ବାଲେଶ୍ବର,୧୧/୯(ଲକ୍ଷ୍ମୀଧର ବାରିକ): ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ଅତି଼ରିକ୍ତ ପ୍ରମୁଖ ସଚିବ ତଥା ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ୯ ସେପ୍ଟେମ୍ବରରେ ଟିପିଏନ୍ଓଡିଏଲ୍ର ବାଲେଶ୍ବର କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ଟିପିଏନ୍ଓଡିଏଲ୍ର ନୂଆ ବିଦ୍ୟୁତ ବ୍ୟବସ୍ଥା ନିୟନ୍ତ୍ରଣ କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ। ଟିପିଏନ୍ଓଡିଏଲ୍ର ସିଇଓ ଭାସ୍କର ସରକାର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଟିପିଏନ୍ଓଡିଏଲ୍ର ମିଟର ପରୀକ୍ଷଣ ଲାବରୋଟୋରି ପରିଦର୍ଶନ କରିଥିଲେ ଏବଂ ସ୍ମାର୍ଟ ମିଟରିଂ, ମିଟର ସଠିକତା ଓ ମିଟରରେ ହେଉଥିବା ହେରଫେର୍ ରୋକିବା ଭଳି ବିଭିନ୍ନ ବିଷୟ ଉପରେ ଆଲୋଚନା କରିିଥିଲେ।
ଟିପିଏନ୍ଓଡିଏଲ୍ ଓ ଓପିଟିସିଏଲ୍ର ବରିଷ୍ଠ କର୍ପୋରେଟ୍ ଓ କ୍ଷେତ୍ର ଅଧିକାରୀଙ୍କ ସହ ସେ ବିଭିନ୍ନ ପ୍ରଦର୍ଶନ ମାନଦଣ୍ତ, ଉନ୍ନତିମୂଳକ କାର୍ଯ୍ୟକ୍ରମ ଓ ଭିତ୍ତିଭୂମି ବିକାଶ ପ୍ରକଳ୍ପର ସମୀକ୍ଷା କରିଥିଲେ। ଗ୍ରାହକମାନଙ୍କ ପାଇଁ ଭରସାଯୋଗ୍ୟ ଓ ଗୁଣାତ୍ମକ ବିଦ୍ୟୁତ ଯୋଗାଣରେ ଉନ୍ନତି ଆଣିବା ପାଇଁ ଟିପିଏନ୍ଓଡିଏଲ୍ର ପୁଞ୍ଜି ବ୍ୟୟ ଓ ସରକାରଙ୍କ ପାଣ୍ଠିରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଅଧୀନରେ ବିଭିନ୍ନ ନେଟ୍ୱାର୍କ ସୁଦୃଢ଼ୀକରଣ କାର୍ଯ୍ୟକୁ ଅଗ୍ରାଧିକାର ଦେବା ଓ ତ୍ବରାନ୍ବିତ କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ନୂଆ ଗ୍ରୀଡ୍ ଓ ୩୩ କେଭି ସବ୍ଷ୍ଟେସନରେ ଲୋଡିଂକୁ ବଢ଼ାଇବା ଲାଗି ଲିଙ୍କ ଲାଇନ୍ ଯୋଡ଼ିବା ଯୋଜନା ପାଇଁ ଓପିଟିସିଏଲ୍ ସହ ମିଳିତ ଭାବେ କାର୍ଯ୍ୟ କରିବା ଏବଂ ନେଟୱାର୍କ ଲୋଡ୍ ଫ୍ଲୋ ଷ୍ଟଡି ଉପରେ ଗୁରୁତ୍ବାରୋପ କରିବା, ସମ୍ଭାବ୍ୟ ଲୋଡ୍ ବୃଦ୍ଧିର ମୁକାବିଲା କରିବା ଲାଗି ନେଟୱାର୍କରେ ଉନ୍ନତି ଆଣିବା ଯୋଜନା ପ୍ରସ୍ତୁତ କରିବା ଲାଗି ସେ ଟିପିଏନ୍ଓଡିଏଲ୍କୁ ପରାମର୍ଶ ଦେଇଥିଲେ। ଏଥି ସହିତ ବିଦ୍ୟୁତ ଚୋରି ମାମଲାକୁ କମ୍ କରିବା ସହିତ ଏଲ୍ଟି ନେଟୱାର୍କ ଭିତ୍ତିଭୂମିରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରିବାର ଗୁରୁତ୍ବ ବିଷୟରେ ମଧ୍ୟ ସେ ଆଲୋଚନା କରିଥିଲେ।
Post a Comment