ବଲାଙ୍ଗିର ମୁଖ୍ୟାଳୟରୁ ଗଡ଼ିଲା ସୁଭଦ୍ରା ସଚେତନତା ରଥ

ଯୋଜନା ସମ୍ପର୍କିତ ଭ୍ରମ ଓ ଭ୍ରାନ୍ତ ଦୂର କରି ଲୋକଙ୍କୁ ସଠିକ ତଥ୍ୟ ପ୍ରଦାନ କରିବା ଲକ୍ଷ୍ୟ


ବଲାଙ୍ଗିର ୯/୭ (ଗଣେଶ ଦାସ) ମହିଳାଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କ ଯୋଜନା ସୁଭଦ୍ରାର ଫର୍ମ ବଣ୍ଟନ ଓ ଆବେଦନ ପ୍ରକ୍ରିୟା ଇତିମଧ୍ୟରେ ଆରମ୍ଭ ହୋଇସାରିଛି । ଏହି ଯୋଜନା ସମ୍ପର୍କିତ ଲୋକଙ୍କ ଭିତରେ ରହିଯାଇଥିବା ଭ୍ରମ ଓ ଭ୍ରାନ୍ତ ଧାରଣାକୁ ଦୂର କରି ହିତାଧିକାରୀଙ୍କୁ ସଠିକ ତଥ୍ୟ ପ୍ରଦାନ ପୂର୍ବକ ସଚେତନ କରିବା ଲକ୍ଷ୍ୟ ନେଇ ସମଗ୍ର ରାଜ୍ୟରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଏଥିପାଇଁ ଆଜି ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳର ଅଧିବାସୀଙ୍କୁ ସୁଭଦ୍ରା ଯୋଜନା ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଦାନ କରିବା ପାଇଁ ସମୁଦାୟ ନଅ ଗୋଟି ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ପତାକା ଦେଖାଇ ସୁଭଦ୍ରା ରଥର ଶୁଭାରମ୍ଭ କରିଥିଲେ । ଏହି ଉତ୍ସବରେ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସାଲୱାର, ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରୀ ଦ୍ୟଂଦେଓ , ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ , ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାତ ମହାପାତ୍ର ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ନିଜ ବିବୃତିରେ ଉପମୁଖ୍ୟମନ୍ତ୍ରୀ ଏହି ଯୋଜନା ରାଜ୍ୟ ସରକାରଙ୍କ ମହିଳା ମାନଙ୍କ ପ୍ରତି ଥିବା ସମ୍ମାନ ଓ ସେମାନଙ୍କ କଲ୍ୟାଣ ଲାଗି ଥିବା ପ୍ରତିବଦ୍ଧତାର ପ୍ରମାଣ ବୋଲି କହିଥିଲେ । ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଚାଲିଥିବା ଆବେଦନର କୌଣସି ଶେଷ ତାରିଖ ନାହିଁ, ସମସ୍ତ ଯୋଗ୍ୟ ମା ଓ ଭଉଣୀ ମାନଙ୍କୁ ଏହି ଯୋଜନାର ଲାଭ ନିଶ୍ଚୟ ମିଳିବ ବୋଲି କହିଥିଲେ । ଏହି ସଚେତନତା ରଥ ଚଳିତ ମାସ ୧୬ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳ ଗସ୍ତ କରି ଲୋକଙ୍କୁ ସଚେତନ କରିବ । ଏହା ସହ ଉପମୁଖ୍ୟମନ୍ତ୍ରୀ ସର୍କିଟ ହାଉସ ରେ କୃଷି କ୍ଷେତ୍ର ପାଇଁ ଦୁଇଟି ଡ୍ରନର ଶୁଭ ଉଦଘାଟନ କରିଥିଲେ । ଏହାକୁ ଇଫକୋ ପ୍ରଦାନ କରିଛି । ଔଷଧ ସିଞ୍ଚନ ଭଳି ଜରୁରୀ କାମ ଏଥିରେ କରା ଯାଇପାରିବ । ଏହା ସହ କିଛି ହିତାଧିକାରୀ ଙ୍କୁ ସବସିଡି ଯୁକ୍ତ ଟ୍ରାକ୍ଟର ପ୍ରଦାନ କରିଥିଲେ ।

Post a Comment

Previous Post Next Post