ଶୋଷ ମେଣ୍ଟାଉଛି ନାଳ ପାଣି


ନୁଆପଡା:- (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ନାଗ ପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୂଇଁ ପାଣି ଗ୍ରାମର ବରପଦର ଏକ ପଡ଼ା ଗ୍ରାମ। ବୋଡ଼େନ ଠାରୁ ୨୫ କିଲୋମିଟର ଜଙ୍ଗଲ ରାସ୍ତାରେ ଗଲେ ପଡ଼େ ବର ପଦର ଗାଆଁ। ଗାଁ ରେ ରହନ୍ତି ୨୮ ଟି ଆଦିବାସୀ ପରିବାର। ସମସ୍ତଙ୍କ ଚାଳ କୁଡିଆ ଘର। କୁଲି ମଜୁରୀ କରି ସମସ୍ତେ ପେଟ ପୋଷନ୍ତି। ଗାଁରେ ପାନୀୟ ଜଳର ଉତ୍କଟ ସମସ୍ୟା । ଖରା ମାସରେ ସବୁଆଡେ ପାନୀୟ ଜଳ ସମସ୍ୟା ହୋଇଥିବା କଥା ଆମେ ଜାଣୁ। ବର ପଦର ଗାଆଁ ରେ କିନ୍ତୁ ବର୍ଷ ତମାମ ପାଣି ସମସ୍ୟା। ଗାଁ ରେ ଦୁଇଟି ନଳକୂପ ଅଛି। କିନ୍ତୁ ଏହାର ପାଣି ପାନୀୟ ଉପଯୋଗୀ ନୁହଁ। ପାଣି ର ରଙ୍ଗ କିଛି ସମୟ ପରେ ନାଲି ପାଲଟି ଯାଏ । ଏପରିକି ପିନ୍ଧିଥିବା ବସ୍ତ୍ର ରେ ଲାଗିଲେ ବସ୍ତ୍ର ର ରଙ୍ଗ ନାଲି ହୋଇଯାଏ। ଗ୍ରାମବାସୀ ବାଧ୍ୟ ହୋଇ ନିକଟସ୍ଥ ଏକ ନାଳ ର ପାଣି ବ୍ୟବହାର କରନ୍ତି ଏହି ନାଳ ଟି ଜଙ୍ଗଲ ଭିତରେ ଆସିଥିବା ବେଳେ ଅନେକ ଦୂଷିତ ପଦାର୍ଥ ସଂସ୍ପର୍ଶ ରେ ଆସୁଛି। ଯାହା ଲୋକଙ୍କ ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ଅଟେ। ବର୍ତ୍ତମାନ ବର୍ଷା ଋତୁ ଚାଲୁ ଥିବାରୁ ଏହି ପାଣି ପିଇବା ଦ୍ଵାରା ଡାଇରିଆ ହେବାର ସମ୍ଭାବନା ରହିଛି। ତଥାପି କୌଣସି ବିକଳ୍ପ ନଥିବାରୁ ଲୋକେ ଏହି ନାଳ ପାଣି କୁ ପିଉଛନ୍ତି। ଅତିଶିଘ୍ର ସେମାନଙ୍କୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ବୋଡ଼େନ ବିଡ଼ିଓ ପ୍ରିୟରଞ୍ଜନ କୁମାରଙ୍କୁ ପଚାରିବାରୁ ନଳକୂପ ପାଣିର ମାନ ପରୀକ୍ଷା କରି ପାନୀୟ ଉପଯୋଗୀ କରାଯିବ ଓ ନିୟମ ଅନୁସାରେ ପାଇପ ଯୋଗେ ପାଣି ଯୋଗାଣ ର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

Post a Comment

Previous Post Next Post