ଭିଜିଲାନ୍ସ ଜଲରେ ପେକ୍ସ ସଂପାଦକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

 

ବଲାଙ୍ଗୀର : (ଆଜତକ୍ ଓଡ଼ିଶା) ଦରମା ୧୦ରୁ ୧୫ ହଜାର ପାଉଥିବା ସରକାରୀ ଚାକିରିଆ କୋଟି କୋଟି ଟଙ୍କାର ମାଲିକ କେଇଟା ଦିନରେ ହୋଇଯାଉଛି। ପେକ୍ସ ଦୁର୍ନୀତି ଚାରିଆଡ଼େ ବ୍ୟାପିଥିବା ବେଳେ ଜଣେ ପେକ୍ସ ସଂପାଦକ ଏବେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବଲାଙ୍ଗୀର ସହର ନିକଟ ସାଲେପାଲିରେ ରହୁଥିବା ମସୁଦ ମହମ୍ମଦଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ଉ କରିଛି। ମସୁଦ ମହମ୍ମଦ ସୋନପୁର ଜିଲ୍ଲା ତରଭା ବ୍ଲକ୍‌ ଦୁବୁଲା ଓ ଚାରଭଟା ଦୁଇଟି ପ୍ୟାକ୍ସ ସଂପାଦକ ଦାୟିତ୍ୱରେ ରହିଛନ୍ତି। ସକାଳୁ ତାଙ୍କ ଘର ଓ ସେ ଦାୟିତ୍ୱରେ ଥିବା ପେକ୍ସ ଅଫିସରେ ବଲାଙ୍ଗୀର, ସମ୍ବଲପୁର, ସୋନପୁର ଓ ବରଗଡ଼ର ଭିଜିଲାନ୍ସ ଅଧିକାରୀମାନେ ଏକାକାଳୀନ ଚଢ଼ଉ କରିଥିଲେ। ସାଲେପାଲି ଘର କେବଳ ତାଙ୍କର ୧କୋଟି ୩୦ଲକ୍ଷ ଟଙ୍କା ପାଖାପାଖି ହେବ ବୋଲି ଭିଜିଲାନ୍ସ ସୂତ୍ରରୁ ପ୍ରକାଶ।

ବିଭିନ୍ନ ବ୍ୟାଙ୍କରେ ସେ ପ୍ରାୟ ୨୦ଲକ୍ଷ, ଏଲ୍‌ଆଇସିରେ ୮ଲକ୍ଷ ଟଙ୍କା ଜମା ରଖିଥିବା ଭିଜିଲାନ୍ସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ସେହିପରି ନଗଦ ୧ଲକ୍ଷ ୨୦ ହଜାର ଟଙ୍କା କ୍ୟାସ୍‌ ଘରୁ ବାହାରିଥିଲା। ବିଭିନ୍ନ ସ୍ଥାନରେ ସେ ପ୍ଲଟ୍‌ କିଣିଥିବା ବେଳେ ତାହାର ମୂଲ୍ୟ ୧୮ଲକ୍ଷ ଟଙ୍କା ହେବ। ଭିଜିଲାନ୍ସ ଟିମ୍ ଚଢ଼ଉ ସମୟରେ ଡିଏସ୍‌ପି ସଦାନନ୍ଦ ପାଣି, ଏମ୍‌. ମିଞ୍ଜ, ଦାଶରଥି ସେଠୀ, ଇନ୍‌ସ୍‌ପେକ୍ଟର ତୁଷାର ମହାପାତ୍ର, ଟି. ବିଲୁଙ୍ଗ, ରୀତାଞ୍ଜଳି ପ୍ରଧାନ ଓ ଅନ୍ୟମାନେ ସାମିଲ ଥିଲେ। କିଛି ଦିନ ପୂର୍ବରୁ ଭିଜିଲାନ୍ସ ଜଣକୁ ଧରିଥିବା ବେଳେ ଏହା ଦ୍ୱିତୀୟ ଚଢ଼ଉ। କରୋନା କାଳରେ ଚୁପ ଥିବା ଭିଜିଲାନ୍ସ ଟିମ ଏବେ ପୁଣି ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଥିବାରୁ ଦୁର୍ନୀତିଖୋରଙ୍କୁ ଭୟ ଘାରିଲାଣି।

Post a Comment

Previous Post Next Post