ରାଜ୍ୟସ୍ତରୀୟ ସିନିଅର ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଘାଟିତ ରାଜ୍ୟର ୨୫୦ରୁ ଅଧିକ ସଂଖ୍ୟକ ପ୍ରତିଯୋଗୀ ଅଂଶଗ୍ରହଣ

ବାଲେଶ୍ବର, ୨୩/୯ (ଲକ୍ଷ୍ମୀଧର ବାରିକ) ବାଲେଶ୍ବର ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ଦ୍ବାରା ଆଇଟିଆଇ ଛକ ସ୍ଥିତ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ୍‌ ଠାରେ ଆଜି ରାଜ୍ୟସ୍ତରୀୟ ସିନିଅର ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। ବାଲେଶ୍ବର ଜିଲ୍ଲାର କ୍ରୀଡ଼ା ଇତିହାସରେ ଏହି ପ୍ରତିଯୋଗିତାଟି ପ୍ରଥମ ତଥା ବ୍ୟାଡମିଣ୍ଟନ କ୍ରୀଡ଼ା କ୍ଷେତ୍ରରେ ଏହାର ଆୟୋଜନ ଜିଲ୍ଲାରେ ପ୍ରଥମ ଥର ଲାଗି କରାଯାଇଛି। ଏହି କ୍ରୀଡ଼ା ମହୋତ୍ସବରେ ପୁରୁଷ ସିଙ୍ଗଲ୍‌, ପୁରୁଷ ଡବଲ୍‌, ମହିଳା ସିଙ୍ଗଲ୍‌, ମହିଳା ଡବଲ୍‌ ତଥା ଯୁଗଳ ଡବଲ୍ ଆଦି ବିଭାଗରେ ମ୍ୟାଚ୍‌ ଅନୁଷ୍ଠିତ ହେବାର ଅଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାର ୨୫୦ରୁ ଅଧିକ ସଂଖ୍ୟକ ପ୍ରତିଯୋଗୀ ଏହି କ୍ରୀଡ଼ା ସମାରୋହରେ ଅଂଶଗ୍ରହଣ କରିଛନ୍ତି। କ୍ରୀଡ଼ା ପରିଚାଳନା ନିମନ୍ତେ ଜାତୀୟ ସ୍ବୀକୃତିପ୍ରାପ୍ତ ତଥା ରାଜ୍ୟ ସ୍ବୀକୃତିପ୍ରାପ୍ତ ୧୮ ଜଣ ଖେଳ ପରିଚାଳକ ଦାୟିତ୍ବରେ ନିୟୋଜିତ ହୋଇଛନ୍ତି। ପ୍ରତିଯୋଗିତାରେ ପୁରସ୍କାର ରାଶି ୧ ଲକ୍ଷରୁ ଅଧିକ ରହିଥିବା ବେଳେ ୩ ଦିନ ଧରି ଚାଲୁ ରହିବାର ସୂଚନା ରହିଛି। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ରାଜ୍ୟ ବ୍ୟାଡମିଣ୍ଟନ ସଂଘର ଶୁଭମ ଶର୍ମା, ରାଜ୍ୟ ବ୍ୟାଡମିଣ୍ଟନ ସଂଘର ଜୋନାଲ ମୁଖ୍ୟ ଜୟପ୍ରକାଶ ସିଂ, ଜିଲ୍ଲା ବ୍ୟାଡମିଣ୍ଟନ ସଂଘର ସଭାପତି ଚିନ୍ମୟ ବିଶ୍ବାଳ, ସଂଘର ସଂପାଦକ ମନୋରଂଜନ ପଣ୍ଡା ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ ସଂଘର ସଦସ୍ୟମାନେ ସହଯୋଗ କରିଥିଲେ।

Post a Comment

Previous Post Next Post