୧୧୦ କିମି ବେଗରେ ପବନ, ଅତି ପ୍ରବଳ ବର୍ଷା; ଫୁଲିବ ସମୁଦ୍ର, ସ୍ଥଳ ଭାଗକୁ ମାଡ଼ି ଆସିବ
ଭୁବନେଶ୍ୱର, (ଆଜତକ୍ ଓଡ଼ିଶା) : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଶୁକ୍ରବାର ସକାଳେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇଥିଲା। ପରେ ଏହା ଆହୁରି ଅଧିକ ଘନୀଭୂତ ହୋଇ ଉତ୍ତର- ଉତ୍ତରପଶ୍ଚିମ ଦିଗରେ ୨୫ କିମି ବେଗରେ ଗତି କରିବା ସହିତ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସାମୁଦ୍ରିକ ଝଡ଼ ‘ଜୱାଦ’ର ରୂପ ନେଇଛି। ରିପୋର୍ଟ ଲେଖା ହେବା ବେଳକୁ ଏହା ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ବିଶାଖାପାଟନମ୍ଠାରୁ ୪୨୦ କିମି, ଗୋପଳପୁରଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୫୩୦ କିମି ଓ ପାରାଦୀପଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୬୫୦କିମି ଦୂରରେ ରହିଛି ଓ ଅଧିକ ଘନୀଭୂତ ହେଉଛି।
ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି ଯେ ଜୱାଦ ଏବେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ଅଧିକ ଘନୀଭୂତ ହୋଇ ୪ ତାରିଖ ସକାଳେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଉତ୍ତର ଆନ୍ଧ୍ରପ୍ରଦେଶ- ଓଡ଼ିଶା ଉପକୂଳରେ ପହଞ୍ଚିବ। ସେତେବେଳକୁ ଏହା ଆହୁରି ଶକ୍ତିଶାଳୀ ହୋଇ ଭୀଷଣ ବାତ୍ୟାରେ ରୂପାନ୍ତରିତ ହେବ, ଯେତେବେଳେ ଏହାର କେନ୍ଦ୍ରର ପବନର ଗତି ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିବ। ସମୟ ସମୟରେ ୧୧୦ କିଲୋମିଟର ବେଗରେ ଝଟକା ଦେବ। ସେ ସମୟରେ ଏହାର ପ୍ରକୋପ ସର୍ବାଧିକ ରହିବ। ଏହି ଅବସ୍ଥାରେ ବାତ୍ୟା ଆଗକୁ ବଢ଼ିବ ଓ ରାତି ସାଢ଼େ ଏଗାରଟା ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ଉପକୂଳକୁ ଭୀଷଣ ବର୍ଷା ସହିତ ଗୁରାଣ୍ଡି ପକାଇବ। ଏହା ପରେ ବାତ୍ୟାର ପ୍ରକୋପ କମିବ ଓ ୫ ତାରିଖ ଦିନ ପୂର୍ବାହ୍ନ ସାଢେ ଏଗାରଟା ବେଳକୁ ବାତ୍ୟା ରୂପକୁ ଖସି ଆସିଥିବ, ହେଲେ ୮୦ରୁ ୯୦ କିଲୋମିଟର ଥିବ ପବନର ଗତି। ବେଳେ ବେଳେ ଏହା ୧୦୦ କିଲୋମିଟର ବେଗରେ ଝଟକା ଦେବ। ସାମୁଦ୍ରିକ ଜୁଆରର ଉଚ୍ଚତା ବଢ଼ିବା ସହ ସମୁଦ୍ର ଜଳ ସ୍ଥଳଭାଗ ଆଡ଼କୁ ମାଡ଼ି ଆସିବ। କେନ୍ଦ୍ରାପଡ଼ା ଜିଲ୍ଲା ଟିକାୟତ ନଗର ଅଞ୍ଚଳରେ ସମୁଦ୍ର ଜଳ ୨. ୬୪ କି.ମି. ପର୍ଯ୍ୟନ୍ତ ମାଡ଼ି ଆସିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

ସମ୍ଭାବ୍ୟ ବାତ୍ୟା ସଂପର୍କରେ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା କହିଛନ୍ତି, ଜୱାଦ ଉପକୂଳମୁହାଁ ହେଲେ ପବନର ବେଗ ୮୦ରୁ ୯୦ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଏଥିପାଇଁ ବିଦ୍ୟୁତ ସରବରାହ ବ୍ୟାହତ ହୋଇପାରେ। ତେଣୁ ଦୁଇ ଦିନ ପାଇଁ ପାନୀୟ ଜଳ ସାଇତି ରଖିବା ଆବଶ୍ୟକ। ଅନ୍ୟପକ୍ଷରେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଦିଗରେ ସରକାର ଦୃଷ୍ଟି ରଖିଛନ୍ତି। ବଜାରରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଥିବାବେଳେ ଜନସାଧାରଣ ଆତଙ୍କିତ ହୋଇ ଏସବୁ ଅଯଥାରେ କିଣାକିଣି କରନ୍ତୁ ନାହିଁ। ବାତ୍ୟା ସମୟରେ ଜନସାଧାରଣ ବାହାରେ ବୁଲାବୁଲି କରନ୍ତୁ ନାହିଁ। ସମୁଦ୍ର କୂଳବର୍ତ୍ତୀ ସ୍ଥାନକୁ ଯାଆନ୍ତୁ ନାହିଁ। ସେହିପରି ମତ୍ସ୍ୟଜୀବୀମାନଙ୍କୁ ମାଛ ଧରିବାକୁ ଯିବା ପାଇଁ ବାରଣ କରାଯାଇଛି। ବିଡିଓ, ତହସିଲଦାର ଓ ପୁଲିସ ଆଇଆଇସିମାନଙ୍କୁ ଲୋକଙ୍କୁ ତଳିଆ ଅଞ୍ଚଳରୁ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଏଥିନିମନ୍ତେ ପଞ୍ଚାୟତିରାଜ ବିଭାଗ, ଏସ୍ଏଚ୍ଜି ଓ ସ୍ଥାନୀୟ ଏନ୍ଜିଓ ସହାୟତା କରିବେ। ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ପ୍ରସ୍ତୁତ କରି ରଖାଯାଇଛି। ଆବଶ୍ୟକ ସ୍ଥଳେ ସରକାରୀ ଛାତ ଘର କିମ୍ବା ଘରୋଇ ଛାତ ଘରକୁ ମଧ୍ୟ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଇପାରିବ। ଜୀବନ ବଞ୍ଚାଇବା ଆମର ପ୍ରଥମ କର୍ତ୍ତବ୍ୟ ବୋଲି ଏସ୍ଆର୍ସି ପ୍ରକାଶ କରିଛନ୍ତି ।
ଉଲ୍ଲେଖଥାଉକି, ଶୁକ୍ରବାର ମଧ୍ୟାହ୍ନରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଜୱାଦ’ ପ୍ରଭାବରେ ଶୁକ୍ରବାର ସକାଳୁ ରାଜ୍ୟର ପାଗରେ ପରିବର୍ତ୍ତନ ହୋଇଛି। କୋହଲା ପାଗ ଦିନ ସାରା ରହିଥିବା ବେଳେ ସଂଧ୍ୟାରୁ ବର୍ଷା ଆରମ୍ଭ ହୋଇଯାଇଥିଲା। ସମଗ୍ର ଉପକୂଳ ଓ ସଂଲଗ୍ନ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଥିବା ବେଳେ ୪ ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବ। ଆସନ୍ତାକାଲି ସକାଳୁ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଆଦି ଜିଲ୍ଲାରେ ଅତିରୁ ଅତିପ୍ରବଳ ବର୍ଷାକୁ ନେଇ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ କେନ୍ଦ୍ରାପଡ଼ା, କଟକ, ଖୋର୍ଧା, ନୟାଗଡ଼, କନ୍ଧମାଳ ଓ ରାୟଗଡ଼ା ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିଭଳି ବାଲେଶ୍ବର, ଭଦ୍ରକ, ଯାଜପୁର, କୋରାପୁଟ ଓ ମାଲକାନଗିରିରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୫ ତାରିଖ ଦିନ ମଧ୍ୟ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।
Post a Comment