ଖପ୍ରାଖୋଲ ଥାନା ଅଞ୍ଚଳରେ ପୁଣି ମାତିଲେ ଲୁଟେରା


ବଲାଙ୍ଗୀର ୨୬/୦୩ (ଗଣେଶ ଦାସ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ହରିଶଙ୍କର ଛକ ନିକଟରେ କିଛି ଲୁଟେରା ହାଇୱା ଟ୍ରକ କୁ ଅଟକାଇ ଡ୍ରାଇଭର ଠାରୁ ଲୁଟ କରିଥିବା ଜଣାପଡ଼ିଛି । ସୂଚନାନୁଯାୟୀ, ଗତ ଶନିବାର ରାତ୍ର ୧୨ ଟା ସମୟରେ ହାଇୱା ଗାଡିର ଡ୍ରାଇଭର ଲିପନ ମହାକୁଡ଼ ହରିଶଙ୍କର ରୁ ପାଟଣାଗଡ଼ ଅଭିମୁଖେ ବାହାରିଥିଲେ । ହରିଶଙ୍କର ଛକ ନିକଟରେ ଏକ ବାଇକ ଯାହାର ନଂ ଓଡି୦୩-ଜେଡ-୭୩୯୫ ଠିଆ ହୋଇଥିବା ଦେଖି ଟ୍ରକଟିକୁ ଅଟକାଇ ଥିଲେ । ଟ୍ରକ ଅଟକିଲା ପରେ ପାଖରେ ଲୁଚି ଥିବା କିଛି ଲୁଟେରା ଠେଙ୍ଗା ଧରି ଡ୍ରାଇଭରକୁ ଆକ୍ରମଣ କରିଥିଲେ । ଏହା ଦେଖି ଡ୍ରାଇଭର ଜୀବନ ବଞ୍ଚାଇବାକୁ ଯାଇ ହାଇୱା ଗାଡିକୁ ଛାଡି ସେଠୁ ପଳାଇ ଯାଇଥିଲା । ଗାଡି ଭିତରେ ଥିବା ମୋବାଇଲ, ଜେକ ମେସିନ ଲୁଟ କରି ଫେରାର ମାରିଥିଲେ ଲୁଟେରା ମାନେ !

 ଏନେଇ ଖପ୍ରାଖୋଲ ଥାନାରେ ରବିବାର ଗୋଟିଏ ଲୁଟ ମାମଲା ୠଜୁ ହୋଇଥିଲା । ଘଟଣା ଥାନାରେ ପଞ୍ଜିକୃତ ହେଲା ପରେ ଖପ୍ରାଖୋଲ ପୋଲିସ ତନାଘନା କରି ଲୁଟ କରିଥିବା ଲୁଟେରା ମାନଙ୍କୁ ଖୋଜିବାରେ ଲାଗିପଡ଼ିଥିଲା । ରବିବାର ସକାଳୁ ଦୁଇ ଜଣ ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇଥିବା ପୋଲିସ ସୂଚନା ଦେଇଛି । ଦୁଇ ଜଣ ଅଭିଯୁକ୍ତ ହେଲେ ଖପ୍ରାଖୋଲ ଥାନା ତେଲେନପାଲି ପଞ୍ଚାୟତ କର୍ଲାମାଲ ଗ୍ରାମର ଧ୍ରୁବ ସରାଫ ଙ୍କ ପୁତ୍ର ରଶ୍ମିରଞ୍ଜନ ସରାଫ ଓରଫ ଶ୍ରୀତମ (୨୨) ଏବଂ ବେଲପଡା ଥାନା ଅନ୍ତର୍ଗତ ବନମାଲ ଗ୍ରାମର ଗଇଠୁ ସାହୁଙ୍କ ପୁତ୍ର ନବୀନ କୁମାର ସାହୁ(୨୫) ବୋଲି ଜଣାପଡିଛି । ତାଙ୍କ ପାଖରୁ ବାଇକ ଏବଂ ଡ୍ରାଇଭର ଙ୍କ ମୋବାଇଲ ପୋଲିସ ଜବତ କରିଥିବାବେଳେ ଏନେଇ ଖପ୍ରାଖୋଲ ଥାନା କେସ ନଂ ୮୫/୨୦୨୪ ରେ ଭାରତୀୟ ପେନାଲକୋର୍ଡ ର ଧାରା ୩୯୪ ଅଧିନିୟମ ଅନୁଯାୟୀ ଏକ ମାମଲା ଋଜୁକରି ଦୁଇ ଅଭିଯୁକ୍ତ କୁ ପାଟଣାଗଡ଼ କୋର୍ଟ ଚାଲାଣ କରିଥିବାବେଳେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା କେସ ତଦନ୍ତକାରୀ ଅଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି ।

Post a Comment

Previous Post Next Post