ବିନା ଅନୁମତିରେ ଗାଁ ଗହଳିରେ ବାଜିବନି 'ଡିଜେ', ୬୫ ଡେସିବଲ ଟପିଲେ ଗାଡ଼ି ଜବତ କର : ସମସ୍ତ ଜିଲ୍ଲାର ଏସ୍‌ପିମାନଙ୍କୁ ଡିଜିପିଙ୍କ କଡ଼ା ନିର୍ଦ୍ଦେଶ :


ଆଜତକ୍ ଓଡ଼ିଶା ବ୍ୟୁରୋ : ସହରରେ କଟକଣା ହେଲେ ଗାଁରେ ନାହିଁ। ଲୋକେ ମନଇଛା ସାଉଣ୍ଡରେ ଡିଜେ ବଜାଉଛନ୍ତି। ବାହାଘର, ବ୍ରତଘର, ପୂଜା, ଭସାଣ ଶୋଭାଯାତ୍ରାରେ ଅତି ବିକଟାଳ ସାଉଣ୍ଡରେ ଡିଜେ ବାଜୁଛି। ଅତି ଉଚ୍ଚ ସାଉଣ୍ଡ ପାଇଁ ଲୋକଙ୍କ ଜୀବନ ମଧ୍ୟ ବିପଦରେ ପଡୁଛି। ଗତକାଲି ( ମଙ୍ଗଳବାର) ଏହି ପ୍ରସଙ୍ଗ ବିଧାନସଭାରେ ଉଠିଥିଲା। ବିଧାୟକମାନେ ଏହି ପ୍ରସଙ୍ଗ ଉଠାଇବା ସହ ଏ ନେଇ ସ୍ୱତନ୍ତ୍ର ଆଇନ ଆଣିବାକୁ ଦାବି କରିଛନ୍ତି।

ବିଧାନସଭାରେ ଏହି ପ୍ରସଙ୍ଗ ଉଠିବା ପରେ ପୁଲିସ ତତ୍ପର ହୋଇ ଉଠିଛି। ଅନୁମତି ନେଇ ନ ଥିଲେ ଗାଁ ଗହଳିରେ ବି ଡିଜେ ବାଜିପାରିବନି। ଆଉ ନିର୍ଦ୍ଧାରିତ ୬୫ ଡେସିବଲରୁ ଅଧିକ ଉଚ୍ଚରେ ବାଜିଲେ ଗାଡ଼ି ଜବତ ସହ ମାମଲା ରୁଜୁ ହେବ। ପୁଲିସ ଡିଜି ସୁନୀଲ ବଂଶଲ ଡିଜେ ଉପରେ ଲଗାମ ଲଗାଇବା ପାଇଁ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଜିଲ୍ଲାର ସବୁ ଥାନା ଅଧିକାରୀ ଏବଂ ସ୍ପେଶାଲ ଟିମ୍‌କୁ ନିୟମିତ ଚଢ଼ଉ କରିବା ପାଇଁ କୁହାଯାଇଛି। ସୁପ୍ରିମକୋର୍ଟ କରିଥିବା ଗାଇଡ୍‌ଲାଇନ୍‌କୁ କଡାକଡି ପାଳନ କରିବାକୁ କୁହାଯାଇଛି। ଥାନା ଅଧିକାରୀ ଏକ ଫୋନ୍‌ ନମ୍ବର ସର୍ବସାଧାରଣଙ୍କ ପାଇଁ ରଖିବେ। ଏହି ନମ୍ବରକୁ କଲ୍‌ କରି ଲୋକେ ଅଧିକ ଶବ୍ଦରେ ଡିଜେ ବାଜୁଥିଲେ ଲୋକେ ପୁଲିସକୁ ସୂଚନା ଦେଇପାରିବେ।

ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟରେ ଡିଜେ ସାଉଣ୍ଡ ପାଇଁ ଗତ ବର୍ଷ ୧୦ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। କିଛି ଦିନ ତଳେ ଏକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜଣେ ପିଲାର ଜୀବନ ଯାଇଥିବା ବିଧାୟକମାନେ ଗୃହରେ କହିଥିଲେ। ଗତବର୍ଷ ବାଲେଶ୍ୱର ଜିଲ୍ଲା ନିଳଗିରୀ ଥାନା କାଣ୍ଡଗରଡ଼ି ଗାଁରେ ଡିଜେ ସାଉଣ୍ଡ ପାଇଁ ୬୩ଟି କୁକୁଡାଙ୍କ ମୃତ୍ୟୁ ଘଟିଥିଲା। ଏକ ବାହାଘର ଶୋଭାଯାତ୍ରା କୁକୁଡା ଫାର୍ମ ନିକଟରେ ଯାଉଥିବା ବେଳେ ଡିଜେର ଉଚ୍ଚ ଶବ୍ଦ ପାଇଁ କୁକୁଡା ମରିଯାଇଥିଲେ। ସେହିପରି ଭଦ୍ରକରେ ମଧ୍ୟ ଡିଜେ ସାଉଣ୍ଡ ପାଇଁ ଜଣେ ପିଲାଙ୍କ ମୃତ୍ୟୁ ଘଟିଥିଲା। ଏବେ ବିଶେଷଜ୍ଞମାନେ କହିଛନ୍ତି ଯେ, ଡିଜେ ସାଉଣ୍ଡ ହୃଦରୋଗ ଥିବା ବ୍ୟକ୍ତିଙ୍କ ପାଇଁ ଅଧିକ କ୍ଷତିକାରଣ। ଏଥିସହ ବରିଷ୍ଠ ନାଗରିକ,ଛୋଟ ପିଲା ଏବଂ ପଶୁ ଓ ପକ୍ଷୀ ମଧ୍ୟ ଡିଜେ ସାଉଣ୍ଡକୁ ସହ୍ୟ କରିପାରିବେନି।

Post a Comment

Previous Post Next Post