ଫକୀରମୋହନ ବିଶ୍ଵବିଦ୍ୟାଳୟର ରଜତ ଜୟନ୍ତୀ ସମାରୋହ


ବାଲେଶ୍ବର, ୧୧/୭ (ଲକ୍ଷ୍ମୀଧର ବାରିକ୍‌) ଫକୀରମୋହନ ବିଶ୍ଵବିଦ୍ୟାଳୟର ୨୫ତମ ସ୍ଥାପନା ଦିବସ ତଥା ରଜତ ଜୟନ୍ତୀ ସମାରୋହ ଆଜି ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଭାସି ମାଧ୍ୟମରେ ଏହି ସମାରୋହକୁ ରାଜ୍ୟପାଳ ତଥା ବିଶ୍ଵବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ ଉଦ୍‌ଘାଟନ କରି ଓଡ଼ିଆରେ ନିଜ ଅଭିଭାଷଣ ରଖିଥିଲେ। ମୁଖ୍ୟଅତିଥି କେନ୍ଦ୍ର ଶିକ୍ଷା, ଦକ୍ଷତା ଓ ଉଦ୍ୟମିତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଓଡ଼ିଆ ଭାଷାସାହିତ୍ୟ, ସଂସ୍କୃତି, ଅବକାରୀ ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର, ମୁଖ୍ୟବକ୍ତା ହିନ୍ଦୀ ସାହିତ୍ୟର ବିଶିଷ୍ଟ ଲେଖିକା ଅଳକା ସରାୱଗୀ ତାଙ୍କ ବକ୍ତବ୍ୟରେ ଫକୀରମୋହନଙ୍କ ସାହିତ୍ୟ ସର୍ଜନାରେ ବିଶ୍ବସ୍ତରୀୟ ଦୃଷ୍ଟିକୋଣ ନିହିତ ଥିଲା ବୋଲି କହିଥିଲେ। ଏହି ଅବସରରେ ବରେଣ୍ୟ ଅତିଥି ଭାବେ ସମ୍ବର୍ଦ୍ଧିତ ହୋଇଥିବା ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତିବୃନ୍ଦ ପ୍ରଫେସର ଶୁକଦେବ ନନ୍ଦ, ପ୍ରଫେସର କୁମରବର ଦାସ, ପ୍ରଫେସର ଶିବପ୍ରସାଦ ଅଧିକାରୀ ଓ ପ୍ରଫେସର ମଧୁମିତା ଦାସ ନିଜ ନିଜର ବକ୍ତବ୍ୟ ରଖିଥିଲେ। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ବିଦ୍ୟାର୍ଥୀମାନଙ୍କୁ ବିଭିନ୍ନ ଦିଗରୁ ସମୃଦ୍ଧ କରିବା ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ପ୍ରତିଷ୍ଠିତ ହିନ୍ଦୀ ଲେଖିକା ଶ୍ରୀମତୀ ସରାୱଗୀଙ୍କୁ ୨୦୨୩ ବର୍ଷ ପାଇଁ ଫକୀରମୋହନ ଜାତୀୟ ପୁରସ୍କାର, ଓଡ଼ିଆ ସାହିତ୍ୟର ସୁପ୍ରତିଷ୍ଠିତ କଥାକାର ଡକ୍ଟର ଗୌରହରି ଦାସ ଓ ବିଶିଷ୍ଟ ଗଣିତଜ୍ଞ ପ୍ରଫେସର ସୁଦର୍ଶନ ନନ୍ଦଙ୍କୁ ‘ବ୍ୟାସଗୌରବ ସମ୍ମାନ’, ଯୁବ ଗାଳ୍ପିକ ସଞ୍ଜୟ ପଣ୍ଡାଙ୍କୁ ‘ଫକୀରମୋହନ ଯୁବ ଗାଳ୍ପିକ ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା। ସେହିପରି ଫକୀରମୋହନ ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ମହାବିଦ୍ୟାଳୟ ଓ ଫକୀରମୋହନ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ଶ୍ରେଷ୍ଠ ଗଳ୍ପ, ଫକୀରମୋହନ ବିଶ୍ଵବିଦ୍ୟାଳୟର ଛାତ୍ରୀ ମମତାରାଣୀ ବାରିକଙ୍କୁ ‘ମନୋଜ ନବପ୍ରତିଭା କଥା ପୁରସ୍କାର’ ପ୍ରଦାନ କରାଯାଇଥିଲା। ବିଶ୍ଵବିଦ୍ୟାଳୟର କୁଳସଚିବ କୁକୁମୀନା ଦାସ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ୍ ଚନ୍ଦ୍ର ଅଧିକାରୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଡ.ଦେବାଶିଷ ପାତ୍ର ଓ ଡ.ସ୍ମୃତି ପାଢ଼ୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଡ.ପବିତ୍ରମୋହନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post