ସୂର୍ଯ୍ୟବଂଶୀ ମୟୂର ବିକାଶ ବାଲେଶ୍ବରର ନୂଆ ଜିଲ୍ଲାପାଳ


ବାଲେଶ୍ବର, ୮/୮(ଲକ୍ଷ୍ମୀଧର ବାରିକ): ବୁଧବାର ସଂଧ୍ୟାରେ ରାଜ୍ୟ ସରକାର ବଡ଼ଧରଣର ଆଇଏଏସ୍‌ସ୍ତରରେ ଅଦଳବଦଳ କରିଛନ୍ତି। ଏହି କ୍ରମରେ ୨୦୧୧ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ତଥା ବାଲେଶ୍ବର ଜିଲ୍ଲାପାଳ ଆଶିଷ ଠାକ୍‌ରେଙ୍କୁ ରାଜସ୍ବ ପରିଷଦ ସଚିବ ଭାବେ କଟକ ବଦଳି କରାଯାଇଛି। ସେହିପରି ୨୦୧୮ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ତଥା କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କର ବାଲେଶ୍ବର ଜିଲ୍ଲାକୁ ବଦଳି ହୋଇଛି। ସୂଚନା ଅନୁସାରେ, ଗତ ଫେବ୍ରୁଆରି ମାସ ୨୮ ତାରିଖରେ ଶ୍ରୀ ଠାକ୍‌‌ରେଙ୍କର ପଡ଼ୋଶୀ ଜିଲ୍ଲା ମୟୂରଭଞ୍ଜରୁ ବାଲେଶ୍ବରକୁ ବଦଳି ହୋଇଥିଲା। ମାତ୍ର ୫ ମାସର ରହଣି ଭିତରେ ଶ୍ରୀ ଠାକ୍‌ରେ ଗୁରୁତ୍ବପୂର୍ଣ୍ଣ ସାଧାରଣ ନିର୍ବାଚନ ପରିଚାଳନା ସୁଚାରୁ ରୂପେ ପରିଚାଳନା କରି ତାଙ୍କ ଦକ୍ଷତାର ପରିଚୟ ଦେଇଥିଲେ। ସେହିପରି ସହରରେ ନିକଟରେ ଘଟିଥିବା ଏକ ଅପ୍ରୀତିକର ପରିସ୍ଥିତିକୁ ମୁକାବିଲା କରି ସ୍ବଳ୍ପ ଦିନ ମଧ୍ୟରେ ସ୍ବାଭାବିକ ସ୍ଥିତିକୁ ଫେରାଇ ଆଣିବାରେ ସକ୍ଷମ ହୋଇଥିଲେ। ତେବେ ତାଙ୍କ ସ୍ଥାନରେ ଆସିଥିବା ଶ୍ରୀ ବିକାଶଙ୍କ ଆଗରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଏବଂ ପ୍ରାଶାସନିକ ପରିଚାଳନା ଭଳି ଗୁରୁତ୍ବପୂର୍ଣ୍ଣ ଆହ୍ବାନ ରହିଛି। ଜିଲ୍ଲାପାଳ ଭାବେ ଅଳ୍ପ କିଛି ବର୍ଷ କାର୍ଯ୍ୟ କରିଥିଲେ ମଧ୍ୟ ଶ୍ରୀ ବିକାଶ କେନ୍ଦ୍ରାପଡ଼ାରେ ନିଜର ପ୍ରାଶାସନିକ ଦକ୍ଷତା ପ୍ରତିପାଦନ କରିଛନ୍ତି। ବାଲେଶ୍ବରରେ ମଧ୍ୟ ସେ ଦକ୍ଷତାର ସହ କାମ କରିବେ ବୋଲି ସାଧାରଣ ଜନତା ଆଶା ବ୍ୟକ୍ତ କରିଛନ୍ତି।

Post a Comment

Previous Post Next Post