ନୂଆପଡ଼ା ୨୭/୧୧ (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲାର ଅପର୍ ଜୋଙ୍କ ଜଳସେଚନ ପ୍ରକଳ୍ପର ରବି ଫସଲ ଯୋଜନା ୨୪/୨୫ ପାଇଁ ଜିଲ୍ଲା ସ୍ତରୀୟ କୃଷି ଉପଦେଷ୍ଟା କମିଟିର ବୈଠକ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ସଭାରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଲ ସିଂ, ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଅପର୍ ଜୋଙ୍କ ଜଳସେଚନ ପ୍ରକଳ୍ପ ର ଅଧିକ୍ଷଣ ଯନ୍ତ୍ରୀ ଉଜ୍ଜଳ ଜାନି ପ୍ରମୁଖ ଯୋଗଦାନ କରି ଉପସ୍ଥିତ ସମସ୍ତ ୨୦ ଟି ପାଣିପଞ୍ଚାୟତ ର ସଭାପତି ଏଵଂ କୃଷକ ପ୍ରତିନିଧି ମାନଙ୍କ ମତାମତ ଓ ଅଭିଯୋଗ ଗ୍ରହଣ କରିଥିଲେ । ପ୍ରାରମ୍ଭ ରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରି ଆସନ୍ତା ରବି ଫସଲ ଯୋଜନା ୨୪/୨୫ କିଭଳି ଭାବରେ ଶୃଙ୍ଖଳିତ ସହିତ ହୋଇପାରିବ ସେଥିପାଇଁ ସମସ୍ତଙ୍କ ସହଯୋଗ ଲୋଡିଥିଲେ ।
ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ଆଦେଶ କ୍ରମେ ପାଣି ପଂଚାୟତ ୬ ରୁ ୧୬ପର୍ଯ୍ୟନ୍ତ ରବି ଫସଲ ପାଇଁ ପାଣି ଯୋଗାଇ ଦେବାକୁ ବୈଠକ ରେ ନିଷ୍ପତି ନିଆଗଲା। ସୂଚନାଯୋଗ୍ୟ ଯେ ଅପର୍ ଜୋଙ୍କ ଜଳସେଚନ ପ୍ରକଳ୍ପ ର ଆୟକଟ ଏରିଆ ୯୧୧୦ ହେକ୍ଟର ରୁ ଏବେ ଉପରୋକ୍ତ ଅଞ୍ଚଳ କୁ ପାଣି ଯୋଗାଇ ଦିଆଯିବ । ଏବେ ଡ଼୍ୟାମ ରେ ୭୬ ପ୍ରତିଶତ ଜଳ ମହଜୁଦ ଅଛି ଏଵଂ ଜଳ ପତ୍ତନ ୩୫୨ ମିଟର ଅଛି । ଏହି ପରିସ୍ଥିତିରେ ଖରା ଦିନେ ଜଳର ଅଭାବ ପରିଲକ୍ଷିତ ହେଉଥିବାରୁ ଜିଲ୍ଲା କୃଷି ଅଧିକାରୀ ସତ୍ୟ ଭୂଷଣ ନାଗ ଚାଷୀ ମାନଙ୍କୁ ସ୍ୱଳ୍ପ ଓ ମଧ୍ୟମ ଅବଧି ର ଧାନ କରିବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ସ୍ୱଳ୍ପ ଅବଧି ଧାନ ସହିତ ମୁଗ ବିରି ବାଦାମ ସୂର୍ଯ୍ୟମୁଖୀ ପ୍ରଭୃତି ଅଣଧାନ କଲେ ବେଶି ଜମିକୁ ଜଳ ସେଚନ ସୁବିଧା ମିଳିବା ସହିତ ଅଧିକ ଚାଷୀ ଉପକୃତ ହେବେ ବୋଲି କହିଥିଲେ । ଯେଉଁଠାରେ ପାଣି କମି ଯାଉଛି ସେପରି ଜମିକୁ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଜଳ ଯୋଗାଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ । ଏହା ସହିତ ତୁରନ୍ତ କେନାଲ ସବୁ ମରାମତି କରାଯିବ । କେନାଲ ଜମିରୁ ଜବର ଦଖଲ ଉଚ୍ଛେଦ ହେବ । କେନାଲ ରେ କେବେଠାରୁ ପାଣି ଛଡାଯିବ ସେଥିପାଇଁ ଅତିରିକ୍ତ ଜିଲ୍ଲାପାଳ ରଇତ ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହେବ । ବିଭିନ୍ନ ପାଣି ପଞ୍ଚାୟତ ନିର୍ବାଚନ ପାଇଁ କୋର୍ଟ କେସ ସବୁ ରହିଥିବାରୁ ସେସବୁ ଉଠାଇ ଆଣିଲେ ଶିଘ୍ର ନୂତନ ନିର୍ବାଚନ ହେବ ବୋଲି ଜିଲ୍ଲାପାଳ ଚାଷୀ ମାନଙ୍କୁ ଆଶ୍ଵାସନା ଦେଇଥିଲେ । କୃଷକ ମାନେ ପରସ୍ପର ମଧ୍ୟରେ ଗଣ୍ଡଗୋଳ ନକରି ସବୁ ସମସ୍ୟା ର ଆପୋଷ ସମାଧାନ କରିବା ପାଇଁ ପ୍ରଶାସନ କୁ ସହଯୋଗ କରିବା ପାଇଁ ଜିଲ୍ଲାପାଳ ଚାଷୀ ମାନଙ୍କୁ ଆହ୍ଵାନ ଦେଇଛନ୍ତି ।
Post a Comment