ସହଭାଗି ବିକାଶ ଅଭିଯାନ ର ଲିଙ୍ଗ ଭିତ୍ତିକ ସଚେତନତା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ


କୋମନା (ବିରବଲ ପ୍ରଧାନ) ଓଡିଶାର ଅନ୍ୟତମ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହଭାଗୀ ବିକାଶ ଅଭିଯାନ ଆନୁକୁଲ୍ୟରେ ଏବଂ ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନ (ଇରରି)ଙ୍କ ସହାୟତାରେ ଅନୁଷ୍ଠାନର ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ବିଲେନଜୋର ସ୍ଥିତ ତାଲିମ କେନ୍ଦ୍ର ପରିସରରେ ଏକ ୩ ଦିବସୀୟ ଆବାସିକ ତାଲିମ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି ।  ଗତ  ତା -୨୯.୦୫.୨୦୨୪  ଠାରୁ ୩୧.୦୫.୨୦୨୪ ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ଏହି ତାଲିମ କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଅନୁଷ୍ଠାନର କାର୍ଯ୍ୟକ୍ରମ ପରିଚାଳନା ନିର୍ଦ୍ଧେଶିକା ଶୁଭଶ୍ରୀ ପ୍ରଧାନ  ପ୍ରଦୀପ ପ୍ରଜ୍ବଳନ କରିବା ପରେ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସହଭାଗୀ ବିକାଶ ଅଭିଯାନ ଅନୁଷ୍ଠାନ ର  ବିଭିନ୍ନ ପ୍ରକଳ୍ପ ରେ କାର୍ଯ୍ୟରତ କର୍ମ କର୍ତ୍ତା ମାନେ ଏହି ତାଲିମରେ ଅଂଶଗ୍ରହଣ କରିଥିଲେ । ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟ ତାଲିମଦାତ୍ରୀ ଭାବେ ରାଷ୍ଟ୍ରୀୟ ସ୍ତରରେ ସୁପରିଚିତା ତାଲିମଦାତ୍ରୀ ରାଜସ୍ଥାନର ସୀମା କୋବ୍ରା ଯୋଗ ଦେଇଥିଲେ ।  ସୁଶ୍ରୀ କୋବ୍ରା  ତାଲିମ ଗ୍ରହୀତାଙ୍କ ମନକୁ ଛୁଇଲା ଭଳି ବିଭିନ୍ନ ତାଲିମ ଉପକରଣ, ପ୍ଲେ କାର୍ଡ ,  ଚାର୍ଟ ଓ ଭିଡିଓ ଗ୍ରାଫି ଇତ୍ୟାଦିର ବ୍ୟବହାର କରି ବିଭିନ୍ନ ଖେଳ ଓ ଆଲୋଚନା ମାଧ୍ୟମରେ ଅତି ପ୍ରଭାବଶାଳୀ ଢଙ୍ଗରେ  ତିନି ଦିନର ତାଲିମ କାର୍ଯ୍ୟ ସମ୍ପାଦନ କରିଥିଲେ ।  ବିଷୟ ଭିତ୍ତିକ ଦିଗକୁ ବିଚାର କଲେ ଜଣା ଯାଏ ଯେ  ଜେଣ୍ଡର ବା ଲିଙ୍ଗଭିତ୍ତିକ ଭେଦଭାବ ଏକ ମଣିଷକୃତ ବିଚାର ବା ଚିନ୍ତନ କିନ୍ତୁ ଏହା ଇଶ୍ଵର ପ୍ରଦତ୍ତ ନୁହେଁ ।ଯେ କୌଣସି ସମାଜର ସାମଗ୍ରିକ ବିକାଶ ନିମନ୍ତେ ଲିଙ୍ଗ ଭିତ୍ତିକ ଭେଦଭାବ ଏକ ବଡ଼ ପ୍ରତିବନ୍ଧକ ହୋଇଥାଏ . ଆମର ସମାଜରେ ମହିଳା ମାନଙ୍କ ବିଭିନ୍ନ କାର୍ଯ୍ୟକୁ ସମାଜ ସମ୍ମାନ ଦିଏନାହିଁ କିମ୍ବା ତାହାର ମୂଲ୍ୟକୁ ଗୁରୁତ୍ଵ  ଦିଆଯାଉନାହି । ନିଜ ସମ୍ପର୍କରେ କୌଣସି ନିଷ୍ପତ୍ତି ନେବାରେ ମଧ୍ୟ ମହିଳାଙ୍କୁ ସ୍ୱାଧୀନତା ଦିଆଯାଏ ନାହିଁ, ଯାହା ଫଳରେ ମହିଳା ମାନଙ୍କ ବିକାଶ ବାଧାପ୍ରାପ୍ତ ହୋଇଥାଏ . ସମ୍ପତ୍ତି ଉପରେ ମହିଳା ମାନଙ୍କ ଅଧିକାର , ସାମୁହିକ କାର୍ଯ୍ୟକ୍ରମ ବା ଅନୁଷ୍ଠାନ ମାନଙ୍କରେ ନେତୃତ୍ୱ ନେବା , ବିଭିନ୍ନ ପ୍ରକାର ବୃତ୍ତିରେ ଯୋଗଦେବା ଇତ୍ୟାଦି କ୍ଷେତ୍ରରେ ଅନେକ ରକମର ସାମାଜିକ ଓ ଅଲିଖିତ କଟକଣା ରଖାହୋଇ ଆସୁଛି ।ଲିଙ୍ଗଭିତ୍ତିକ ଏହି ସବୁ ତାରତମ୍ୟକୁ ଦୂର କରିବା ପାଇଁ  ସାମାଜିକ ଗତିଶୀଳତା  ଆଣିବାର ଗୁରୁତ୍ୱ ଉପରେ  ଆଲୋଚନା କରାଯାଇଥିଲା। ମହିଳାଙ୍କୁ ଉଚ୍ଚଶିକ୍ଷା ପାଇଁ ସୁଯୋଗ ଦେବା , ସରକାରୀ  ଅଧିକାରୀ ମାନଙ୍କ ସହିତ ଆଲୋଚନା କରିବା ଓ ନୂଆ ଜ୍ଞାନ କୌଶଳ ଶିଖିବା, ବ୍ୟାଙ୍କ ପ୍ରଭୃତି ବିଭିନ୍ନ ଅନୁଷ୍ଠାନ ମାନଙ୍କ ସହିତ ଯୋଗାଯୋଗ କରି ପରିବାରର ଆର୍ଥିକ ବିକାଶ ଦିଗରେ ନିଷ୍ପତ୍ତି ନେଇପାରିବା ଭଳି ସୁଯୋଗ ସୃଷ୍ଟି କରବା ଇତ୍ୟାଦି ମୁଖ୍ୟ ବିଷୟ ଉପରେ ଆଲୋଚନା କରଯାଇଥିଲା ।ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନ ଦିଗରେ ଲିଙ୍ଗଭିତ୍ତିକ ଭେଦଭାବକୁ କିପରି ଦୂର କରଯାଇପାରିବ ସେ ଦିଗରେ ଜନସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି ନିମନ୍ତେ କେତେକ କାର୍ଯ୍ୟକ୍ରମ ନେବାକୁ ସ୍ଥିର କରାଯାଇଥିଲା ।

Post a Comment

Previous Post Next Post