୧୦ରେ ଜାତୀୟ କୃମିନାଶକ ଦିବସ, ୧୭ରେ ମୋପ ଅପ୍


ସୁବର୍ଣ୍ଣପୁର(ଗଣପତି ବାଘ) କୃମିନାଶକ ଔଷଧ ଖାଇବେ ୧ରୁ ୨୪ ବର୍ଷର ୧୬୭୪୨୮ ହିତାଧିକାରୀ । କୃମି ଆକ୍ରାନ୍ତ ବ୍ୟକ୍ତି ଅପପୁଷ୍ଟି ଓ ରକ୍ତହୀନତା ସମେତ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ବିଶେଷ କରି ଶିଶୁମାନଙ୍କ ଶାରିରୀକ ଓ ମାନସିକ ଅବିବୃଦ୍ଧି ସଠିକ ଭାବେ ହୁଏ ନାହିଁ । ତେଣୁ କୃମିନାଶକ ଔଷଧ ସେବନ ପୂର୍ବକ ଏହି ସଂକ୍ରମଣକୁ ପ୍ରତିହତ କରିବା ନିହାତି ଆବଶ୍ୟକ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ବରଂଜନ ପତି ଉଲ୍ଲେଖ କରିଛନ୍ତି । ଆସନ୍ତା ୧୦ ଫେବୃୟାରୀ ୨୦୨୪ ତାରିଖ ଦିନ ଜାତୀୟ ସ୍ତରରେ କୃମିନାଶକ ଦିବସ ପାଳନ କରାଯିବ । ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ୧୬୭୪୨୮ ହିତାଧିକାରୀ ଆଲବେଣ୍ଡାଜୋଲ ଔଷଧ ଖାଇବେ । ଏହାମଧ୍ୟରୁ ୧୫୪୧୪୬ ଶିଶୁ ଓ କିଶୋର (୧ - ୧୯ ବର୍ଷ ) ଏବଂ ୧୩୨୮୨ ଜଣ ପ୍ରଜନନକ୍ଷମ ବୟସର ମହିଳା (୨୦ - ୨୪ ବର୍ଷ ) ଅଛନ୍ତି । ପ୍ରଜନନକ୍ଷମ ବୟସର ମହିଳାଙ୍କ ମଧ୍ୟରେ ଥିବା ଗର୍ଭବତୀ ଓ ପ୍ରସୂତି ମାନେ ଏହି ଔଷଧ ଖାଇବେ ନାହିଁ । ଜିଲ୍ଲାର ୨୦୧୯ ଟି ସରକାରୀ ଓ ବେସରକାରୀ ସ୍କୁଲ, ୧୫୦୨ ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଔଷଧ ମାଗଣାରେ ଦେବାପାଇଁ ବ୍ୟବସ୍ଥା କରାଯାଇଅଛି । ଏଥିପାଇଁ ୯୧ ଜଣ ମହିଳା ସ୍ୱାସ୍ଥ୍ୟ କର୍ମୀ, ୫୩୩ ଜଣ ଆଶାକର୍ମୀ ତଥା ୧୫୧୦ ଜଣ ଅଙ୍ଗନବାଡ଼ି କର୍ମୀ ନିୟୋଜିତ ରହିବେ । ଏହି ଔଷଧ ସମ୍ପୂର୍ଣ ନିରାପଦ ଅଟେ ତେଣୁ ନିର୍ଦ୍ଧିଷ୍ଟ ବୟସ ବର୍ଗର ସମସ୍ତ ହିତାଧିକାରୀ ଏହି ଔଷଧ ସେବନ କରିବାକୁ ଜିଲ୍ଲା ସ୍ବାସ୍ଥ୍ୟ ସମିତି ତରଫରୁ ଅନୁରୋଧ କରାଯାଇଛି। ଯେଉଁ ମାନେ ଏହି ଦିନରେ ରହିଯିବେ ସେମାନଙ୍କୁ ପୁଣି ଥରେ ୧୭ତାରିଖ ଦିନ ଦିଆଯିବ ବୋଲି ସୂଚନା ଦେଇଛନ୍ତି । ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ବରଂଜନ ପତି ଲୋକମାନଙ୍କୁ ସଚେତନ କରିବା ପାଇଁ ଏକ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ( ପରିବାର କଲ୍ୟାଣ) ଡ଼ାକ୍ତର ଦୈତ୍ୟ ନାରାୟଣ ପାଢ଼ୀ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାକ୍ତର ମନୋଜ କୁମାର ଅଦାବର, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ , ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ, ଡିପିଏମ୍ ଏନଏଚଏମ ବିଶ୍ଵମ୍ବର ବେହେରା, ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ପ୍ରମୁଖ ମଂଚ଼ାସୀନ ଥିଲେ। ଡିଏମ୍ଆରସିଏଚ ସୁଧାଂଶୁ ନାୟକ ସାମ୍ବାଦିକ ସମ୍ମିଳନୀ ଆୟୋଜନରେ ସହଯୋଗ କରିଥିଲେ।

Post a Comment

Previous Post Next Post