- ସୁଭଦ୍ରା ଯୋଜନାର ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ
- ସୁଭଦ୍ରା ଯୋଜନାରେ ସାମିଲ ହେବା ଏକ ନିରନ୍ତର ପ୍ରକ୍ରିୟା; ଆବେଦନ ସମୟର କୌଣସି ଅବଧି ନାହିଁ
ବଲାଙ୍ଗିର: ୭/୯ (ଗଣେଶ ଦାସ) ମାନ୍ୟବର ପ୍ରଧାନମନ୍ତ୍ରୀ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଏଥି ନିମନ୍ତେ ସମଗ୍ର ବଲାଙ୍ଗିର ଜିଲ୍ଲାରେ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଣୁ ଜିଲ୍ଲାରେ ସୁଭଦ୍ରା ଯୋଜନାର ସଫଳ କାର୍ଯ୍ୟକାରିତା ଓ ରୂପାୟନ ସମ୍ପର୍କିତ ବିଶଦ ସୂଚନା ସମସ୍ତ ଜନସାଧାରଣଙ୍କୁ ପ୍ରଦାନ କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ଶୁକ୍ରବାର କଲେକ୍ଟରେଟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ବାବଦରେ ସୂଚନା ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ଼. ବିଜୟାନନ୍ଦ ସେଠୀ, ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାତ କୁମାର ମହାପାତ୍ର ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାପାତ୍ର , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ ଉପସ୍ଥିତ ଥିଲେ। ସୁଭଦ୍ରା ଯୋଜନା ରେ ଅନ୍ତର୍ଭୁକ୍ତ ହେବାକୁ ଥିବା ହିତାଧିକାରୀଙ୍କ ବୟସ ୨୧ ବର୍ଷ ବା ତଦୁର୍ଦ୍ଧ୍ଵ ଏବଂ ୬୦ ବର୍ଷରୁ କମ ହେଉଥିବା ବେଳେ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ୫୦,୦୦୦ ଟଙ୍କାର ସହାୟତା ରାଶି ପ୍ରତି ବର୍ଷରେ ୧୦ ହଜାର କରି ୫ ବର୍ଷରେ ପାଇବେ । ପ୍ରତି ବର୍ଷ ୨ଟି କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ୧୦ ହଜାର ଟଙ୍କା ହିତାଧିକାରୀମାନଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରେରଣ କରାଯିବ । ସେହିପରି ଯୋଗ୍ୟ ହିତାଧିକାରୀମାନେ ନିଜ ଆଧାର କାର୍ଡ, ମୋବାଇଲ ନମ୍ବର ଓ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ର ସମସ୍ତ ଦରକାରୀ କାଗଜପତ୍ର ନେଇ ଚିହ୍ନଟ ହୋଇଥିବା ନିକଟସ୍ଥ ମୋ ସେବା କେନ୍ଦ୍ର ଓ ଜନ ସେବା କେନ୍ଦ୍ର ଠାରେ ନିଜ ନାମ ସୁଭଦ୍ରା ପୋର୍ଟାଲରେ ପଞ୍ଜିକରଣ କରିପାରିବେ । ନିଷ୍କ୍ରିୟ ଥିବା ଆଧାର କାର୍ଡ ଗୁଡିକରେ ଆବଶ୍ୟକ ପରିବର୍ତ୍ତନ କରିବା ପାଇଁ ଆଧାର କେନ୍ଦ୍ର ଚିହ୍ନଟ କରାଯାଇଛି । ଏଥି ନିମନ୍ତେ ହିତାଧିକାରୀମାନେ ନିଜେ ଉପସ୍ଥିତ ରହିବାକୁ ସୂଚାଇ ଦିଆଯାଉଛି । ହିତାଧିକାରୀଙ୍କ ଅନୁପସ୍ଥିତିରେ କୌଣସି ପ୍ରାମାଣିକରଣ କରାଯିବ ନାହିଁ । 'ସୁଭଦ୍ରା' ଫର୍ମ ଦାଖଲ କରିବା ପାଇଁ ଆଧାର ମୋବାଇଲ୍ ନମ୍ବର ସହିତ ଲିଙ୍କ୍ ହୋଇନଥିଲେ ମଧ୍ୟ ମୁହଁ କିମ୍ବା ଟିପର ପ୍ରିଣ୍ଟ ସ୍କାନିଂ ମାଧ୍ୟମରେ ଆଧାର ପ୍ରାମାଣିକରଣ କରାଯାଇପାରିବ । ତେଣୁ, 'ସୁଭଦ୍ରା' ଫର୍ମ ଦାଖଲ ପାଇଁ ମୋବାଇଲ୍ ନମ୍ବରଗୁଡ଼ିକୁ ଆଧାର ସହିତ ଲିଙ୍କ୍ କରିବାକୁ ବ୍ୟସ୍ତ ହୋଇ ଗହଳି ନକରି ବିନା ଫୋନ ନମ୍ବର ଲିଙ୍କରେ ମଧ୍ୟ ଆବେଦନ ପତ୍ର ପୂରଣ କରି ଦାଖଲ କରିବାକୁ ସୂଚନା ଦିଆ ଯାଇଥିଲା । ଆଜି ଜିଲ୍ଲାରେ ମାନ୍ୟବର ଉପ ମୁଖ୍ୟ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ ସୁଭଦ୍ରା ଯୋଜନାର ଜିଲ୍ଲା ସାରା ବ୍ୟାପକ ପ୍ରଚାର ପାଇଁ ସୁଭଦ୍ରା ରଥର ଉଦ୍ଘାଟନ କରିବେ । ସୁଭଦ୍ରା ଯୋଜନା ଅନ୍ତର୍ଗତ ଆବେଦନ କରିବା ପାଇଁ କୌଣସି ସମୟସୀମା ଧାର୍ଯ୍ୟ କରାଯାଇ ନାହିଁ । ଏହା ଏକ ନିରନ୍ତର ପ୍ରକ୍ରିୟା । ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ ଓ ଆବେଦନ ସମୟର କୌଣସି ଅବଧି ନାହିଁ । କୌଣସି ଅସୁବିଧା ର ସମ୍ମୁଖୀନ ହେଉଥିଲେ ସେମାନେ ଦେୟ ମୁକ୍ତ ୧୪୬୭୮ ନମ୍ବର ରେ କଥା ହେଇ ଅଭିଯୋଗ ର ସମାଧାନ କରିପାରିବେ ।
Post a Comment