ତ ହୋଇଛି । ବ୍ଲକ ରେ ସମୁଦାୟ ୧୭ ଟି ପଞ୍ଚାୟତର ୨ଟିଜୋନରେ ୬୮ହଜାର ୩୪୯ ଜଣ ଭୋଟର ୨୩୪ ଟି ମତଦାନ କେନ୍ଦ୍ରରେ ସେମାନଙ୍କ ୱାର୍ଡ ମେମ୍ବର,୧୭ ସରପଞ୍ଚ, ୧୭ ସମିତି ସଭ୍ୟ ଏବଂ ୨ ଜଣ ଜିଲ୍ଲା ପରିଷଦ ପାଇଁ ପ୍ରତିନିଧି ଚୟନ କରିବା ସୁଯୋଗ ପାଇଥିଲେ । ସମଗ୍ର ବ୍ଲକ କୁ ଦୁଇଟି ଜୋନ୍ ରେ ବିଭକ୍ତ କରାଯାଇ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ , ଜିଲ୍ଲା ପ୍ରକଳ୍ପ ଅଧିକାରୀ ଡ଼ୋଲାମଣୀ ପଟେଲ ଏବଂ ପ୍ରଶାସନ ର ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ନିରୀକ୍ଷଣ ରେ ଅବାଧ ଏବଂ ଶାନ୍ତିପୂର୍ଣ୍ଣ ଭାବରେ ନିର୍ବାଚନ ସମ୍ପନ୍ନ ହୋଇଛି । କୌଣସି ବୁଥରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇ ନଥିଲା । 


ନୋଡାଲ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ, ଉଲୁଣ୍ଡା ପରିସରରେ ହୋଇଥିବା ଉଭୟ ପିଙ୍କ ବୁଥରେ ବହୁସଂଖ୍ୟାରେ ମହିଳା ଭୋଟର ଉତ୍ସାହିତ ହୋଇ ମତଦାନ କରିଥିଲେ । ବିଭିନ୍ନ ବୁଥ ମାନଙ୍କରେ ସକାଳ ୭ ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇ ଥିବା ବେଳେ ଭୋଟର ମାନେ ନିର୍ଦ୍ଧାରିତ ସମୟରେ କେନ୍ଦ୍ରରେ ଉପସ୍ଥିତ ରହି ଶେଷ ଯାଏଁ ଭୋଟ ଦେଇଥିଲେ । ସମଗ୍ର ବ୍ଲକ ରେ ୩୫୬୨୫ ଜଣ ପୁରୁଷ ଭୋଟର ଏବଂ ୩୨୭୨୪ଜଣ ମହିଳା ଭୋଟର ଥିଲାବେଳେ ଉତ୍ସାହଜନକ ଭାବରେ ୮୫.୪୪ପ୍ରତିଶତ ମତଦାନ ହୋଇଛି । ମୋଟା ମୋଟି ଭାବରେ ଶାନ୍ତିପୂର୍ଣ୍ଣ ଭାବରେ ସମଗ୍ର ଜିଲ୍ଲାର ୬ ଟି ଯାକ ବ୍ଲକ ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ସମ୍ପୂର୍ଣ୍ଣ ହୋଇଥିବାରୁ ଜିଲ୍ଲା ପଞ୍ଚାୟତ ଅଧିକାରୀ ଅମୁଲ୍ୟ କୁମାର ନନ୍ଦ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ର ଅଧିକାରୀ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ନିର୍ବାଚନରେ ନିୟୋଜିତ ସମସ୍ତ କର୍ମଚାରୀ ସୁନ୍ଦର ଭାବରେ ଏହାକୁ ପରିଚାଳନା କରିଥିବାରୁ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Post a Comment

Previous Post Next Post