ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବମୁଖର ସିନାପାଲି


ସିନାପାଲି:୨୨/୦୧ (ପରମେଶ୍ବର ମେହେର) ଦୀର୍ଘ ପାଂଚଶହ ବର୍ଷ ପରେ ମର୍ଯ୍ଯଦା ପୁରୁଷୋତମ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସୋମବାର ତାଙ୍କ ଜନ୍ମମାଟି ଅଯୋଧ୍ଯା ଠାରେ ଅନୁଷ୍ଠିତ ହୋଇଛି । ଏହି ଉପଲକ୍ଷେ ସାରା ଦେଶ ଉତ୍ସବ ମନାଉଥିବା ବେଳେ ଏନେଇ ନୂଆପଡ଼ା ଜିଲ୍ଲା ସିନାପାଲି ଅଂଚଳ ମଧ୍ଯ ଉତ୍ସବମୁଖର ହୋଇ ଉଠିଥିଲା । ସୋମବାର ଭୋରରେ କାପସି ସମଲେଶ୍ୱରୀ ମନ୍ଦିର ଠାରୁ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ଦ୍ୱାରା ପ୍ରଭାତ ଫେରି କରାଯାଇଥିଲା । ଏହା ପରେ ସ୍ଥାନୀୟ ହନୁମାନ ମନ୍ଦିର ପ୍ରାଙ୍ଗଣରେ ନୂତନ ଶ୍ରୀରାମ ମନ୍ଦିର ନିର୍ମାଣ ନିମନ୍ତେ ଭୂମିପୂଜନ ଅନୁଷ୍ଠିତ ହୋଇଥିଲା । ପୂର୍ବାହ୍ଣରେ ସ୍ଥାନୀୟ ଗାୟତ୍ରୀ ଶକ୍ତିପୀଠ ଠାରେ ଭବ୍ଯ ୧୦୮ କୁଣ୍ତିୟ ରାମନାମ ମହାଯଜ୍ଞର ଆୟୋଜନ କରାଯାଇଥିବା ବେଳେ ଯଜ୍ଞରେ ୧୦୮ ଯୋଡ଼ା ଦମ୍ପତି କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ । ଯଜ୍ଞ ପରିସରରେ ମୁଣ୍ତନ,କୁଣାବେରା, ଗର୍ଭ ସଂସ୍କାର ଆଦି ସଂସ୍କାରକାର୍ଯ୍ଯକୁ ପୂର୍ଣ୍ଣଚଂଦ୍ର ମେହେର ସଂଚାଳନ କରିଥିବା ବେଳେ ତରୁଣ ମେହେରଙ୍କ ସମେତ ହରେକୄଷ୍ଣ ମେହେର, ଚୂଡ଼ାମଣି ମେହେର, ସନ୍ତୋଷ ନାଏକ, ରାଘବ ମେହେର, ନରସିଂହ, ଜିତେଂଦ୍ର, ଅଙ୍କିତା, ନମିତା ଯଜ୍ଞ ସଂଚାଳନ କରିଥିଲେ ା ଏହି ଅବସରରେ ହନୁମାନ ୟୁଥ କ୍ଲବ, ଶ୍ରୀରାମ ପୂଜା କମିଟି ଦ୍ୱାରା ଅନ୍ନଭୋଗ ବ୍ଯବସ୍ଥା କରାଯାଇଥିଲା । ଅପରାହ୍ଣରେ ସୁସଜ୍ଜିତ ରଥରେ ଶ୍ରୀରାମ ବିଗ୍ରହକୁ ସ୍ଥାପନ କରି ଉଭୟ ମହିଳା ଓ ପୁରୁଷ ଶ୍ରଦ୍ଧାଳୁଙ୍କ ଦ୍ୱାରା ବିରାଟ ଶୋଭାଯାତ୍ରା ସିନାପାଲି ନଗର ପରିକ୍ରମା କରିଥିଲା । ଶୋଭାଯାତ୍ରାରେ ପାରମ୍ପରିକ ସାଂସ୍କୃତିକ ଦଳ ଗୁଡ଼ିକ ସାମିଲ ଥିଲେ । ସଂଧ୍ଯାରେ ଜଗନ୍ନାଥ ମନ୍ଦିର ଠାରେ ଦଶ ହଜାର ଦୀପ ଜଳାଇ ଦୀପ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା ା ଦୀପଯଜ୍ଞକୁ ଗାୟତ୍ରୀ ଶକ୍ତିପୀଠର ପରିଜନ ପରିଚାଳନା କରିଥିବା ବେଳେ ବୈଷ୍ଣବ ମେହେର ଓ ମିତା ମେହେର କର୍ତ୍ତା ରହିଥିଲେ ା ଏଥିସହ ସ୍ଥାନୀୟ କଳାକାରଙ୍କ ଦ୍ବାରା ଭଜନ ସଂଧ୍ଯା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ରାତିରେ ପ୍ରାୟ ଦଶ ହଜାର ଶ୍ରଦ୍ଧାଳୁ ଅନ୍ନପ୍ରସାଦ ସେବନ କରିଥିଲେ । ସକାଳୁ ସିନାପାଲି ସହର ସମେତ ଆଖପାଖ ଅଂଚଳର ପ୍ରତ୍ଯେକ ପରିବାର ନିଜ ଅଗଣାରେ ଝୋଟି କାଟି ଶୁଭକଳସ ସ୍ଥାପନ କରିଥିବା ବେଳେ ଘରେ ବାହାରେ ଗୈରିକ ପତକାରେ ସୁସଜ୍ଜିତ କରିଥିଲେ । ଏଥିସହ ହାତୀବନ୍ଧା, ଚଳନା, ଗଣ୍ତାବାହାଲୀ, ସିଙ୍ଗଝର, କେନ୍ଦୁମୁଣ୍ତା, ନୀଲଜି, ଟିମନପୁର ଆଦି ଅଂଚଳ ସହ ବ୍ଲକର ସମସ୍ତ ଗ୍ରାମରେ ବିଭିନ୍ନ କାର୍ଯ୍ଯକ୍ରମ କରାଯାଇ ଥିବାରୁ ଏହା ସମଗ୍ର ଅଂଚଳକୁ ଉତ୍ସବମୁଖର କରିଥିଲା । ସିନାପାଲିରେ ଆୟୋଜକ କମିଟିର ସଭାପତି ପ୍ରିୟରଞ୍ଜନ ମେହେର, ଉପସଭାପତି ସୁରଜ ମେହେର, ଅମିତ ଜୈନ, ସଂପାଦକ ପ୍ରବୀଣ ମେହେର, ପ୍ରଭାତ ମେହେର, କୋଷାଧ୍ୟକ୍ଷ ବିକାଶ ମେହେର ନେତୄତ୍ୱ ନେଇଥିବା ବେଳେ ବଜରଙ୍ଗ ଦଳ, ବିଶ୍ୱ ହିନ୍ଦୁ ପରିଷଦ, ଉଦନ୍ତୀ ୟୁଥ କ୍ଲବ, ହନୁମାନ କ୍ଲବ,ମାରୱାଡ଼ି ଯୁବା ମଂଚ, ଶ୍ରୀରାମ ପୂଜା କମିଟି, ଭାଗବତ ଟୁଙ୍ଗୀ, ବ୍ଯବସାୟୀ ସଂଘ ପ୍ରମୁଖ ସଂଗଠନର କର୍ମକର୍ତ୍ତା ସହଯୋଗ କରିଥିଲେ ।

Post a Comment

Previous Post Next Post