ଗୋଲାମୁଣ୍ଡା ବ୍ଳକର ବିଭିନ୍ନ କାର୍ଯ୍ୟାଳୟରେ ଚାଲିଛି ଦଲାଲ ରାଜ


ଗୋଲାମୁଣ୍ଡା, ୦୨/୯ ସରକାରୀ କାର୍ଯ୍ୟରେ ସ୍ଵଚ୍ଛତା ଓ କାର୍ଯ୍ୟଦକ୍ଷତା ପାଇଁ ସରକାର ଡିଜିଟାଇଜେସନ କରୁଛନ୍ତି। ଏହି ବ୍ୟବସ୍ଥା ପ୍ରଚଳନ ହେବା ପରେ‌ ସରକାରୀକାର୍ଯ୍ୟାଳୟ ମାନଙ୍କରେ ଦଲାଲୀ କମିବ ବୋଲି ଅନୁମାନ କରାଯାଉଥିଲା। ହେଲେ ଦଲାଲୀ କମିବାରେ ନାଁ ନେଉ ନାହିଁ। ଗୋଲାମୁଣ୍ଡା ବ୍ଳକର ପ୍ରତ୍ୟେକ ଅଫିସରେ ଦଲାଲ ରାଜ କରୁଥିବା ଅଭିଯୋଗ ହେଉଛି। ଅଫିସର ଠୁଁ ପିଅନ ସମସ୍ତେ ନିଜର ଜଣେ ଜଣେ ବ୍ୟକ୍ତିଗତ ଦଲାଲ ରଖିଛନ୍ତି ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚାହେଉଛି। ମହାଦେବଙ୍କ ମନ୍ଦିରକୁ ପ୍ରବେଶ ପୂର୍ବରୁ ଯେମିତି ବାସୁଆ ବଳଦକୁ ପୂଜା କରି ଯିବାକୁ ହୁଏ ଗୋଲାମୁଣ୍ଡା ବ୍ଳକରେ ମଧ୍ୟ ସେମିତି। କୌଣସି ସରକାରୀ କାମରେ ବାବୁଙ୍କ ପାଖକୁ ହେଉ ଅବା କିରାଣୀ ପାଖକୁ ହୁଏ ପ୍ରଥମେ ଦଲାଲର ସହାୟତା ନେବାକୁ ହୁଏ। ଯିଏ ଏହି ପ୍ରକ୍ରିୟାକୁ ନଜରଅନ୍ଦାଜ କରି କୌଣସି କାର୍ଯ୍ଯ କରିବାକୁ ଚାହେଁ ବିଚରା ଏମିତି ହଇରାଣ ହୁଏ ଯେ ଶେଷରେ ବାଧ୍ୟହୋଇ ଦଲାଲର ସହାୟତା ନେଇଥାଏ। ବିଶେଷତଃ ତହସିଲ ଏବଂ ଆରଆଇ କାର୍ଯ୍ୟାଳୟ ମାନଙ୍କରେ ଏ ଦଲାଲ ରାଜ ବହୁ ପରିମାଣରେ ଦେଖିବାକୁ ମିଳେ । ଗୋଲାମୁଣ୍ଡା ବ୍ଳକର ପ୍ରତ୍ୟେକ ଆର ଆଇ କାର୍ଯ୍ୟାଳୟରେ ଦୁଇରୁ ତିନି ଜଣ ଲୋକ ଅଫିସରେ ଅଛନ୍ତି। ସେମାନେ ସେହି କାର୍ଯ୍ୟାଳୟର ସରକାରୀ ଚଉକିରେ ବସନ୍ତି। ସରକାରୀ କାମ ବି କରନ୍ତି। ତାଙ୍କ ମାଧ୍ୟମରେ ଆର ଆଇ ମହୋଦୟଙ୍କ ନିକଟକୁ ବିଭିନ୍ନ ସରକାରୀ କାଗଜପତ୍ର ଯାଏ । ସେହି ବାବୁମାନଙ୍କୁ ତାଙ୍କ ପଦବୀ ସମ୍ପର୍କରେ ପଚାରିଲେ ନା ସେମାନେ ଉତ୍ତର ଦିଅନ୍ତି ନା ଆର ଆଇ ମହାଶୟ ଉତ୍ତର ଦିଅନ୍ତି। ତହସିଲ କାର୍ଯ୍ୟାଳୟରେ ମଧ୍ୟ ସମାନ ଅବସ୍ଥା। ସେହିପରି ଗୋଲାମୁଣ୍ଡା ବ୍ଳକର କୃଷି ବିଭାଗ, ସମନ୍ଵିତ ଶିଶୁ ବିକାଶ ଯୋଜନା ,କୃଷି ସମବାୟ ସମିତି ,ସହକାରୀ ମତ୍ସ୍ୟ ଅଧିକାରୀ ଏଭଳି ଅନେକ ବିଭାଗ ସବୁଥିରେ ଦଲାଲ ରାଜ। ଏହି ବ୍ଳକରେ କାର୍ଯ୍ୟରତ ପ୍ରତ୍ୟେକ ଯନ୍ତ୍ରୀ ବ୍ୟକ୍ତିଗତ ସହାୟକ ନାଁରେ ଜଣେ ଜଣେ ଦଲାଲ ରଖିଛନ୍ତି। ଯୋଉ ମାନଙ୍କ ବିନା ପରାମର୍ଶରେ ବିଲ ହେବା ସମ୍ଭବ ନୁହେଁ। କିଛି ଦଲାଲ ଅଫିସର ଏବଂ କର୍ମବୀରଙ୍କ ଦଲାଲୀ କରୁଛନ୍ତି। କିଛି ଦଲାଲ ସମସ୍ତ ସରକାରୀ ଯୋଜନାକୁ ହଡପ କରୁଛନ୍ତି। ଥାନା ପୋଲିସ ମାମଲାରେ ତ ଦଲାଲମାନେ ମାଲେମାଲ ହେଉଛନ୍ତି। ଆଇନ ପ୍ରତି ଧାରଣା ନଥିବା ଗରିବଗୁରୁବା ଲୋକ କେବେ ଯଦି କୌଣସି ଅସୁବିଧାରେ ପଡ଼ି ଥାନାର ଦ୍ୱାରସ୍ଥ ହୁଏ ତେବେ ତୋ କଥା ସରିଲା। ବିଚରାକୁ ଏମିତି ଭୟଭୀତ କରାନ୍ତି ଯେ ଭୟରେ ସେ ଧାରକରଜ କରିଥାଏ । ସୂଚନାମତେ ବିଗତ ଦିନରେ ଧର୍ମଗଡ଼ ବ୍ଳକ ବ୍ୟାଙ୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ହଠାତ୍ ଚଢ଼ାଉ କରି କିଛି ଦଲାଲଙ୍କୁ ଗିରଫ କରିଥିଲା। ଗୋଲାମୁଣ୍ଡା ବ୍ଲକରେ ମଧ୍ୟ ନିରୀହ ଲୋକମାନଙ୍କୁ ଦଲାଲ କବଳରୁ ମୁକୁଳେଇବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ଚଢ଼ାଉ ସହ ବ୍ଯାପକ ସଚେତନତାର ଆବଶ୍ୟକତା ରହିଛି।

Post a Comment

Previous Post Next Post