ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ନିଷ୍ପତ୍ତି : ନିୟମିତ ହେବେ ୩୩୨୮ ଶିକ୍ଷା ସହାୟକ

 


ଭୁବନେଶ୍ବର,(ଆଜତକ୍ ଓଡ଼ିଶା): ଶିକ୍ଷା ସହାୟକ ମାନଙ୍କ ପାଇଁ ବଡ଼ ଖବର। ରାଜ୍ୟ ସରକାର ଶିକ୍ଷା ସହାୟକ ମାନଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ କାର୍ଯ୍ୟରତ ଶିକ୍ଷକ ମାନେ ନିୟମିତ ହେବେ। ୩୩୨୮ ଜଣ ମଲ୍ଟି ଲିଙ୍ଗୁଆଲ ଶିକ୍ଷା ସହାୟକ ନିୟମିତ ହେବେ। ଚାକିରିର ୬ ବର୍ଷ ପରେ ସେମାନଙ୍କୁ ଶିକ୍ଷା ସହାୟକରୁ ସହାୟକ ଶିକ୍ଷକ ମାନ୍ୟତା ମିଳିବ। ମୁଖ୍ୟ ଶାସନ ସଚିବ ଏହି ସୂଚନା ଦେଇଛନ୍ତି ।

ରାଜ୍ୟ କ୍ୟାବିନେଟରେ ଅନ୍ୟ ୧୨ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ଗ୍ରାମାଞ୍ଚଳରେ ଲୋ-ଭୋଲଟେଜ୍ ଦୂର କରିବାକୁ ପ୍ରସ୍ତାବ ଗ୍ରହଣ, ୨୬୦ କୋଟି ବ୍ୟୟରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ, କଳାହାଣ୍ଡି ଜିଲ୍ଲା ମ.ରାମପୁର, ଯାଜପୁର ଜିଲ୍ଲା ଚିତ୍ତାଳୋ, ବଲାଙ୍ଗୀର ଜିଲ୍ଲା ଆଗଲପୁର ଠାରେ ଗ୍ରୀଡ୍‌ ସବଷ୍ଟେସନ୍‌, ୯୯ଟି ୧୧କେଭି ଓ ୬୪ଟି ୩୩କେଭି ଲାଇନ ୩ ବର୍ଷରେ ପ୍ରତିଷ୍ଠା କରାଯିବାକୁ ନିଷ୍ପତ୍ତି ହୋଇଛି।

କଳାହାଣ୍ଡି ଜିଲ୍ଲା ସାନ୍ଧୁଲ ବ୍ୟାରେଜ ଉପରେ କ୍ୟାବିନେଟ ମୋହର ଲାଗିଛି। ଏହି ପ୍ରକଳ୍ପରେ ୧୨୬ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୨୯ଟି ଗାଁର ୫୦୦୦ରୁ ଊର୍ଦ୍ଧ୍ବ ହେକ୍ଟର ଜମିରେ ଜଳସେଚନ କରାଯାଇପାରିବ।

ସେହିପରି ରେଙ୍ଗାଲୀ ଡାହାଣ କେନାଲ ଦ୍ବାରା ଜଳସେଚନ ବ୍ୟବସ୍ଥା କରାଯିବ। ଏହି କେନାଲ ଦ୍ବାରା ଢେଙ୍କାନାଳ ଓ କଟକ ଜିଲ୍ଲାରେ ୨୪ ହଜାରରୁ ଊର୍ଦ୍ଧ୍ବ ହେକ୍ଟର ଜମିରେ ଜଳସେଚନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ‘ଏସ୍‌ସିବି’ର ଉନ୍ନତିମୂଳକ କାର୍ଯ୍ୟ ପାଇଁ ୮୮୮ କୋଟି ଟଙ୍କା ଖର୍ଚ୍ଚ କରାଯିବ।

Post a Comment

Previous Post Next Post