ରାଜ୍ୟ ସ୍ତରୀୟ କନିଷ୍ଠ ରେଡକ୍ରସ୍ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଘାଟିତ


ଭୁବନେଶ୍ୱର ୨୭/୩ (ଆଜତ କ ଓଡିଶା) ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସଚିବଙ୍କ ତତ୍ତ୍ୱବାଧାନରେ ଏକ ପଞ୍ଚଦୀବସିୟ ରାଜ୍ୟ ସ୍ତରୀୟ କନିଷ୍ଠ ରେଡକ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଭୁବନେଶ୍ୱରସ୍ଥିତ ନୀଳାଚଳ ପଲିଟେକନିକ୍ ମହାବିଦ୍ୟାଳୟ ପରିସରରେ ଉଦଘାଟନ ହୋଇଯାଇଅଛି । ମୁଖ୍ୟଅତିଥି ଭାବରେ ଅବୈତନିକ ସମ୍ପାଦକ ବିଭୂତି ଭୂଷଣ ପଟ୍ଟନାୟକ ଶିବିରରେ ଯୋଗଦେଇଥିବା ଜୁନିୟର ତଥା ପରାମର୍ଶଦାତାମାନେ ରେଡକ୍ରସର ମହନୀୟ ଭାବଧରରେ ଉଦବୁଦ୍ଧ ହେବାକୁ  ମାର୍ଗଦର୍ଶନ କରିଥିଲେ । ଜଳବାୟୁ ପରିବର୍ତ୍ତନ ଦିଗରେ କାମ କରି ଅମ୍ଳ ବର୍ଷାକୁ ରୋକିବା ପାଇଁ  ବନିକରଣ ଉପରେ ସେ ସ୍ବେଚ୍ଛାସେବୀ ମାନଙ୍କୁ  ଆହ୍ବାନ ଦେଇଥିଲେ । ଅନ୍ୟ ସମ୍ମାନିତ ଅତିଥି ଭାବରେ ପ୍ରାକ୍ତନ ରେଡକ୍ରସ୍ ସମ୍ପାଦକ ମେଜର ଡ. କଳ୍ପନା ଦାଶ ଯୋଗଦେଇ ମାନବ ସେବା ହିଁ , ମାଧବ ସେବା ଉପରେ ଗୁରୁତ୍ୱ ଦେଇଥିଲେ ଓ ଆମେ ଯେଉଁ କାମ କରୁ ତାହା ଆମ ପାଖକୁ ହିଁ ଫେରିଆସେ | ତେଣୁ ସର୍ବଦା ଆମେ ଅନ୍ୟର ଉପକାର କରି ସମାଜର ହିତ ଦିଗରେ କାମ କଲେ ନିଜେ ଖୁସି ରହିବା ସହିତ ଏକ ସୁସ୍ଥ ସମାଜ ଗଠନ କରି ପାରିବା ବୋଲି ସେ  ମତବ୍ୟକ୍ତ କରିଥିଲେ ।

ନୀଳାଚଳ ପଲିଟେକନିକ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଷ୍ଣୁ ଚରଣ ପାତ୍ର ଯୋଗଦେଇ, ସେବା ଦ୍ଵାରା ଅନ୍ୟକୁ ଆପଣର କରିହେବ ବୋଲି ମତ ରଖିଥିଲେ ଓ ମୋବାଇଲର ଅଧିକ ଵ୍ୟଵହାର ନକରି ଆମେ ଖେଳକୁଦ ଓ ଯୋଗ ଉପରେ ଗୁରୁତ୍ୱ ଦେଲେ ଆମେ ଶାରିରୀକ ଓ ମାନସିକ ସ୍ତରରେ ସୁସ୍ଥ  ରହିବା ବୋଲି  କହିଥିଲେ। ରାଜ୍ୟ ଜୁନିୟର ରେଡକ୍ରସ୍ ଅଧିକାରୀ ଲକ୍ଷ୍ମଣ ସ୍ବାଇଁ ଅତିଥି ପରିଚୟ ତଥା ସ୍ବାଗତ ଅଭିଭାଷଣ ପ୍ରଦାନକରିଥିଲେ। ଶ୍ରୀ ସ୍ୱାଇଁ ପଞ୍ଚଦିବସୀୟ ପ୍ରଶିକ୍ଷଣ ଶିବିରର କାର୍ଯ୍ୟସୂଚୀ ଉପରେ ଅବଗତ କରାଇବା ସହିତ ଜଣେ ଉତ୍ତମ ସ୍ବେଚ୍ଛାସେବୀ ଭାବେ ନିଜର ଦାୟିତ୍ଵ ନିର୍ବାହ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମକୁ ସାଧନକର୍ମୀ ମୂରଲୀଧର ପରିଡ଼ା ସଂଯୋଜନା କରିଥିବା ବେଳେ ବରିଷ୍ଠ ସାଧନକର୍ମୀ ଡକ୍ଟର ସତ୍ୟ ନାରାୟଣ ହୋତା ଧନ୍ୟବାଦ ଅର୍ପଣ କରିଥିଲେ।  କାର୍ଯ୍ୟକ୍ରମରେ ରାଜ୍ୟର ୨୫ ଜିଲ୍ଲାରୁ ୩୩୪ଜଣ ଛାତ୍ରଛାତ୍ରୀ ଓ ପରାମର୍ଶଦାତା ଓ ପରାମର୍ଶଦାତ୍ରୀ ଉପସ୍ଥିତ ଦେଇଛନ୍ତି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓଡ଼ିଆ ରାଜ୍ୟ ଯୁବ ରେଡକ୍ରସ୍ ସଂଯୋଜକ ଡ. ଗୋପାଳ କୃଷ୍ଣ ମିଶ୍ର ରେଡକ୍ରସ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।  ଶିବିରରେ  ସାଧନ କର୍ମୀବୃନ୍ଦ ଶିବିରାର୍ଥୀମାନଙ୍କୁ ରେଡ଼କ୍ରସ ଇତିହାସ, ସ୍କୁଲ ନିରାପତ୍ତା, ପ୍ରାଥମିକ ଚିକିତ୍ସା, ଅଗ୍ନିପ୍ରଶମନ, ଜଳବାୟୁ ପରିବର୍ତ୍ତନ, ବୃକ୍ଷ ରୋପଣ, ରକ୍ତଦାନ ସଚେତନତା, ସଡ଼କ ସୁରକ୍ଷା, ନିଶାମୁକ୍ତ ସମାଜ, ପ୍ରାକୃତିକ ବିପର୍ଯ୍ୟୟ ଓ ପରିଚାଳନା, ଜଳ ପରିମଳ ଓ ପରିଚ୍ଛନ୍ନତା ତଥା ବ୍ୟକ୍ତିତ୍ଵ ବିକାଶ ପ୍ରସଙ୍ଗରେ ତାଲିମ ପ୍ରଦାନ କରିବାକୁ ଯୋଜନା କରାଯାଇଛି। ପାଞ୍ଚ ଦିନ ଧରି ଚାଲିଥିବା ଶିବିରରେ ବ୍ୟକ୍ତିଗତ ତଥା ଦଳଗତ ବିଭିନ୍ନ ବିଭାଗରେ ବିଭିନ୍ନ ପ୍ରତିଯୋଗିତା କରାଯିବ।

Post a Comment

Previous Post Next Post