୨୬ଲକ୍ଷ ଟଙ୍କାର ବ୍ରାଉନସୁଗାର ସହିତ ୨ଜଣ ବେପାରୀ ଗିରଫ ଓଡ଼ିଶାକୁ ଡ୍ରଗ୍ସ ଯୋଗାଉଥିବା ଆସାମୀ ଜଳେଶ୍ବର ପୋଲିସ କବଜାରେ


ଜଳେଶ୍ୱର,୧୧/୬ (ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ବାଲେଶ୍ଵର ଜିଲ୍ଲା ତଥା ସାରା ଓଡ଼ିଶାକୁ ବ୍ରାଉନ ସୁଗାର ଯୋଗାଇ ଆସୁଥିବା ଜଣେ ମୁଖ୍ୟ ଅଭିଯୁକ୍ତର ଅତ୍ୟନ୍ତ ବିଶ୍ୱସ୍ତ ସହଯୋଗୀ ଓ ଅନ୍ୟ ଜଣେ ଖୁଚୁରା ବିକ୍ରେତାକୁ ପୋଲିସ ଗତକାଲି ଗିରଫ କରିବା ସହ ସେମାନଙ୍କ ନିକଟରୁ ୨୬୨.୭୦ ଗ୍ରାମ ଓଜନର ବ୍ରାଉନ ସୁଗାର, ଦୁଇଟି ମୋବାଇଲ ଫୋନ, ଗୋଟିଏ ହିରୋ ହୋଣ୍ଡା ପେସନ ମୋଟର ସାଇକେଲ ନଂ ଓ ଆର-୦୧-ୟୁ-୨୮୭୯ ଓ ନଗଦ ୩୧,୨୫୦ ଟଙ୍କାକୁ ପୋଲିସ ଜବତ କରିଛି ବୋଲି ବାଲେଶ୍ଵର ଏସପି ସାଗରିକା ନାଥ ଆଜି ଅପରାହ୍ନରେ ଜଳେଶ୍ୱର ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅର୍ଡର ବଜାର ଅଞ୍ଚଳର ଜଣେ ୩୨ ବର୍ଷ ଯୁବକ ବ୍ରାଉନ ସୁଗାର ଦେବା ପାଇଁ ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ଗ୍ରାମର ଜଣେ ୨୧ ବର୍ଷ ଯୁବକଙ୍କ ନିକଟକୁ ଆସିଥିଲେ । କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ୱର ଆଇଆଇସି ରୋଜାଳୀନ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ସେଠାରେ ପହଞ୍ଚି ଉଭୟଙ୍କୁ କାବୁ କରିବା ସହିତ ଗିରଫ କରି ସେମାନଙ୍କ ନିକଟରୁ ୨୬ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ୍ ସୁଗାରର ଏକ ପ୍ୟାକେଟ୍ ସମେତ ବିଭିନ୍ନ ସାମଗ୍ରୀ, ୨ଟି ମୋବାଇଲ ଫୋନ ଓ ନଗଦ ୩୧,୨୫୦ ଟଙ୍କା ଜବତ କରିବା ସହିତ ଏକ ମାମଲା ୨୭୮/୨୩ ମୁଳେ ରୁଜୁ କରିଛି ବୋଲି ଏସପି ପ୍ରକାଶ କରିଥିଲେ ।ଏ ହି ସାମ୍ବାଦିକ ସମ୍ମିଳନୀରେ ଜଳେଶ୍ୱରର ଏସଡିପି ଓ ଦିଲ୍ଲୀପ କୁମାର ସାହୁ, ଆଇଆଇସି ରୋଜାଲୀନ ବେହେରାଙ୍କ ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।

Post a Comment

Previous Post Next Post