ବାଲିଆପାଳ, ୨୭/୧୦ (ପ୍ରଭାକର ମଲ୍ଲିକ): ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅସ୍ତି ପଞ୍ଚାୟତ ଅନ୍ତର୍ଗତ ସାନ ମଇଁଷିଆଡ଼ି ଗାଁରେ ପିଲା ଚୋରି ପ୍ରୟାସ ଘଟଣା ନଜରକୁ ଆସିଛି । ଗତ ଅକ୍ଟୋବର ୨୫ ତାରିଖ ସକାଳ ପ୍ରାୟ ୬ ଟା ସମୟରେ ପେଣ୍ଟ ସାର୍ଟ ଉପରେ ଶାଢ଼ୀ ଚୁଡ଼ି ଓ ବଡ଼ ଟିକିଲି ଧାରଣ କରିଥିବା ଜଣେ ଯୁବକ ଟ୍ୟୁସନ୍ ଯାଉଥିବା ତିନି ଭଉଣୀଙ୍କ ମଧ୍ୟରୁ ପ୍ରାୟ ୩ ବର୍ଷର ସବୁଠାରୁ ସାନ ଭଉଣୀକୁ ଉଠାଇ ନେଇ ଯିବାକୁ ପ୍ରୟାସ କରିଥିଲା । ଝିଅମାନଙ୍କର କାନ୍ଦବୋବାଳି ଓ କୋଳାହଳ ଯୋଗୁଁ ଝିଅଟିକୁ ଛାଡ଼ି ଦେଇ ଦୌଡ଼ି ପଳାଇଥିଲା । ଝିଅଟି ସେହି ଗାଁର ମନୁ ବାରିକଙ୍କ ସାନ ଝିଅ ଏନି ବୋଲି ଜଣା ପଡ଼ିଛି । ପିଲା ଚୋରଟି ବେଶଭୂଷା ଓ ଢଙ୍ଗରଙ୍ଗରୁ ପାଗଳା ବା ବହୁରୂପା ଭଳି ଲାଗୁଥିଲେ ମଧ୍ୟ ସେମିତି ନୁହେଁ କାରଣ ଘଟଣା ପରେ ଗାଁ ଲୋକ ଅନେକ ଖୋଜାଖୋଜି କରି ମଧ୍ୟ ତାକୁ ପାଇ ନ ଥିଲେ । ସହଜରେ ବେଶ ବଦଳେଇ ସାଧାରଣ ଲୋକଙ୍କ ଭିତରେ କୁଆଡ଼େ ମିଶି ଯାଇ ପାରିବା ଭଳି ବେଶ ଧରି ବୁଲୁଛି ବୋଲି ଲୋକଙ୍କ ଅନୁମାନ । ପଶ୍ଚିମ ବଙ୍ଗର ସୀମା ଏଠାରୁ ଅଳ୍ପ ଦୂର ଏବଂ ସମୟ ସମୟରେ ଅନ୍ୟାନ୍ୟ ସ୍ଥାନରେ ପିଲା ଚୋରିର ସମାଚାର ଶୁଣିବାକୁ ଓ ପଢ଼ିବାକୁ ମିଳୁଥିବାରୁ ଏ ଘଟଣା ସ୍ଥାନୀୟ ଅଧିବାସୀଙ୍କ ମନରେ ଆତଙ୍କ ଓ ଆଶଙ୍କା ସୃଷ୍ଟି କରିଛି । ସ୍ଥାନୀୟ ପ୍ରଶାସନ ଅଧିକ ସତର୍କ ହେବା ଆବଶ୍ୟକ ।
ବାଲିଆପାଳରେ ପିଲା ଚୋରି
ଆଜତକ ଓଡ଼ିଶା
0
Post a Comment