ଆଦର୍ଶ କୃଷି ବଜାର ପରିସରରେ ଖୋଲିବ ବୁଣାକାର ହାଟ



ବୌଦ୍ଧ,(ହୃଦାନନ୍ଦ ମେହେର) ଆସନ୍ତା ଅକ୍ଟୋବର ମାସରେ ଆଦର୍ଶ କୃଷି ବଜାର ପରିସରରେ ବୁଣାକାର ହାଟ ଖୋଲିବା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରାଥମିକ ହସ୍ତତନ୍ତ ସମବାୟ ସମିତିର କର୍ମକର୍ତ୍ତା, ସଭ୍ୟବୃନ୍ଦ ଯୋଗଦେଇ ବୁଣାକାର ହାଟକୁ କିପରି ସଫଳତାର ସହିତ କାର୍ଯ୍ୟକାରୀ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ସାଗରପାଲି,ବିରମହାରାଜପୁର,ଗବଜୋର,ମନମୁଣ୍ଡା,ବୁଟୁପାଲି,ନାରାୟଣନଗର,ବାଉଁଶୁଣୀ,ପୂର୍ବ ଓଡ଼଼ିଶାର ଗୋପାଳପୁର,କଟକ,ନୂଆପାଟଣା,ଛତିଶଗଡର ବିଲେଇଗଡର ଲୁଗା ବ୍ୟବସାୟୀମାନେ ଏଥିରେ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରିତ ହେବେ । ସାଗରପାଲି ଦାୟିତ୍ୱରେ କେଶବ ମେହେର,ବୀରମହାରାଜପୁର ଦାୟିତ୍ୱରେ ଛବିଳ ମେହେର,ଗବଜୋର ଓ ମନମୁଣ୍ଡା ଦାୟିତ୍ୱରେ ପ୍ରକାଶ ମେହେର,ବୁଟୁପାଲି ଦାୟିତ୍ୱରେ ଲିଙ୍ଗରାଜ ମେହେର,ବାଉଁଶୁଣୀ ଦାୟିତ୍ୱରେ ଝସକେତନ ମେହେର, ବନପାଲି ଦାୟିତ୍ୱରେ ନିରଞ୍ଜନ ମେହେର ପ୍ରମୁଖ ରହି ଏହି ବୁଣାକାର ହାଟକୁ ସଫଳ କରିବେ ବୋଲି ନିଷ୍ପତି ଗ୍ରହଣ କରାଗଲା । ପ୍ରଥମ ପର୍ଯ୍ୟାୟରେ ଅନ୍ୟୁନ ଦୁଇମାସ ପାଇଁ ବୁଣାକାରମାନଙ୍କୁ ପିଣ୍ଢି ,ଖାଇବା ବ୍ୟବସ୍ଥା ଓ ସାମଗ୍ରୀ ପାଇଁ ଗୋଦାମ ଗୃହ ମାଗଣାରେ ଯୋଗାଇଦେବାକୁ ବୈଠକରେ ନିଷ୍ପତି ହୋଇଥିଲା । ଏହି ହାଟ ସପ୍ତାହକୁ ଥରେ ବସିବ । ଏଥିପାଇଁ ପ୍ରଶାସନ ତରଫରୁ ଶୌଚାଳୟ,ପାର୍କିଂ ଓ ସୁରକ୍ଷା ବ୍ୟବସ୍ଥା କରାଯିବାକୁ ନିଷ୍ପତି ହୋଇଥିଲା । ବୁଣାକାରମାନଙ୍କ ସହିତ ଅନଲାଇନ ମାଧ୍ୟମରେ ଯୋଗାଯୋଗ,ପ୍ରଚାରପତ୍ର,ସାମାଜିକ ଗଣ ମାଧ୍ୟମ ଜରିଆରେ ସୂଚନା ଦିଆଯାଇ ବୁଣାକାର ହାଟରେ ଯେପରି ଅଧିକ ସଂଖ୍ୟାରେ ବୁଣାକାର ଓ ଗ୍ରାହକ ସାମିଲ ହୋଇପାରିବେ ବ୍ୟବସ୍ଥା କରାଯିବ । ପଡୋଶୀ ଜିଲା ବରଗଡ,ସୁବର୍ଣ୍ଣପୁର ଜିଲ୍ଲାର ବୁଣାକାରମାନଙ୍କୁ ଏଥିରେ ସାମିଲ କରିବା ପାଇଁ ପ୍ରଶାସନ ତଥା ଉପସ୍ଥିତ ସଦସ୍ୟମାନେ ପ୍ରୟାସ କରିବେ ବୋଲି ମତପ୍ରକାଶ କରିଥିଲେ । ଜିଲାପାଳଙ୍କ ଉଦ୍ୟମକ୍ରମେ ଏହି ବୁଣାକାର ହାଟ ଅତିଶୀଘ୍ର ଖୋଲାଯିବାକୁ ନିଷ୍ପତି ନିଆଯାଇଥିବାରୁ ସମ୍ବଲପୁରର ସାମ୍ବାଦିକ ରାଜାରାମ ପାଢ଼ୀ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ତହସିଲଦାର ଦେବୀ ପ୍ରସାଦ ଦାଶ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

Previous Post Next Post