କଲମପୁର ତହସିଲ କାର୍ଯ୍ୟାଳୟ କୁ ତାଲାବନ୍ଦ କରି ଧାରଣାରେ କୋଟାଗାଁ ଚାଷୀ


କଲମପୁର : ୧୯/୦୭ (ଶରତ ଚନ୍ଦ୍ର ସୁନାନି) "କଥାରେ ଅଛି ଚାଷ କାମ ଯାହାର କେତେ ସୁଖ ତାହାର",କିନ୍ତୁ ବର୍ତ୍ତମାନ ସ୍ଥିତି ଦେଖିବାକୁ ଗଲେ "ଚାଷ କାମ ଯାହାର କେତେ ଦୁଃଖ ତାହାର" କହିଲେ ଅତୁକ୍ତି ହେବନାହିଁ।ଚାଷୀ ଚାଷ କାର୍ଯ୍ୟ ଆରମ୍ଭ ଠାରୁ ଧାନ ବିକ୍ରୟ କରି ଟଙ୍କା ପାଇବା ପର୍ଯ୍ୟନ୍ତ କେତେ ଯେ ଅସୁବିଧାର ସମ୍ମୁଖୀନ ହେଉଛି,ତାହାର ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଆଜି କଲମପୁର ତହସିଲ କାର୍ଯ୍ୟାଳୟ କୁ ତାଲା ଦେଇ ଧାରଣାରେ ବସିଛନ୍ତି କୋଟାଗାଁ ଅଞ୍ଚଳର ଚାଷୀ। ସୂଚନା ଅନୁସାରେ ଗତ ୫ବର୍ଷ ହେବ କୋଟାଗାଁ ଧାନମଣ୍ଡି ମା ମଙ୍ଗଳା ମହିଳା ସୟଂ ସହାୟିକା ଗୋଷ୍ଠୀଙ୍କ ମାଧ୍ୟମରେ ପରିଚାଳିତ ହୋଇଆସୁଛି। କିନ୍ତୁ ପ୍ରତିବର୍ଷ ଧାନ ବିକ୍ରି ସମୟରେ ମହିଳା ଗୋଷ୍ଠୀଙ୍କ ଅପାରଗତା ଯୋଗୁଁ ଚାଷୀ ପ୍ରଭାବିତ ହେଉଛନ୍ତି।ବାରମ୍ବାର ପ୍ରଶାସନ ନିକଟରେ ମହିଳା ଗୋଷ୍ଠୀଙ୍କ ଅବହେଳା କୁ ନେଇ ଅଭିଯୋଗ କଲେ ମଧ୍ୟ ଜିଲ୍ଲା ପ୍ରଶାସନ , ଯୋଗାଣ ବିଭାଗ, ସମବାୟ ବିଭାଗ ଏଥିପ୍ରତି ଗୁରୁତ୍ବ ଦେଉନାହାନ୍ତି। ଚାଷୀ ମଣ୍ଡି ପରିଚାଳନାରେ ସମସ୍ୟା କୁ ନେ଼ଇ ଚାଷୀ ବାରମ୍ବାର ଆନ୍ଦୋଳନ କରୁଛନ୍ତି, କିନ୍ତୁ ସୁଧାର ହେଉ ନାହିଁ ମଣ୍ଡି ପରିଚାଳନା। ଏନେଇ ଚାଷୀ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ। ଚାଷୀ ପଞ୍ଜିକରଣ ପୂର୍ବରୁ ସମସ୍ୟାର ସମାଧାନ ପାଇଁ ଦାବି କରାଯାଇଥିଲା। ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ ରେ ସମବାୟ ବିଭାଗ ଓ ରାଜସ୍ବ ବିଭାଗର ଯୁଗ୍ମ ତଦନ୍ତ କରାଯାଇଥିଲା, କିନ୍ତୁ ପଞ୍ଜିକରଣ ପୂର୍ବରୁ କୌଣସି ନିଷ୍ପତି ନିଆଯାଇନାହିଁ। ଏଥିପାଇଁ ଆଜି କୋଟାଗାଁ ମଣ୍ଡି ଅଧିନରେ ଥିବା ସମସ୍ତ ଗ୍ରାମର ଚାଷୀ କଲମପୁର ତହସିଲ କାର୍ଯ୍ୟାଳୟରେ ତାଲା ଦେଇ ଗଣଧାରଣାରେ ବସିଛନ୍ତି। ତହସିଲଦାର ରୁଦ୍ରମୋହନ ନାୟକ ଚାଷୀଙ୍କୁ ବୁଝାଇଥିଲେ ମଧ୍ୟ ଦାବୀ ପୂରଣର ଲିଖିତ ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ଅନିଦିଷ୍ଟ କାଳ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି। ପ୍ରଶାସନ କେତେ ଶୀଘ୍ର ଚାଷୀଙ୍କ ଦାବୀ ପୂରଣ କରି ଚାଷୀଙ୍କ ଧାରଣ ବନ୍ଦ କରିବେ ତାହା ଦେଖିବାର ବାକି ରହିଲା।

Post a Comment

Previous Post Next Post