ନୂଆପଡା (ବିରବଲ ପ୍ରଧାନ) ଗାଁକୁ ନାହିଁ ପାନୀୟ ଜଳ ଯୋଗଣା ବ୍ୟବସ୍ଥା। ଫେଲ ମାରିଛି ବସୁଧା ଯୋଜନା । ସରକାର ଗାଁ ଗାଁକୁ ପାଇପଲାଇନ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଉଥିବା ର ବାହାବାହା ନେଉଥିବା ବେଳେ ଏଠି ଲୋକଙ୍କୁ ନଳକୂପ ଜଳ ମଧ୍ୟ ମିଳୁନଥିବା ଅଭିଯୋଗ ହେଉଛି। ନୂଆପଡା ଜିଲ୍ଲା ସିର୍ଲି ଗାଁ ର ମାକରଖଲିଆ ଗାଁରେ ଦେଖିବାକୁ ମିଳିଛି ସରକାରୀ ଯୋଜନାର ବାସ୍ତବ ଚିତ୍ର । ଏଠିକାର ଲୋକେ ପାଣି ବୁନ୍ଦାଏ ପାଇଁ ଡହଳ ବିକଳ ହେଉଥିବା ବେଳେ, ଗାଁ ନିକଟସ୍ଥ ଚହଲା କୂଳରେ ଚୁଆଁ ଖୋଲି ପାଣି ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି। ଚୁଆଁର ଦୂଷିତ ପାଣି ପିଇ ଅନେକ ସମୟରେ ଲୋକ ଅନେକ ରୋଗରେ ପୀଡିତ ମଧ୍ୟ ହେଉଥିବା ଅଭିଯୋଗ କରିଛନ୍ତି। ନୂଆପଡା ଜିଲ୍ଲା ସଦର ମହୁକମା ଠାରୁ 120 କିଲୋମିଟର ଦୂରତାରେ ଅବସ୍ଥିତ ସିର୍ଲିମାକରଖଲିଆ ଗାଁ । ଗାଁରେ ସରକାରଙ୍କ ବସୁଧା ଯୋଜନା ଏବଂ ହରଘର ନଳ ଯୋଜନା ବାଟବଣା ହୋଇଥିବା ଦେଖିବାକୁ ମିଳିଛି। ଗାଁରେ ଥିବା ନଳକୂପ ମଧ୍ୟ ବ୍ୟବହାରରେ ଆସୁନି। ଫଳରେ ପାଣି ସମସ୍ୟା ନେଇ ଲୋକେ ସରପଞ୍ଚଠୁ ଆରମ୍ଭ କରି ବିଡିଓଙ୍କୁ ବାରମ୍ବାର ଜଣାଇଥିଲେ ବି ସବୁ ଯେମିତି ନିରବଦ୍ରଷ୍ଟା ପାଲଟିଛନ୍ତି। ସେପଟେ ଦୂଷିତ ପାଣି ଲୋକେ ଅନେକ ଅଜଣା ରୋଗର ଶିକାର ହେଉଥିବା ଅଭିଯୋଗ କରିଛନ୍ତି ।
ହେଲେ ତାଙ୍କ ଦୁଃଖ ଶୁଣିବାକୁ ଯେମିତି କେହି ନାହିଁ। ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରପଞ୍ଚ, ସମିତି ସଭ୍ୟ,ବିଡିଓଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ଏହି ସମସ୍ୟା ପ୍ରତି ସେମାନେ ଧ୍ୟାନ ଦେଉ ନଥିବା ଗ୍ରାମବାସି ଅଭିଯୋଗ କରିଛନ୍ତି । ଆଗକୁ ପ୍ରଚଣ୍ଡ ଖରା ଆସୁଥିବା ବେଳେ ପିଇବା ପାଣି ପାଇଁ ଗାଁଙ୍କୁ ଚିନ୍ତା ମାଡ଼ି ବସିଲାଣି। କେବଳ ପାନୀୟ ଜଳ ନୁହେଁ, ଗାଁକୁ ଗମନାଗମନ ପାଇଁ ପକ୍କା ରାସ୍ତା ମଧ୍ୟ ନାହିଁ। ସେପଟେ ଗାଁରେ ଛୋଟ ଶିଶୁ ଓ ମାଆର ସୁରକ୍ଷା ପାଇଁ ଅଙ୍ଗନବାଡିର ସୁବିଧା ମଧ୍ୟ ନାହିଁ। ତେବେ ଲୋକଙ୍କ କହିବା ଅନୁଯାୟୀ, “କେବଳ ଭୋଟ ଆସିଲେ ବାବୁ ମାନେ ଗାଁକୁ ଆସୁଛନ୍ତି, କିନ୍ତୁ ଆମ ଅସୁବିଧା କାହାରିକୁ ଦେଖା ଯାଉନାହିଁ । ଆମର ଆବଶ୍ୟକତା ପୂରଣ ନେଇ କୌଣସି ଜନପ୍ରତିନିଧି କିମ୍ବା ସରକାରୀ ବାବୁଙ୍କ ଦୃଷ୍ଟି ପଡ଼ିନାହିଁ।'' ଏହି ଜଳ ସମସ୍ୟା ବିଷୟରେ ଜନସ୍ବାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ କହିଛନ୍ତି, “ ପାଣି ଅଧିକ ଥିବାରୁ ନାଲି ପାଣି ବାହାରୁଛି। ତେବେ ଆମର ମେଗା ପ୍ରୋଜେକ୍ଟ ଦ୍ବାରା କାମ କରାଯାଉଛି। ଏହି ପାଣି ସମସ୍ୟା ଯଥାଶୀଘ୍ର ସମାପ୍ତ ହୋଇଯିବ।" । ତେବେ ମାଓ ପ୍ରବଣ ଲୋକଙ୍କ ଚାହିଦା ଅନୁସାରେ ଯୋଜନା କରି ଲୋକଙ୍କ ଆବଶ୍ୟକତା ପୂରଣ କରିବାପାଇଁ ସରକାର ନିୟମ କରିଛନ୍ତି । ହେଲେ ସବୁ ନିୟମ ଏଠାରେ କାର୍ଯ୍ୟକାରୀ ହେଉନଥିବା ଦେଖାଦେଇଛି । ଏବେ ଦେଖିବାକୁ ବାକି ରହିଲା ସରକାର ତାଙ୍କ ପ୍ରତିଶୃତିକୁ କେତେ ଦୂର ସଫଳ କରିପାରୁଛନ୍ତି।
Post a Comment