ନୂଆପଡା:- (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା ବିଜୁଜନତା ଦଳ ଗୋଷ୍ଠୀ କନ୍ଦଳ ଘଟଣା ଅଭିଯୋଗକୁ ଖଣ୍ତନ କଲେ ମନ୍ତ୍ରୀ
ରାଜେନ୍ଦ୍ର କୁମାର ଢୋଲକିଆ। ସେ କହିଛନ୍ତି 'ବିଧାୟକ ପ୍ରାର୍ଥୀ ପାଇଁ ଦଳୀୟ ଟିକେଟ ଆଶାୟୀ ମାନେ ଭୁଲ ବାଟରେ ଯାଇ ମୋତେ ବିରୋଧ କରୁଛନ୍ତି।' ଆଗାମୀ ଦିନରେ ପାର୍ଟି ସୁପ୍ରିମୋଙ୍କ ପାଖରେ ଲେଖି ଜଣାଇବେ ବୋଲି ସେ କହିଛନ୍ତି। ନୂଆପଡ଼ା ଜିଲ୍ଲା ବିଜୁଜନତା ଦଳ ଗୋଷ୍ଠୀ କନ୍ଦଳ ଅଭିଯୋଗ ରାଜ୍ୟ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ରଢୋଲକିଆଙ୍କ ବିରୋଧରେ ଆସିଛି ଦୁର୍ନୀତି ଓ ଭ୍ରଷ୍ଟାଚାରର ସଙ୍ଗୀନ ଅଭିଯୋଗ । ପିସି କାରବାର ଚରମ ସୀମାରେ ପହଞ୍ଚି ଥିବା ବେଳେ ବିଜୁଜନତା ଦଳ ତଥା ଦଳ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତିକୁ ବଦନାମ କରୁଛନ୍ତି ବୋଲି ଅଭିଯୋଗ ହୋଇଛି, ତେଣୁ ସେ ତୁରନ୍ତ ମନ୍ତ୍ରୀପଦରୁ ଇସ୍ତଫା ଦିଅନ୍ତୁ ଏବଂ ଏହା ସହିତ ED, CBI, କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଉ ବୋଲି ଦାବି ହୋଇଥିଲା। ଏନେଇ ଗତକାଲି ମଙ୍ଗଲବାର ବିଜେଡି ଯୁବ ଜିଲ୍ଲା ସଭାପତି ହରିଶ୍ଚନ୍ଦ୍ର ପଣ୍ଡା, ବିଜେଡି ଜିଲ୍ଲା ଉପସଭାପତି ଭାନୁପ୍ରତାପ ସିଂ ମାଝୀ, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସରୋଜ କୁମାର ସାହୁଙ୍କ ନେତୃତ୍ବରେ ସକାଳ 6 ଘଣ୍ଟାରୁ ସନ୍ଧ୍ୟା 6 ଘଣ୍ଟା ପର୍ଯ୍ୟନ୍ତ ନୂଆପଡା ସଦର ଏକତା ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରି 353 ଜାତୀୟ ରାଜପଥ ଅବରୋଧ ହୋଇଥିଲା। ଅନ୍ୟପଟେ ଏଭଳି ସଙ୍ଗୀନ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ ରାଜେନ୍ଦ୍ର କୁମାର ଢୋଲକିଆ। ତାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, 'ନୂଆପଡା ବିଧାନସଭା କ୍ଷେତ୍ରରେ କିଛି ଦଳୀୟ ନେତୃମଣ୍ଡଳୀ ବିଧାୟକ ପ୍ରାର୍ଥୀ ହେବା ପାଇଁ ଚାହୁଁଛନ୍ତି। ତେଣୁ ମୋତେ ବଦନାମ କରି ମୋର ଟିକେଟ କାଟିବା ପାଇଁ ଚେଷ୍ଟା ଚଳାଇଛନ୍ତି । ତାହା ଠିକ ବାଟ ନୁହେଁ। ଯଦି ସେମାନେ ଟିକେଟ ପାଇଁ ଆଶାୟୀ ଅଛନ୍ତି, ତେବେ ଉପଯୁକ୍ତ ଫୋରମରେ ଦଳର ସଭାପତିଙ୍କ ନିକଟରେ ଟିକେଟ ଆବେଦନ କରନ୍ତୁ।' ଯିଏ ଟିକେଟ ପାଇବ ତାକୁ ଦଳୀୟ ନେତା ହିସାବରେ ମଧ୍ୟ ସମର୍ଥନ କରିବି ବୋଲି କହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।
Post a Comment