ସିନ୍ଧେକେଲା ମାଁ ଦ୍ୱାରସେହ୍ନିଙ୍କ ଷୋଡ଼ଶ ଦିନାତ୍ମକ ଦଶହରା ଯାତ୍ରା ଆୟୋଜନ କୁ ନେଇ ପ୍ରସ୍ତୁତି ବୈଠକ


ସିନ୍ଧେକେଲା,୧୫/୯(ଆଜତକ୍ ଓଡ଼ିଶା) - ପଶ୍ଚିମ ଓଡିଶାର ପ୍ରସିଦ୍ଧ ଦଶହରା ଯାତ୍ରା ମଧ୍ୟରେ ବଲାଙ୍ଗିର ଜିଲ୍ଲାର ସିନ୍ଧେକେଲା ମାଁ ଦ୍ୱାରସେହ୍ନିଙ୍କ ବିଜୟା ଦଶମୀର ବୋଏଲବୁଲା ଯାତ୍ରା ଅନ୍ୟତମ । ସିନ୍ଧେକେଲା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ଦ୍ୱାରସେହ୍ନିଙ୍କ ଷୋଡ଼ଶ ଦିନାତ୍ମକ ଦଶହରା ପୂଜା ଆୟୋଜନ କୁ ନେଇ ମହାପ୍ରଭୁ ଦଧିବାମନ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜା ଅରୁଣ ସିଂଦେଓଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ଆସନ୍ତା ଆଶ୍ୱିନୀ ମାସ କୃଷ୍ଣପକ୍ଷ ମୂଳାଷ୍ଟମୀ ୨୪ ସେପ୍ଟେମ୍ବର ରୁ ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀ ଅକ୍ଟୋବର ୧୬ ପର୍ଯ୍ୟନ୍ତ ଉକ୍ତ ଷୋଡ଼ଶ ଦିନାତ୍ମକ ପୂଜା ଚାଲିବ ବୋଲି ସୂଚନା ମିଳିଥିଲା । କାର୍ଯ୍ୟକ୍ରମର ରୂପରେଖା ତିଆରି କରିବା ସହ ପାର୍ବଣ କାର୍ୟରେ ସମସ୍ତ ସେଵାୟତ ଦାୟିତ୍ୱ ଅନୁସାରେ ଦେବୀଙ୍କ କାର୍ଯ୍ୟ ତୁଲାଇବାକୁ ସିଦ୍ଧାନ୍ତ ନିଆଯାଇଥିଲା । ବିଶେଷ କରି ଦେବୀଙ୍କ ଡେଙ୍ଗସର୍ଗି ଯାତ୍ରା , ମହାଷ୍ଟମୀରେ ଉପେନଚାଳ ଯାତ୍ରା ଓ ବିଜୟା ଦଶମୀର ବୋଏଲବୁଲା ଯାତ୍ରାରେ ଅସମ୍ଭାଳ ଭିଡ଼ କୁ ନଜରରେ ରଖି ଶାନ୍ତି ଶୃଙ୍ଖଳା ସହ କାର୍ଯ୍ୟକ୍ରମ ଗୁଡିକୁ ସଫଳ କରିବା ପାଇଁ ଆଲୋଚନା କରାଗଲା । ବିଶେଷ ଆଲୋଚନାରେ ସିନ୍ଧେକେଲାରେ ଦିନକୁ ଦିନ ପରିବାର ସଂଖ୍ୟା ତଥା ଦେବୀଙ୍କ ପ୍ରତି ଭକ୍ତି ଭାବନା ବଢ଼ିବାରେ ଲାଗୁଥିବାରୁ ବିଜୟା ଦଶମୀ ବୋଏଲବୁଲା ରେ ବହୁ ବିଳମ୍ବ ହୋଇ ଅସୁବିଧା ହେଉଥିବା ସମସ୍ତ ସେବାୟତ ମାନେ କହିଥିବାରୁ ଏଥର ଦେବୀଙ୍କୁ ମନ୍ଦିରରୁ ଶୀଘ୍ର ବାହାର କରିବା ପାଇଁ ରାଜା ଶ୍ରୀ ସିଂଦେଓ ପରାମର୍ଶ ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ ପରିବାରର ଉଦିତ ନାରାୟଣ ସିଂଦେଓ , ସଞ୍ଜୟ ସିଂଦେଓ , ଦେବୀଙ୍କ ଦେହୁରୀ ବିକ୍ରମ ଥନାପତି , ସେବାୟତ ବଶିଷ୍ଠ ମଳିକ , ବିଦୁ ଛତରିଆ , ସୋନୁ ଜୈନ , ଗୋପୀ ସାହୁ , ପରମା ସାହୁ , ଶିବ ସାହୁ , ଅଜାମ୍ବିଳ ମାଝୀ , ମୋହନ ଦଣ୍ଡସେନା ପ୍ରମୁଖଙ୍କ ସହ ଦେବୀଙ୍କ ସମସ୍ତ ସେବାୟତ , ଚାରିଘରିଆ , ବଜାଘରିଆ , ଫୁଲବରିଆ ଓ ଗ୍ରାମର ବହୁ ଲୋକେ ଉପସ୍ଥିତ ଥିଲେ ।

Post a Comment

Previous Post Next Post