ରାହଗିରି ମାଧ୍ୟମରେ ଏଥର ସୁବର୍ଣ୍ଣପୁରରେ ପାଳିତ ହେବ ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ


ସୁବର୍ଣ୍ଣପୁର (ଗଣପତି ବାଘ) ଓଡ଼ିଶା ଦିବସ ପାଳନ ସହିତ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିଷ୍ଠା ର ୩୦ ତମ ବର୍ଷ  ପାଳନ ଉତ୍ସବ ମହାସମାରୋହରେ ୧ ଏପ୍ରିଲ ତାରିଖରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଜିଲ୍ଲାପାଳ ଅବୋଲି  ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ  ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା,  ଅତିରିକ୍ତ ଜିଲ୍ଲାପାଳ  ସୂର୍ଯ୍ୟନାରାୟଣ  ଦାଶ, ନିଶି ପୁନମ୍  ମିଞ୍ଜ୍,  ଜିଲ୍ଲା ଉନ୍ନୟନ  ଅଧିକାରୀ ନିହାର  ରଞ୍ଜନ  କହଁର , ସୋନପୁର  ଉପଜିଲ୍ଲାପାଳ  ଡଃ  ଇପ୍ସିତ। ପ୍ରିୟଦର୍ଶିନୀ  ମିଶ୍ର  ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଅଂଶଗ୍ରହଣ କରିଥିଲେ । ଏହାକୁ ସ୍ମୃତି ବିଜଡିତ କରିବା ପାଇଁ  ତଥା ବହୁ ସଂଖ୍ୟାରେ ଜନସାଧାରଣଙ୍କ ଯୋଗଦାନକୁ ସୁନିଶ୍ଚିତ କରିବା ପାଇଁ ରାହଗିରି ମାଧ୍ୟମରେ ରାଜରାସ୍ତାରେ ଏହି ଉତ୍ସବ ପାଳନ କରାଯିବା ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ  ପ୍ରସ୍ତାବ ଦେଇଥିଲେ । ଉକ୍ତ ଦିନ ପ୍ରଭାତରୁ ସହରରେ ରାମଧୁନ ସହିତ ପ୍ରଭାତଫେରି ହେବ। ସକାଳ ୦୭ ଘଣ୍ଟା ସମୟରେ ସହରସ୍ଥିତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପ୍ରଶାସନ ତଥା  ନାଗରିକ ସମାଜ ଓ   ଜନସାଧାରଣ ତରଫରୁ ପୁଷ୍ପମାଲ୍ୟ ଅର୍ପଣ କରାଯିବ । ଅପରାହ୍ନ ୦୪ ଘଣ୍ଟା ସମୟରୁ ଆମ୍ବେଦକର ଛକ ଠାରୁ ବ୍ଲକ ଛକ ପର୍ଯ୍ୟନ୍ତ ରାହଗିରି ଅନୁଷ୍ଠିତ ହେବ । ଏଥିରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ସ୍ଵୟଂସହାୟକ ଗୋଷ୍ଠୀ ର କର୍ମକର୍ତ୍ତା, କଳାକାର ବର୍ଗ,  ଜନସାଧାରଣ ଯୋଗଦାନ କରିବେ। ଛାତ୍ରଛାତ୍ରୀମାନେ ରାଜରାସ୍ତାରେ ନୃତ୍ୟ, ସଙ୍ଗୀତ, କୌତୁକ ପୋଷାକ , ଯୋଗାସନ ଇତ୍ୟାଦି ପ୍ରଦର୍ଶନ କରିବେ । ଆଗ୍ରହୀ ଛାତ୍ରଛାତ୍ରୀମାନେ  ମିସ୍ ଏବଂ  ମିଷ୍ଟର  ସୁବର୍ଣ୍ଣପୁର ପ୍ରତିଯୋଗିତାରେ  ଅଂଶଗ୍ରହଣ  କରିପାରିବେ  । ଏହା ସହିତ ସମସ୍ତ ଜନସାଧାରଣ ତଥା ମହିଳାମାନେ ରଙ୍ଗୋଲି, ଚିତ୍ରାଙ୍କନ, ମେହେନ୍ଦୀ , ଫଟୋଗ୍ରାଫି, କଳା ପ୍ରଦର୍ଶନ, ମ୍ୟାଜିକ୍ ଶୋ , ଟେରାକୋଟା ମାଧ୍ୟମରେ  ନିଜର  କଳା ନୈପୁଣ୍ୟ  ପ୍ରଦର୍ଶନ କରିବେ । ଜିଲ୍ଲା  ସ୍ତରୀୟ  ସଭା  ସନ୍ଧ୍ୟା  ୦୭ ଘଣ୍ଟା  ସମୟରେ  ବ୍ଳକଛକ ରେ  ଅନୁଷ୍ଠିତ  ହେବ । ଏଥିରେ  ଉତ୍ସବ  ଉପଲକ୍ଷେ  ଅନୁଷ୍ଠିତ  ବିଭିନ୍ନ ପ୍ରତିଯୋଗିତା  ର  କୃତି  ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବ। ଜିଲ୍ଲାର  ସ୍ୱନାମଧନ୍ୟ  କଳାକାର ତଥା ଛାତ୍ରଛାତ୍ରୀମାନେ ଏଠାରେ  ଦେଶାତ୍ମବୋଧକ  ନୃତ୍ୟ ତଥା ଲୋକ ନୃତ୍ୟ, ଓଡ଼ିଆ ସଙ୍ଗୀତ,ଲୋକ ଗୀତ ପ୍ରଭୁତି ପରିବେଷଣ  କରିବେ । ଜିଲ୍ଲା ର  ସମସ୍ତ  କାର୍ଯ୍ୟାଳୟ  ତଥା  ବ୍ୟବସାୟିକ  ପ୍ରତିଷ୍ଠାନ ୩୧ ମାର୍ଚ୍ଚ  ଏବଂ  ୧ ଏପ୍ରିଲ ରାତିରେ  ନିଜର  କାର୍ଯ୍ୟାଳୟ  ତଥା  ବ୍ୟବସାୟ କେନ୍ଦ୍ର,  ଦୋକାନ  ବଜାର ରଙ୍ଗୀନ୍ ଆଲୋକରେ  ସଜ୍ଜିତ  କରିବା  ପାଇଁ  ସମସ୍ତଙ୍କୁ  ଅନୁରୋଧ  କରାଯାଇଛି ।ଏହି ରାହଗିରି କାର୍ଯ୍ୟକ୍ରମ ତଥା  ସାଧାରଣ  ସଭାରେ ବହୁ ସଂଖ୍ୟାରେ  ଜନସାଧାରଣ ଯୋଗଦାନ କରି ଏହାକୁ  ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ  ତରଫରୁ ଅନୁରୋଧ କରାଯାଇଛି । ଏହି କାର୍ଯ୍ୟକ୍ରମ କୁ ଅଧିକ ଲୋକାଭିମୁଖୀ କରାଯିବା  ସହିତ ଜିଲ୍ଲାର ସବୁବର୍ଗର ଲୋକ ଯେପରି ସାମିଲ ହୋଇ ଉତ୍ସବକୁ ଖୁବ ଯାକ ଜମକରେ ପାଳନ କରିବେ ସେଥି ନିମନ୍ତେ ଜିଲ୍ଲାପାଳ ସୁବର୍ଣ୍ଣପୁର ଓ ଆରକ୍ଷୀ ଅଧିକ୍ଷକ ସୁବର୍ଣ୍ଣପୁର ଆଜି ସନ୍ଧ୍ୟା ରେ ଅନୁଷ୍ଠିତ ପ୍ରେସ ମିଟ ଜରିଆରେ ସୂଚନା ଦେଇଛନ୍ତି ।

Post a Comment

Previous Post Next Post